ନନ୍ଦନକାନନକୁ ବାର୍ଡଫ୍ଲୁ ଭୟ: ପର୍ଯ୍ୟଟକଙ୍କୁ ପକ୍ଷୀବିହାର ମନା

ଦୈନନ୍ଦିନ ସିଜେଡ୍‌ଏକୁ ରିପୋର୍ଟ ଦେବାକୁ କେନ୍ଦ୍ରର ନିର୍ଦ୍ଦେଶ

ନନ୍ଦନକାନନକୁ ବାର୍ଡଫ୍ଲୁ ଭୟ: ପର୍ଯ୍ୟଟକଙ୍କୁ ପକ୍ଷୀବିହାର ମନା

ନୂଆଦିଲ୍ଲୀ/ବାରଙ୍ଗ: ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣର ଖବର ନ ଥିଲେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସତର୍କତା ଅବଲମ୍ବନ କରିଛନ୍ତି। ତେଣୁ ଆଜିଠାରୁ ପ୍ରାଣୀ ଉଦ୍ୟାନ ପରିସରକୁ ଲାଗି ରହିଥିବା ଚଲାପଥ ମୁକ୍ତ ପକ୍ଷୀ ବିହାରକୁ ବନ୍ଦ କରାଯାଇଛି। ଏହା ଭିତରକୁ କୌଣସି ପର୍ଯ୍ୟଟକଙ୍କୁ ଯିବା ପାଇଁ ନିଷେଧ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ପକ୍ଷୀ ବିହାରକୁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଏବେ ଦେଶର ବିଭିନ୍ନ ରାଜ୍ୟରେ ବାର୍ଡଫ୍ଲୁ ବ୍ୟାପିଛି। ତେଣୁ ନନ୍ଦନକାନନକୁ ବାର୍ଡ ଫ୍ଲୁ ଭୟ ଘାରିଛି। ଓଡ଼ିଶାରେ ଏହି ସଂକ୍ରମଣ ହୋଇଥିବା ଜଣାପଡ଼ିନଥିଲେ ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା ଜରୁରି ହୋଇପଡ଼ିଛି। ତେଣୁ ଆଗୁଆ ପଦ‌କ୍ଷେପ ସ୍ବରୂପ ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଚଲାପଥ ମୁକ୍ତ ପକ୍ଷୀ ବିହାର ମଧ୍ୟରେ ପର୍ଯ୍ୟଟକମାନେ ଅତି ନିକଟରୁ ପକ୍ଷୀଙ୍କୁ ଦେଖୁଥିବା ଓ ସେମାନଙ୍କ ସଂସ୍ପର୍ଶରେ ଆସୁଥିବାରୁ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ଏହି ବିହାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ତେବେ ପର୍ଯ୍ୟଟକଙ୍କ ଲାଗି ପୂର୍ବରୁ ଥିବା ଅନ୍ୟ ସମସ୍ତ ସୁବିଧା ଅପରିବର୍ତ୍ତିତ ରହିଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

publive-image

ଅନ୍ୟପକ୍ଷରେ ଦେଶର ୯ଟି ରାଜ୍ୟରେ ବାର୍ଡ ଫ୍ଲୁ କାୟା ବିସ୍ତାର କରିଥିବା ବେଳେ ଏହାକୁ କିଭଳି ନିୟନ୍ତ୍ରିତ କରାଯାଇପାରିବ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶାର ନନ୍ଦନକାନନ ଚିଡ଼ିଆଖାନା ସମେତ ଦେଶର ୧୮ଟି ଚିଡ଼ିଆଖାନାକୁ ବାର୍ଡ ଫ୍ଲୁ ସଂପର୍କରେ ସେଣ୍ଟ୍ରାଲ ଜୁ ଅଥିରିଟିକୁ ଦୈନନ୍ଦିନ ଚିଡ଼ିଆଖାନାଗୁଡିକର ପରିଚାଳନା ସଂପର୍କିତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେତେ ଦିନ ପର୍ଯ୍ୟନ୍ତ ସେମାନଙ୍କର ଇଲାକାଗୁଡ଼ିକୁ ରୋଗମୁକ୍ତ ବୋଲି ଘୋଷଣା କରାଯାଇନାହିଁ ସେତେ ଦିନ ପର୍ଯ୍ୟନ୍ତ ରିପୋର୍ଟ ଦେବା ପାଇଁ କୁହାଯାଇଛି। ଚିଡ଼ିଆଖାନାଗୁଡ଼ିକର ପରିଚାଳନାକୁ ନେଇ ନଜର ରଖିବା, ତଥା ଚିଡ଼ିଆଖାନାକୁ ପ୍ରବେଶ କରୁଥିବା ବାହାନଗୁଡ଼ିକର ସାନିଟାଇଜ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ପ୍ରତିହତ ପାଇଁ ନିୟମିତ ବିଶୋଧନ ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe