‘ସମୟର ଆହ୍ବାନ ଓ ଆବଶ୍ୟକତାକୁ ଆଧାର କରି ନିଜକୁ ଗଢ଼’

Advertisment

ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ପ୍ରଥମ ସମାବର୍ତ୍ତନ ଉତ୍ସବ

ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ପ୍ରଥମ ସମାବର୍ତ୍ତନ ଉତ୍ସବ

‘ସମୟର ଆହ୍ବାନ ଓ ଆବଶ୍ୟକତାକୁ ଆଧାର କରି ନିଜକୁ ଗଢ଼’

ଭୁବନେଶ୍ବର : ସମୟ ବଦଳୁଛି। ଏହି ପରିବର୍ତ୍ତନକୁ ସ୍ବୀକାର କରି ସେଥି ପାଇଁ ପ୍ରସ୍ତୁତ ରହିବା ଦରକାର। ଆଗାମୀ ସମୟର ଆହ୍ବାନ ଓ ଆବଶ୍ୟକତାକୁ ଆଧାର କରି ନିଜକୁ ଗଢ଼ିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ଗୋଠପାଟଣାସ୍ଥିତ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି (ବିଜିୟୁ)ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଲାଲ ଯୋଗ ଦେଇ କହିଥିଲେ, ବିଶ୍ବବିଦ୍ୟାଳୟ ଓ ବ୍ରହ୍ମାଣ୍ଡ ମଧ୍ୟରେ ସମ୍ପର୍କ ରହିଛି। ଏହା ହେଉଛି ବିଶ୍ବ ଓ ବ୍ରହ୍ମାଣ୍ଡର ସମ୍ପର୍କ, ଚେତନା ଓ ମହାଚେତନାର ସମ୍ପର୍କ। ପ୍ରତ୍ୟେକ ବ୍ୟକ୍ତି ଅନନ୍ତ ସମ୍ଭାବନାର ଧାରକ। ଏହାକୁ ଆବିଷ୍କାର କରି ସେ ଦିଗରେ ନିଜର ଉତ୍ତରଣକୁ ଆଗେଇ ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ବିଶ୍ବଦ୍ୟାଳୟର ବୋର୍ଡ ଅଫ୍ ଗଭର୍ଣ୍ଣସ ସଦସ୍ୟ ବିକାଶ କାଣ୍ଡୋଇ ଛାତ୍ରଛାତ୍ରୀଙ୍କୁ ନିଜ କାର୍ଯ୍ୟଦକ୍ଷତା ବଢ଼ାଇବାକୁ ନିରନ୍ତର ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଗ୍ରେଟର୍ ନୋଏଡ଼ାସ୍ଥିତ ବିମ୍‌ଟେକ୍‌ର ନିର୍ଦ୍ଦେଶକ ହରିବଂଶ ଚତୁର୍ବେଦୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ‌ଥିଲେ। ବିଶ୍ବବିଦ୍ୟାଳୟର କୁଳସଚିବ ପ୍ରଫେସର ବି କେ ଦାସଙ୍କ ଦ୍ବାରା ପରିଚାଳିତ ଏହି ସମାବର୍ତ୍ତନ ଉତ୍ସବରେ କୁଳପତି ପ୍ରଫେସର ସୁଧାକର ପଣ୍ଡା ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ କୁଳାଧିପତି ଏମ୍‌ବିଏ ଓ ଏମ୍‌ଜେଏମ୍‌ସିର କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ବିର୍ଲା ସ୍କୁଲ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ର ଡିନ୍ ପ୍ରଫେସର ପି ନାୟକ ଓ ବିର୍ଲା ସ୍କୁଲ୍‌ ଅଫ୍‌ କମ୍ୟୁନିକେସନ୍‌ର ମୁଖ୍ୟ ପ୍ରଫେସର ଶିବ ଶଙ୍କର ଦାସ ରାଜ୍ୟପାଳଙ୍କୁ କୃତୀ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରଦାନ କରିଥିଲେ। ବିମ୍‌ଟେକ୍ ଡିନ୍ (ଗବେଷଣା) ଅରୁଣାଦିତ୍ୟ ସହାୟ, ବାଣିଜ୍ୟ ବିଭାଗର ଡିନ୍ ପ୍ରଫେସର ସାମ୍‌ସନ୍ ମହାରଣା, ସ୍କୁଲ୍‌ ଅଫ୍ ଲ’ ଡିନ୍ ପ୍ରଫେସର ଲଳିତ ଦେବ, ପ୍ରଫେସର ଶରତ ଆଚାର୍ଯ୍ୟ ଓ ପ୍ରଫେସର ବିମଳ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe