ଚନ୍ଦ୍ରଶେଖରପୁର: ସବୁବେଳେ ମଣିଷକୁ ପ୍ରକୃତି ସହ ବଞ୍ଚିବାକୁ ପଡ଼ିବ। ପ୍ରକୃତି କୋଳରୁ ବଞ୍ଚିତ ହୋଇ ମଣିଷ ସମାଜ ତିଷ୍ଠିବା ଅସମ୍ଭବ। ପ୍ରକୃତି ସହ ବଞ୍ଚିବାର କଳା ଓ କୌଶଳ କେବଳ ଜନଜାତିଙ୍କ ନିକଟରେ ରହିଛି। ତେଣୁ ଜନଜାତିଙ୍କଠାରୁ ଏହି କଳା ଶିଖିବା ଆବଶ୍ୟକ। ଆଜି କିସ୍ରେ ଜନଜାତୀୟ ଗୌରବ ଦିବସ ତଥା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ ଏଭଳି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ଓ ସଂସ୍କୃତି (ରାଷ୍ଟ୍ର)ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍।
ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସ ବାବଦରେ କହିବାକୁ ଯାଇ ଶ୍ରୀ ମେଘୱାଲ୍ ଆହୁରି କହିଲେ ଯେ ସ୍ୱାଧୀନତା ସଂଗ୍ରାମରେ ବିର୍ସା ମୁଣ୍ଡାଙ୍କ ଉଲ୍ଲେଖନୀୟ ଅବଦାନ ଥିଲା। ଇଂରେଜମାନଙ୍କ ଶୋଷଣ ନୀତି ବିରୋଧରେ ଜନଜାତି ସମୁଦାୟକୁ ଜାଗ୍ରତ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଜନଜାତିମାନଙ୍କ ବିକାଶ ପାଇଁ ବହୁ କାମ କରୁଥିବାରୁ ସେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବିର୍ସା ମୁଣ୍ଡାଙ୍କ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ।
ବିର୍ସା ମୁଣ୍ଡାଙ୍କ ସେବା ଓ ସଂସ୍କାରମୂଳକ କାର୍ଯ୍ୟ ପାଇଁ ଜନଜାତିମାନେ ତାଙ୍କୁ ଭଗବାନ ଭାବେ ପୂଜା କରୁଥିଲେ ବୋଲି ସେ କହିଥିଲେ। କେନ୍ଦ୍ର ସଂସ୍କୃତି ବିଭାଗ ଯୁଗ୍ମ ସଚିବ ଉମା ନନ୍ଦୁରୀ କିସ୍ ଭଳି ଜନଜାତି ଅନୁଷ୍ଠାନରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଥିବାରୁ ବେଶ୍ ଆନନ୍ଦିତ ବୋଲି କହିଥିଲେ। ଏହି ଅବସରରେ ସେ କେନ୍ଦ୍ର ସଂସ୍କୃତି ବିଭାଗ ସହଯୋଗରେ କିସ୍ରେ ଜାତୀୟ ଜନଜାତି କ୍ରୀଡ଼ା ମହୋତ୍ସବ ଆୟୋଜନ କରିବା ପାଇଁ କିସ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ସସ୍ମିତାରାଣୀ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କିସ୍ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଦୀପକ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ କିସ୍ କୁଳସଚିବ ଡ. ପି.କେ ରାଉତରାୟ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଓ ଜନଜାତି କଳାକାରଙ୍କ ଦ୍ୱାରା କୁଭି, ଧରୁଆ, ଗଦଭା, ସାନ୍ତାଳୀ, ଦେଶିଆ, ଢେମସା ଓ ଲୋକଗୀତ ପରିବେଷଣ କରାଯାଇଥିଲା।
  
 Follow Us