ଆଇଏଲ୍‌ଏସ୍‌ରେ ବାୟୋ-ଇନ୍‌କ୍ୟୁବେସନ ସେଣ୍ଟର୍‌ ଗବେଷଣା ଓ ଉଦ୍ଭାବନକୁ ଆଗକୁ ନେବ : ମୁଖ୍ୟମନ୍ତ୍ରୀ

Advertisment
ଆଇଏଲ୍‌ଏସ୍‌ରେ ବାୟୋ-ଇନ୍‌କ୍ୟୁବେସନ ସେଣ୍ଟର୍‌ ଗବେଷଣା ଓ ଉଦ୍ଭାବନକୁ ଆଗକୁ ନେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍(ଆଇଏଲ୍ଏସ୍) ଦ୍ବାରା ପ୍ରତିଷ୍ଠା ହୋଇଥିବା ବାୟୋ-ଇନ୍‌କ୍ୟୁବେସନ ସେଣ୍ଟର୍‌ ଜୀବ ବିଜ୍ଞାନ ଗବେଷଣା କ୍ଷେତ୍ରରେ ବେଶ ସହାୟକ ହେବ। ଆଇଏଲ୍ଏସ୍ ଓଡ଼ିଶାର ପ୍ରମୁଖ ଗବେଷଣା ପ୍ରତିଷ୍ଠାନରେ ପରିଣତ ହେବା ସହ କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ସହାୟକ ହୋଇଛି। ଏବେ ସୁଦ୍ଧା ୧ ଲକ୍ଷ ୬୦ ହଜାରରୁ ଅଧିକ କୋଭିଡ୍‌ ‌ଟେଷ୍ଟ କରାଯାଇଛି। ଯାହାକି ଏକ ରେକର୍ଡ। ବାୟୋ-ଇନ୍‌କ୍ୟୁବେସନ ସେଣ୍ଟର ଦ୍ବାରା ସ୍ବାସ୍ଥ୍ୟ, ଭୂତାଣୁ ପରୀକ୍ଷା, ପୁଷ୍ଟିହୀନତା, କୃଷି ଆଦି କ୍ଷେତ୍ରରେ ଅଧିକ ଗବେଷଣା ଓ ପରିଚାଳନା ହୋଇପାରିବ। ଓଡ଼ିଶା ସମେତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଏହାଦ୍ବାରା ଉପକୃତ ହେବେ। ଷ୍ଟାଟ୍‌ଅପ୍ ପ୍ରତିଷ୍ଠାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ଏହି ସେଣ୍ଟର ଗବେଷଣା, ଉଦ୍ଭାବନ, ବାଣିଜ୍ୟିକ କ୍ଷେତ୍ରରେ ଓଡ଼ିଶାକୁ ବହୁ ଆଗକୁ ନେବ। ଯୁବ ଉଦ୍ୟୋଗୀମାନେ ଉପକୃତ ହୋଇପାରିବେ ବୋଲି ଆଇଏଲ୍‌ଏସ୍‌ର ଦ୍ବିତୀୟ କ୍ୟାମ୍ପସରେ ବାୟୋ-ଇନ୍‌କ୍ୟୁବେସନ ସେଣ୍ଟରକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ବାୟୋ-ଟେକ୍ନୋଲୋଜି କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। କେଉଁଠାରେ ହେବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ଥିର ହୋଇ ନ ଥିଲେ ମଧ୍ୟ ବିଜ୍ଞାନ ଉପରେ ଅଧିକ ଗବେଷଣା, ଟେକ୍ନୋଲୋଜିର ବିକାଶ, ଇନ୍‌କ୍ୟୁବେସନ କାର୍ଯ୍ୟକଳାପକୁ ବୃଦ୍ଧି କରିବ। ବାୟୋ-ଇନକ୍ୟୁବେଟର ସ୍ଥାପନାର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକରେ ବାୟୋ-ଟେକ୍ନୋଲୋଜି ଷ୍ଟାଟ୍‌ଅପ୍‌ ପରିବେଶ ସୃଷ୍ଟି କରିବା। ବାୟୋ-ଇନକ୍ୟୁବେସନ ଉଦ୍ୟୋଗୀ ସାମର୍ଥ୍ୟକୁ ବ୍ୟବହାର କରିବାକୁ ଅନୁମତି ପ୍ରଦାନ, ଭିତ୍ତିଭୂମି, ମେଣ୍ଟରିଂ ଓ ନେଟୱର୍କିଂ ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରି ଷ୍ଟାର୍ଟଅପ୍‌କୁ ନୂତନ ଦିଗରେ ବ୍ୟବହାର କରିବା। ବିଜ୍ଞାନକୁ ପ୍ରାଥମିକତା ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ସାଇନ୍ସ ସେଣ୍ଟର ଓ ପ୍ଲାନିଟୋରିୟମ୍‌ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କ ବାୟୋ-ଟେକ୍ନୋଲୋଜି ବିଭାଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଓ ବିଆଇଆରଏସିର ମିଳିତ ସହଯୋଗରେ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ଏହି ସେଣ୍ଟର ପ୍ରତିଷ୍ଠା ହୋଇଛି। କୃଷି, ସ୍ୱାସ୍ଥ୍ୟ ସେବା, ନିରାକରଣ, ଉପକରଣ, ମୂଲ୍ୟ ଯୋଗ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଗବେଷଣା କରିବା ପାଇଁ ସମସ୍ତ ପ୍ରକାର ବୈଜ୍ଞାନିକ ଉପକରଣ ଏଠାରେ ରହିବ। ଏହି ସେଣ୍ଟରରେ ଯୋଗଦେବା ଲାଗି ୧୦ ଜଣ ଉଦ୍ୟୋଗୀଙ୍କୁ ଚୟନ କରାଯାଇଥିବା ଆଇଏଲ୍‌ଏସ୍‌ ନିର୍ଦେଶକ ଅଜୟ ପରିଡ଼ା କହିଛନ୍ତି। କାର୍ଯ୍ୟକ୍ରମରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ସନ୍ତୋଷ ଷଡ଼ଙ୍ଗୀ ଯୋଗଦେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନୁସନ୍ଧାନ ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବାୟୋ-ଟେକ୍ନୋଲୋଜି ନୀତି ପ୍ରସ୍ତୁତ ହୋଇଥିବା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଆଇଆରଏସିର ମନୀଷ ଦିୱାନ୍, ଆଇଏଲ୍‌ଏସ୍‌ର ସିଓଓ ନିବେଦିତା ଜେନା ପ୍ରମୁଖ ଯୋଗଦେଇ ସେଣ୍ଟର ପ୍ରତିଷ୍ଠାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe