ପୁରୁଣା ଭୁବନେଶ୍ୱର: ଆରମ୍ଭ ହୋଇଛି ପିତୃପକ୍ଷ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ତଥା ଅପରପକ୍ଷର ଅନ୍ତିମ ଦିନ ଅମାବାସ୍ୟା(ଅକ୍ଟୋବର ୧୪) ପର୍ଯ୍ୟନ୍ତ ଏହି ପକ୍ଷ ଲାଗିରହିବ। ବିଶ୍ବାସ ଓ ବିଧି ଅନୁସାରେ ଏହି ପକ୍ଷରେ ଲୋକେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିବା ସହ ପିଣ୍ଡଦାନ କରିବେ। ନିଜର ପିତୃ୍ପୁରୁଷଙ୍କ ସହ ମାତୁଳ ଘରର ତିନି ପୁରୁଷଙ୍କୁ ପିଣ୍ଡଦାନ କରାଯିବ। ତେଣୁ ଏକାମ୍ର କ୍ଷେତ୍ରର ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର କୂଳ ଚଳଚଞ୍ଚଳ ହୋଇଉଠିଛି। ସେହିଭଳି ସାମନ୍ତରାପୁରସ୍ଥିତ ସୂକ୍ଷ୍ମେଶ୍ବର ମନ୍ଦିର ନିକଟ ଗୟାକୁଣ୍ଡ ମଧ୍ୟ ଚଳଚଞ୍ଚଳ ହୋଇଉଠୁଛି। ବିନ୍ଦୁସାଗର ଘାଟ କୂଳରେ କ୍ଷେତ୍ରବାସୀ ବ୍ରାହ୍ମଣମାନଙ୍କ ପକ୍ଷରୁ ପିତୃ ଶ୍ରାଦ୍ଧ ପାଇଁ ସମସ୍ତ ସହଯୋଗ କରାଯାଉଛି। ବିନ୍ଦୁସାଗର ଉତ୍ତରେଶ୍ୱର ଘାଟଠାରୁ ପୂର୍ବ ଘାଟ ପର୍ଯ୍ୟନ୍ତ ବହୁ ବ୍ରାହ୍ମଣ ପିଣ୍ଡଦାନ ପାଇଁ ପୂଜା କରିବେ। ସେହିଭଳି ସେଠାରେ ପିଣ୍ଡଦାନ ପୂଜା ଉପକରଣ ମଧ୍ୟ ବିକ୍ରି କରାଯାଉଛି।
ପଣ୍ଡିତ ଗୋପୀନାଥ କରଙ୍କ କହିବା ଅନୁଯାୟୀ ଏକାମ୍ର କ୍ଷେତ୍ରରେ ବିନ୍ଦୁସାଗର କୂଳ ଓ ସାମନ୍ତରାପୁର ସୂକ୍ଷ୍ମେଶ୍ୱର ମନ୍ଦିର ନିକଟ ଗୟା କୁଣ୍ଡରେ ପିଣ୍ଡ ଦାନ କରିବାର ବିଧି ରହିଛି। ଆଶ୍ୱିନ ମାସ ପ୍ରଥମ ଦିନରୁ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ପତୃ ପୁରଷଙ୍କୁ ପିଣ୍ଡଦାନ ବା ମହାଳୟା ଶ୍ରାଦ୍ଧ ଦିଆଯାଏ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ ପୁଷ୍କରିଣୀ, ଇନ୍ଦ୍ରଦ୍ୟୁମ୍ନ, ଶ୍ରୀମନ୍ଦିରର ବାଇଶି ପାହାଚ ଓ ଯାଜପୁରର ନାଭିଗୟା ପରି ସ୍ଥାନରେ ଏହି ଶ୍ରାଦ୍ଧ ଦିଆଯିବା ବିଧି ରହିଛି। ସେହିଭଳି ଏକାମ୍ର କ୍ଷେତ୍ରର ବିନ୍ଦୁସାଗର କୂଳ ଓ ସୂକ୍ଷ୍ମେଶ୍ୱର ମନ୍ଦିର ଗୟା କୁଣ୍ଡରେ ବି ଶ୍ରାଦ୍ଧ ଦେବା ବିଧି ରହିଛି। ପୂଜାପଣ୍ଡା ନିଯୋଗର କାଶୀନାଥ ପୂଜାପଣ୍ଡାଙ୍କ ମତ ଅନୁଯାୟୀ ବର୍ତ୍ତମାନ ମହାପ୍ରଭୁଙ୍କ ଶୟନ କାଳ ଚାଲିଛି। ଶୟନ ଚତୁର୍ଦଶୀ ତିଥିରୁ ଉତ୍ଥାପନ ଚତୁର୍ଦଶୀ ତିଥି ପର୍ଯ୍ୟନ୍ତ ୪ ମାସ କାଳ ବିବାହ, ବ୍ରତ, ଗୃହ ପ୍ରବେଶ ଆଦି ଶୁଭ କାର୍ଯ୍ୟ ହୁଏ ନାହିଁ। ପୁଣି ଏହି ସମୟରେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ଥାଏ। ତେଣୁ ପିତୃକାର୍ଯ୍ୟ କରଣୀୟ ବୋଲି କର୍ମକାଣ୍ଡରେ ବ୍ୟବସ୍ଥା ରହିଛି। ପୂଜକ ଟିକିନା ଦାଶ କୁହନ୍ତି ଯେ ଲୋକେ ଗଙ୍ଗା ଗୟା, ପୁରୀରେ ପିଣ୍ଡଦାନ କରିବା ଯାହା ଏକାମ୍ର କ୍ଷେତ୍ର ବିନ୍ଦୁସାଗର କୂଳ ଓ ସାମନ୍ତରାପୁର ସୂକ୍ଷ୍ମେଶ୍ୱର ମନ୍ଦିର ନିକଟ ଗୟା କୁଣ୍ଡରେ ପିଣ୍ଡଦାନ କରିବା ମଧ୍ୟ ସେୟା। ଏସବୁ ପିଣ୍ଡଦାନ ସ୍ଥଳ ବିଷୟରେ ଶାସ୍ତ୍ରରେ ଉଲ୍ଲେଖ ରହିଛି।