ବିରାଜିବେ ମା’ ଗଜଲକ୍ଷ୍ମୀ: ନିରାଡ଼ମ୍ବରରେ ପାଇବେ ପୂଜା

Advertisment

ମାଉସୀ’ମା ଛକରେ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି, ପୂଜାବିଧିକୁ ପ୍ରଭାବିତ କରିବନି କଟକଣା

ମାଉସୀ’ମା ଛକରେ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି, ପୂଜାବିଧିକୁ ପ୍ରଭାବିତ କରିବନି କଟକଣା

ବିରାଜିବେ ମା’ ଗଜଲକ୍ଷ୍ମୀ: ନିରାଡ଼ମ୍ବରରେ ପାଇବେ ପୂଜା

patrika

ଭୁବନେଶ୍ବର: ଧରାରୁ ମେଲାଣି ନେଲେଣି ମା’ ଦୁର୍ଗା। ପାପୀ ଓ ପାପର ନାଶ ପରେ ଧନଧାନ୍ୟରେ ସମୃଦ୍ଧ କରିବାକୁ ଆସୁଛନ୍ତି ମା’ ଲକ୍ଷ୍ମୀ। ଶାନ୍ତି ପରେ ସମୃଦ୍ଧିକୁ ଆପଣେଇବା ପାଇଁ ରାଜଧାନୀବାସୀ ମଧ୍ୟ ପ୍ରସ୍ତୁତ ହେଲେଣି। ଏଥିପାଇଁ ମା’ ଦୁର୍ଗାଙ୍କ ପରେ ମା’ ଗଜଲକ୍ଷ୍ମୀଙ୍କ ମଣ୍ଡପ ସଜା ହେଲାଣି। କଟକଣା ସତ୍ତ୍ବେ ମା’ଙ୍କ ଆଗମନ ପାଇଁ ରାଜଧାନୀ ଗଳିକନ୍ଦି ବି ଚଳଚଞ୍ଚଳ ହୋଇ ଉଠିଲାଣି। ଏବେ କେବଳ ମା’ଙ୍କ ଆଗମନକୁ ଅପେକ୍ଷା। ମା’ଙ୍କ ଆଗମନ ପାଇଁ ୟୁନିଟ୍‌-୮, ବାପୁଜୀ ନଗର, ଚନ୍ଦ୍ରଶେଖରପୁର, ୟୁନିଟ୍‌-୯ ଭୁବନେଶ୍ୱର ଫ୍ରେଣ୍ଡ୍‌ସ୍‌ କ୍ଲବ, ରିଜିଓନାଲ୍‌ ପୂଜା କମିଟି, ଖଣ୍ଡଗିରି ଆଦିରେ ଥିବା ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଲାଣି। କେବଳ ଏକାମ୍ର କ୍ଷେତ୍ରରେ ମଧ୍ୟ ୨୫ରୁ ଊର୍ଦ୍ଧ୍ବ ସ୍ଥାନରେ ଲକ୍ଷ୍ମୀ ପୂଜା ଆୟୋଜିତ ହେବାକୁ ଯାଉଛି। କିନ୍ତୁ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ସବୁ ମଣ୍ଡପରେ ମା’ଙ୍କ ପୂଜା ନିରାଡ଼ମ୍ବର ହେବ ବୋଲି ଜଣାପଡ଼ିଛି।

ୟୁନିଟ୍‌-୯ ଭୁବନେଶ୍ୱର ଫ୍ରେଣ୍ଡ୍‌ସ୍‌ କ୍ଲବ୍‌, ଏଥର ଗହଣାରେ ଛାଇ ହେବେନି ମା’

ପ୍ରତିବର୍ଷ ଭଳି ଏବର୍ଷ ମା’ ଲକ୍ଷ୍ମୀ ଗହଣାରେ ଛାଇ ହେବେ ନାହିଁ। ମୁଣ୍ଡରେ ଶୋଭା ପାଇବନି ରୁପା ମୁକୁଟ, ପାଦରେ ରୁପା ପାଉଁଜି, ବାହୁରେ ବାହୁଟି, ହାତରେ ଚୁଡ଼ି କି ଅଣ୍ଟାରେ ଅଣ୍ଟାପଟି ପରିଧାନ କରିବେ ନାହିଁ ଧନଦାତ୍ରୀ ମା’ ଲକ୍ଷ୍ମୀ। କରୋନା ଗାଇଡ୍‌ଲାଇନ୍‌କୁ ମାନି ୟୁନିଟ୍‌-୯ ଭୁବନେଶ୍ୱର ଫ୍ରେଣ୍ଡ୍‌ସ କ୍ଲବ୍‌ ପକ୍ଷରୁ ଚଳିତ ବର୍ଷ ନିରାଡ଼ମ୍ବରରେ ମା’ଙ୍କ ପୂଜା ସମାପନ ହେବ। ଏଥର ମା’ ରାଜପ୍ରାସାଦରେ ରାଜରାଣୀ ହୋଇ ନୁହେଁ; କରୋନା କଟକଣା ଯୋଗୁଁ ତିନି ପଟୁ ଆବଦ୍ଧ ହୋଇ ପୂଜା ପାଇବେ। ପୂର୍ବରୁ ସୁଉଚ୍ଚ ଓ ସୁଦୃଶ୍ୟ ତୋରଣ ସହ ୧୦ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିବା ମା’ଙ୍କ ଭବ୍ୟ ପୂଜାରେ ଗତବର୍ଷ ଭଳି ଏଥର ବି ବିରାମ ଲାଗିଛି। ୧୨ ଦିନ ଧରି ହେବାକୁ ଥିବା ଏହି ପୂଜା ଚଳିତ ବର୍ଷ ୩ ଦିନରେ ସୀମିତ ରହିବ। ମଙ୍ଗଳବାର ସଂଧ୍ୟା ୫ଟାରୁ କଳସ ଯାତ୍ରାରୁ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହେବ। ସଂଧ୍ୟା ୭ଟାରୁ ୭ ବ୍ରାହ୍ମଣଙ୍କ ଦ୍ବାରା ମା’ଙ୍କ ଆରାଧନା ଓ ଆବାହନ ଆରମ୍ଭ ହୋଇଯିବ। ମା’ଙ୍କୁ କିନ୍ତୁ ଏଥର ଦହିପଖାଳ ଓ ରାତିରେ ଖିରି ଖେଚୁଡ଼ି ଭୋଗ ଲାଗିବ ନାହିଁ। ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡି ମଧ୍ୟ ଆୟୋଜିତ ହେବ ନାହିଁ। ଆସନ୍ତା ୨୨ରେ ଭସାଣି ପର୍ବ ପାଳିତ ହେବ ବୋଲି କ୍ଲବ୍‌ର ସମ୍ପାଦକ ମାରୁତି ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସହିଦନଗର ଲକ୍ଷ୍ମୀ ପୂଜା କମିଟି, କଟକଣାରେ ହେବ ପୂଜାର୍ଚ୍ଚନା

ସହିଦନଗର ୱିନର୍ସ ଆସୋସିଏସନ୍‌ ପକ୍ଷରୁ ମା’ଙ୍କ ପୂଜା ଅପରାହ୍ନ ସାଢ଼େ ୪ଟାରୁ ଆରମ୍ଭ ହୋଇଯିବ। ମା’ଙ୍କୁ ୩ ପଟୁ ଆବଦ୍ଧ କରି କେବଳ ବିଧି ରକ୍ଷା ପୂର୍ବକ ପୂଜା ହେବ। ମଙ୍ଗଳବାର ରାତି ୯ଟା ମା’ଙ୍କୁ ସଙ୍କୁଡ଼ି ଭୋଗ ଲାଗି ପୂଜା ଶେଷ ହେବ। କୁମାର ପୂର୍ଣ୍ଣିମା ଦିନ ମା’ଙ୍କୁ ଦହିଭାତ ସହ ବହୁ ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ କରାଯିବ। କିନ୍ତୁ କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ପ୍ରସାଦ ବଣ୍ଟନ ବନ୍ଦ ରହିବ। କିନ୍ତୁ ଆଗ ଭଳି ଲକ୍ଷ୍ମୀ ପୂଜା ୭ ଦିନ ଦିବସବ୍ୟାପୀ ପ୍ରବଚନ ଆୟୋ‌ଜିତ ହେବ ନାହିଁ। ତେବେ ମା’ଙ୍କ ଭସାଣି ଯାତ୍ରା ନେଇ କୌଣସି ନିଷ୍ପତ୍ତି ହୋଇନି। ମା’ଙ୍କର ୨/୩ ଦିନ ଆରଧାନା ପରେ ଭସାଣି ହେବ ବୋରଲି କମିଟିର ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି।

କୃଷିବିହାର ଲକ୍ଷ୍ମୀପୂଜା ସମିତି,କୁମାର ପୂର୍ଣ୍ଣିମାରେ ହେବ କୁଆଁରୀ ପୂଜା

କୃଷିବିହାର ଲକ୍ଷ୍ମୀପୂଜା ସମିତିର ମା’ ଗଜଲକ୍ଷ୍ମୀଙ୍କ ପୂଜା ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ନିଆରା ହେବ। ୧୧ ଜଣ କୁଆଁରୀ ଝିଅଙ୍କୁ ବନ୍ଦାବନା କରାଯିବା ସହ ମିଷ୍ଟାନ୍ନରେ ଆପ୍ୟାୟିତ କରାଯିବ। ପ୍ରତିବର୍ଷ ବିନା ଚାନ୍ଦାରେ ପୂଜା କମିଟି ପକ୍ଷରୁ ଆୟୋଜିତ ହୋଉଥିବା ଲକ୍ଷ୍ମୀ ପୂଜାର ଏହା ମୁଖ୍ୟ ଆକର୍ଷଣ ପାଲଟେ। ମଙ୍ଗଳବାର ବରମୁଣ୍ଡା ନୀଳକଣ୍ଠେଶ୍ବର ମନ୍ଦିରରୁ ପାଣି ଉଠାଇ ମା’ଙ୍କ ପୂଜା ଆରମ୍ଭ ହୋଇଯିବ। ୨୨ ତାରିଖ ଦିନ ନିରାଡ଼ମ୍ବରରେ ମା’ଙ୍କ ଭସାଣି ହେବ ବୋଲି କୃଷିବିହାର ଲକ୍ଷ୍ମୀ ପୂଜା ସମିତିର କର୍ମକର୍ତ୍ତା ପ୍ରିୟବ୍ରତ ମଲ୍ଲିକ କହିଛନ୍ତି।

ପୁରୁଣା ଭୁବନେଶ୍ୱର: ଆସନ୍ତା ବୁଧବାର କୁମାର ପୂର୍ଣ୍ଣମୀଠାରୁ ଆରମ୍ଭ ହେଉଛି ପବିତ୍ର ଗଜଲକ୍ଷ୍ମୀ ପୂଜା। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେଣୁ ପୁରୁଣା ଭୁବନେଶ୍ବର ମାଉସୀ’ମା ଛକ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମଧ୍ୟ ସମସ୍ତ ଆୟୋଜନ ହୋଇସାରିଛି। ଦୁର୍ଗାପୂଜା ଭଳି ଗଜଲକ୍ଷ୍ମୀ ପୂଜା କରୋନା କଟକଣାରେ ଅନୁଷ୍ଠିତ ହେବ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ତେଣୁ ମାଉସୀ’ମା ଛକ କମିଟି ପକ୍ଷରୁ ବିଏମ୍‌ସି ମାର୍ଗଦର୍ଶିକା ଅନୁସାରେ ପୂଜା ଅନୁଷ୍ଠିତ ହେବ।
କମିଟି ପକ୍ଷରୁ ମିଳିଥିବା ସୂଚନାନୁସାରେ କଟକଣା ଲାଗି ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ସେହିଭଳି କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ। ଭସାଣ କାର୍ଯ୍ୟକ୍ରମ ବି ବନ୍ଦ ରହିବ। କିନ୍ତୁ କଟକଣା ପୂଜା ବିଧିକୁ ପ୍ରଭାବିତ କରିବ ନାହିଁ। ମଣ୍ଡପରେ ମା’ଙ୍କ ପ୍ରତିମା ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ପାଇବେ। ମା’ଙ୍କ ପୂଜାରେ କେବଳ ଦେଶୀ ଗୁଆ ଘିଅ ବ୍ୟବହାର କରାଯିବ। ହୋମଯଜ୍ଞରେ ଗୁଆ ଘିଅ ଆହୁତି ଦିଆଯିବ। ଏଥିପାଇଁ ୧୦ କେଜି ଗୁଆ ଘିଅ ବରାଦ କରାଯାଇଛି। କୁମାର ପୂର୍ଣ୍ଣମୀ ତିଥିରେ ବିନ୍ଦୁସାଗରରୁ ତୀର୍ଥ ଜଳ କଳସ ଆସିବା ପରେ ପୂଜା ଆରମ୍ଭ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ପୂଜା କମିଟି ସଭାପତି କ୍ୟାପ୍‌ଟେନ୍‌ ମନ୍ମଥ କୁମାର ରାଉତରାୟଙ୍କ କହିବା କଥା ପୂଜା ବିଧିକୁ ଅଧିକ ଗୁରୁତ୍ବ ଦିଆଯିବ। କଟକଣା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରାଯାଉଛି। ମଣ୍ଡପରେ ଶ୍ରଦ୍ଧାଳୁ ଦର୍ଶନ ଉପରେ ରୋକ୍ ଲଗାଯାଇଥିବାରୁ ସେମାନଙ୍କ ନିକଟରେ ପ୍ରସାଦ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ଉପସଭାପତି ଗଦାଧର ଦାସଙ୍କ ସୂଚନାନୁସାରେ ପୂଜା ମଣ୍ଡପରେ ପୂଜା ବିଧି ପାଳିତ ହେବା ସହ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମ କରାଯିବ। ସାମାଜିକ ଅନୁ‌ଷ୍ଠାନ ସହଯୋଗରେ ଉକ୍ତ ଛକ ଦେଇ ଯାଉଥିବା ଲୋକଙ୍କୁ ମାସ୍କ ବଣ୍ଟନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe