ରାସନ ଯୋଗାଣରେ ବାୟୋମେଟ୍ରିକ୍‌କୁ ବିରୋଧ: ହିତାଧିକାରୀ କଲବଲ, ରିଟେଲର ଅମଙ୍ଗ

ରାସନ ଯୋଗାଣରେ ବାୟୋମେଟ୍ରିକ୍‌କୁ ବିରୋଧ: ହିତାଧିକାରୀ କଲବଲ, ରିଟେଲର ଅମଙ୍ଗ

(FILES) This file photo taken on January 18, 2017 shows an Indian visitor giving a thumb impression to withdraw money from his bank account with his Aadhaar or Unique Identification (UID) card during a Digi Dhan Mela, held to promote digital payment, in Hyderabad. India's Supreme Court ruled August 24 that citizens have a constitutional right to privacy, a landmark verdict that could have wide-reaching implications for the government's biometric programme which holds data on over one billion people. / AFP PHOTO / Noah SEELAM

ଭୁବନେଶ୍ବର: ମାସ ଅଧା ହେବାକୁ ବସିଲାଣି, କିନ୍ତୁ ଏପର୍ଯ୍ୟନ୍ତ ଲୋକଙ୍କୁ ରାସନ ସାମଗ୍ରୀ ମିଳିପାରିନି। ସରକାର ଜୁଲାଇ ଓ ଅଗଷ୍ଟ ମାସର ରାସନ ଦେବାକୁ ନିର୍ଦେଶ ଦେଇଥିଲେ ହେଁ ପୁଣି ବାୟୋମେଟ୍ରିକ୍‌ ବ୍ୟବସ୍ଥାର ପ୍ରଚଳନ ଆରମ୍ଭ ପାଇଁ କହିବା ପରେ ରାସନ ଦେବାକୁ ରିଟେଲରମାନେ ଅମଙ୍ଗ ହୋଇଛନ୍ତି। ଫଳରେ ରାଜଧାନୀର ପାଖାପାଖି ୧ଲକ୍ଷ ୨ହଜାର ହିତାଧିକାରୀ ରାସନ ସାମଗ୍ରୀ ପାଇପାରୁନାହାନ୍ତି। ଗତ ଏପ୍ରିଲ୍‌, ମେ ଓ ଜୁନ୍‌ ମାସର ରାସନ ବିନା ବାୟୋମେଟ୍ରିକରେ ଦେବାକୁ ସରକାର ନିର୍ଦେଶ ଦେଇଥିଲେ। ଅଥଚ ପୁଣି ବାୟୋମେଟ୍ରିକ୍‌ର ବ୍ୟବହାର କରିବାକୁ ନିର୍ଦେଶ ଦେବା ପରେ ସରକାରୀ ରାସନ ଯୋଗାଣ ଷ୍ଟୋର୍‌ର ରିଟେଲରମାନେ ଏହାକୁ ଗ୍ରହଣ କରିପାରିନାହାନ୍ତି। ଗୋଟେ ପଟେ ସରକାରଙ୍କ ନିର୍ଦେଶ ଏବଂ ଅନ୍ୟ ପଟେ କରୋନାରେ ଆକ୍ରାନ୍ତ ହେବା ଭୟରେ ରିଟେଲରମାନେ ସାମଗ୍ରୀ ଦେଉନଥିବା ବିବାଦରେ ଫସିଯାଇଛନ୍ତି ହିତାଧିକାରୀ।

ରିଟେଲରମାନଙ୍କ ନିକଟରେ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ପିଡିଏସ ସାମଗ୍ରୀ ମହଜୁଦ ରହିଛି। ଜୁଲାଇ ୧ ତାରିଖ ପରଠୁ ଏହା ହିତାଧିକାରୀଙ୍କୁ ଦିଆଯିବା କଥା କିନ୍ତୁ ୧୧ ଦିନ ପରେ ମଧ୍ୟ ଯୋଗାଣ ବନ୍ଦ। ଏଣେ ସରକାରୀ ସୂତ୍ରରୁ ମିଳୁଥିବା ଟଙ୍କିକିଆ ଚାଉଳ, ଗହମ ଓ କିରାସିନି ଉପରେ ନିର୍ଭରଶୀଳ ଲକ୍ଷାଧିକ ପରିବାର ରାସନ ନେବାକୁ ଚାହିଁ ବସିଛନ୍ତି। ରାଜଧାନୀର ବିଭିନ୍ନ ବସ୍ତିରେ ଶ୍ରମଜୀବୀଙ୍କଠୁ ନେଇ ସ୍ବଳ୍ପ ରୋଜଗାର ଥିବା ବ୍ୟକ୍ତିବିଶେଷ ଚାଉଳ ପାଇଁ ମାସ ଆରମ୍ଭକୁ ଅପେକ୍ଷା କରିଥାଆନ୍ତି। କରୋନା ଯେଭଳି କାୟା ମେଲାଉଛି, ଏ ସମୟରେ କେହି ଘରୁ ବାହାରିବାକୁ ନାରାଜ। କାମଧନ୍ଦା ବନ୍ଦ ଥିବାରୁ ଲକ୍ଷାଧିକ ପରିବାରର ପେଟର ଭୋକ ମେଣ୍ଟାଇବାରେ ଏହି ଚାଉଳ ଓ ଅନ୍ୟ ପିଡିଏସ ସାମଗ୍ରୀ ହିଁ ମୁଖ୍ୟ ଭୂମିକା ନେଇଛି। ମାତ୍ର ଏହା ଏପର୍ଯ୍ୟନ୍ତ ମିଳିନଥିବାରୁ ହିତାଧିକାରୀମାନେ ଚିନ୍ତାରେ ପଡ଼ିଲେଣି। ସରକାରୀ ନିର୍ଦେଶ ଓ ରିଟେଲରମାନଙ୍କ ଅଭିଯୋଗର ଅଡ଼ୁଆ ଯୋଗୁଁ ଚାଉଳ ଗଣ୍ଡେ ପାଇଁ ଧନ୍ଦି ହେଉଛନ୍ତି ହିତାଧିକାରୀ। ମିଳିଥିବା ସୂଚନା ମୁତାବକ ରାଜଧାନୀରେ ୧୦୮ଟି ସରକାରୀ ରାସନ ଯୋଗାଣ କେନ୍ଦ୍ର ବା ଷ୍ଟୋର ରହିଛି। ଏଥିରୁ ବିଏମସି ଅଧୀନରେ ବସବାସ କରୁଥିବା ୧ଲକ୍ଷ ୨ହଜାର ପରିବାର ରାସନ ସାମଗ୍ରୀ ନିଅନ୍ତି। ମାତ୍ର ଏବେ ରାସନ ଯୋଗାଣ କେନ୍ଦ୍ରରେ ତାଲା ଝୁଲୁଛି। ଉତ୍କଳ ରିଟେଲର ଆସୋସିଏସନ୍‌, ବିଏମ୍‌ସି ଅଧୀନ ଶାଖାର ଉପଦେଷ୍ଟା ଦାମୋଦର ସାହୁଙ୍କ କହିବା ମୁତାବକ, ଯେବେ କରୋନା ଆରମ୍ଭ ହେଉଥିଲା, ସେତେବେଳେ ସରକାର ସତର୍କତା ଅବଲମ୍ବନ କଲେ। ଏପ୍ରିଲ୍‌ରୁ ଜୁନ୍‌ ପର୍ଯ୍ୟନ୍ତ ୩ ମାସର ରାସନ ସାମଗ୍ରୀ ବିନା ବାୟୋମେଟ୍ରିକ୍‌ରେ ଦେବାକୁ ନିର୍ଦେଶ ଦେଲେ। ଲୋକେ କାର୍ଡ ଦେଖାଇ ରାସନ ନେଇଥିଲେ। ଲୋକଙ୍କୁ ଶାରୀରିକ ଦୂରତା ରକ୍ଷା କରି ଗ୍ଲୋବ୍‌ସ ପରିଧାନ ପୂର୍ବକ ସେମାନଙ୍କଠାରୁ କାର୍ଡ ଆଣି ସେଥିରେ ରାସନ ଦେଲେ। ମାତ୍ର ଏବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପୁଣି ବାୟୋମେଟ୍ରିକ୍‌ରେ ଟିପ ଦେଇ ରାସନ ନେବାକୁ କହିବା ପରେ ଏହା ରିଟେଲରମାନଙ୍କ ମୁଣ୍ଡବିନ୍ଧା କରାଇଛି। ଏବେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଡେଇଁଯାଇଥିବା ବ‌େଳେ ପ୍ରତିଦିନ ୩୦ରୁ ୪୦ କରୋନା ଆକ୍ରାନ୍ତ ହେଉଛନ୍ତି। ଏସବୁ ସତ୍ତ୍ବେ ପୁଣି ବାୟୋମେଟ୍ରିକ୍‌ରେ ରାସନ ଦେବା ପାଇଁ ସରକାର ନିର୍ଦେଶ ଦେବା କେତେ ଯୁକ୍ତି ସଙ୍ଗତ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଯଦି କେହି କରୋନା ଆକ୍ରାନ୍ତ ଟିପ ଚିହ୍ନ ଦିଏ ତେବେ ଆମେ ହିଁ ପରବର୍ତୀ ସମୟରେ ଆକ୍ରାନ୍ତ ହୋଇ ସୁପର‌ ସ୍ପ୍ରେଡର ହେବୁ। ଆମ ପରିବାର ସହ ରାସନ ନେବାକୁ ଆସୁଥିବା ବ୍ୟକ୍ତିମା‌ନଙ୍କ ପରିବାର ବି ଆକ୍ରାନ୍ତ ହେବେ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସରକାର ପୂର୍ବଭଳି ବିନା ବାୟୋମେଟ୍ରିକ୍‌ରେ ରାସନ ସାମଗ୍ରୀ ଦେବାକୁ ଆମମାନଙ୍କୁ ଅନୁମତି ଦିଅନ୍ତୁ।

ବରମୁଣ୍ଡା ଡେଲ୍‌ଟା କଲୋନିର ରାସନ ସାମଗ୍ରୀ ଯୋଗାଣ କେନ୍ଦ୍ରର ରିଟେଲର ବିନୟ ପରିଡ଼ା କହିଛନ୍ତି, ରାସନ ସାମଗ୍ରୀ ଦେବାରେ ଆମର କୌଣସି ସମସ୍ୟା ନାହିଁ। ମାତ୍ର ସରକାର ଆମ ଜୀବନକୁ ବି ଗୁରୁତ୍ବ ଦିଅନ୍ତୁ। ଯଦି ସରକାରୀ ଓ ଅନ୍ୟାନ୍ୟ ଦପ୍ତରରେ ବାୟୋମେଟ୍ରିକ୍ ମେସିନ୍‌ ପ୍ରଚଳନ ବନ୍ଦ ହୋଇପାରିଲା ତେବେ ଆମ କ୍ଷେତ୍ରରେ କାହିଁକି ଏହି ନିୟମ ଲାଗୁ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ମନମାନି ଭିତରେ ଛନ୍ଦି ହୋଇଥିବା ହିତାଧିକାରୀ ‌ଏବେ ରାସନ ସାମଗ୍ରୀ ପାଇଁ ବାରମ୍ବାର ରାସନ ଯେଗାଣ କେନ୍ଦ୍ରକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ଯଥାଶୀଘ୍ର ରାସନ ‌ଯୋଗାଇ ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe