ବସ୍ତି ଭୋଟ୍‌ ପାଇବାକୁ କସରତ: ବିଜେଡି ଓ ବିଜେପି ପ୍ରାର୍ଥୀ ବୁହାଉଛନ୍ତି ଝାଳ

Advertisment

ଉତ୍ତରରେ ଅଧିକ ବସ୍ତି ଭୋଟର, ତା’ପଛକୁ ମଧ୍ୟ

ଉତ୍ତରରେ ଅଧିକ ବସ୍ତି ଭୋଟର, ତା’ପଛକୁ ମଧ୍ୟ

ଆଠମଲ୍ଲିକ‌ ବିଧାନସଭା: ବିଜେଡି ସହ ବିଜୁ-ବିଜେପିର ମୁକାବିଲା

ଭୁବନେଶ୍ବର: ସରଗରମ ପ୍ରଚାର ମଇଦାନ। ନିଜ ସପକ୍ଷରେ ଭୋଟ୍ ହାତେଇବାକୁ ପ୍ରାର୍ଥୀମାନେ ଦିନରାତି ଏକ କରିଦେଇଛନ୍ତି। ହାତରେ ଆଉ ମାତ୍ର ୪ଦିନର ପ୍ରଚାର ବାକି ଥିବାରୁ ବିଧାୟକ ପ୍ରାର୍ଥୀମାନେ ଦିନକୁ ୧୪ରୁ ୧୬ ଘଣ୍ଟା ପ୍ରଚାର ମଇଦାନରେ କାଟୁଛନ୍ତି। କର୍ପୋରେଟର ଓ ୱାର୍ଡସ୍ତରୀୟ ନେତାମାନେ କେଉଁ ଅଞ୍ଚଳରେ କେତେ ଭୋଟର ଅଛନ୍ତି, କେଉଁ ବର୍ଗର ଅଛନ୍ତି ତାହାର ତାଲିକା ଧରି ବୁଲୁଛନ୍ତି। ତେବେ ପ୍ରତି ନିର୍ବାଚନରେ ଭୁବନେଶ୍ବରରେ ମତଦାନ ହାର କମ୍ ରହୁଥିବାରୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ଟାର୍ଗେଟରେ ଏବେ ବସ୍ତି ଭୋଟର ରହିଛନ୍ତି। ୬୭ଟି ୱାର୍ଡରେ ଅଢ଼େଇ ଲକ୍ଷରୁ ଅଧିକ ବସ୍ତି ଭୋଟର ଥିବାରୁ ସବୁ ପ୍ରାର୍ଥୀଙ୍କର ନଜର ଏବେ ଏମାନଙ୍କ ଉପରେ ରହିଛି। ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅଧୀନ ୱାର୍ଡଗୁଡ଼ିକରେ ୭ ଲକ୍ଷରୁ ଅଧିକ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ଅଢ଼େଇ ଲକ୍ଷ ଭୋଟର କେବଳ ବସ୍ତି ଅଞ୍ଚଳରେ ରହୁଛନ୍ତି। ଏମିତିରେ ଭୁବନେଶ୍ବରରେ ମତଦାନ ହାର ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ କମ୍। ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ବରରେ ମତଦାନ ହାର ମାତ୍ର ୪୫% ରହିଥିଲା। ସେଥିମଧ୍ୟରୁ ଅଧିକାଂଶ ବସ୍ତି ଅଞ୍ଚଳର ଅଧିକାଂଶ ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ। ୨୦୨୨ ପୌର ନିର୍ବାଚନରେ ମଧ୍ୟ ଭୁବନେଶ୍ବରରେ ମତଦାନ ହାର ୫୦%ରୁ କମ୍‌ ରହିଥିଲା। ରାଜଧାନୀରେ ବହୁ ଶିକ୍ଷିତ ଭୋଟର ମତଦାନଠାରୁ ଦୂରେଇ ରହୁଥିବାରୁ ପ୍ରାର୍ଥୀଙ୍କ ଭରସା ଏବେ କେବଳ ବସ୍ତିବାସିନ୍ଦାଙ୍କ ଉପରେ। କାରଣ ବସ୍ତି ଭୋଟରଙ୍କ ମତଦାନ ହାର ୮୦%ରୁ ଅଧିକ ରହୁଛି। ପ୍ରାର୍ଥୀମାନଙ୍କର ଦିନକୁ ଯେତୋଟି ଶୋଭାଯାତ୍ରା, ସାଧାରଣ ସଭା ହେଉଛି ସେଥିରୁ ଦୁଇରୁ ତିନିଟି ବସ୍ତି କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ କରୁଛନ୍ତି। ବସ୍ତି ଭୋଟରଙ୍କୁ କେମିତି ହାତେଇବେ ସେଥିପାଇଁ ପ୍ରାର୍ଥୀମାନେ ବିଭିନ୍ନ ଏଜେଣ୍ଡା ମଧ୍ୟ ପ୍ରସ୍ତୁତ କରିଛନ୍ତି।

ବିଜେଡି ଓ ବିଜେପି ପ୍ରାର୍ଥୀ ବୁହାଉଛନ୍ତି ଝାଳ
ଉତ୍ତରରେ ଅଧିକ ବସ୍ତି ଭୋଟର, ତା’ପଛକୁ ମଧ୍ୟ
ପ୍ରତିଶ୍ରୁତି ଅଜାଡ଼ି ଦେଉଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ

ତିନିଟି ଯାକ ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ପ୍ରାର୍ଥୀମାନେ ଏବେ ପ୍ରଚାର ମଇଦାନକୁ ଅଧିକ ସରଗରମ କରିଛନ୍ତି। ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ବସ୍ତି ବାସିନ୍ଦାଙ୍କୁ ପକ୍କା ଘର, ଜମି ପଟ୍ଟା, ବିଦ୍ୟୁତ ସଂଯୋଗ, ବିଶୁଦ୍ଧ ପିଇବା ପାଣି, ଚକାଚକ୍ ରାସ୍ତା, ସରକାରୀ ଭତ୍ତା ଯୋଗାଇବାକୁ ପ୍ରତିଶ୍ରୁତି ଦେଉଛନ୍ତି। ବସ୍ତି ନିକଟରେ ଥିବା ଚା’ ଦୋକାନ ଖଟିରେ ବସି ଆଲୋଚନା କରୁଛନ୍ତି। ଏପରିକି ବସ୍ତିବାସିନ୍ଦାଙ୍କୁ କୁଣ୍ଢେଇ ଧରି ତାଙ୍କ ସୁଖଦୁଃଖର ସାଥୀ ବୋଲି ପ୍ରମାଣ ଦେବାକୁ ଚେଷ୍ଟା କରୁଛନ୍ତି। ବସ୍ତିର ଗଳିଗୁଡ଼ିକୁ ବାଇକ୍‌ କିମ୍ବା କାର୍ ଯାଇପାରୁ ନ ଥିବାରୁ ପ୍ରାର୍ଥୀମାନେ ଚାଲି ଚାଲି ନିଜ ସପକ୍ଷରେ ପ୍ରଚାର କରୁଛନ୍ତି। ଇତିମଧ୍ୟରେ ରାଜ୍ୟର ସବୁଠାରୁ ବଡ଼ ବସ୍ତି ସାଲିଆସାହିରେ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଶକ୍ତି ପ୍ରଦର୍ଶନ କରି କାହା ସପକ୍ଷରେ କେତେ ଭୋଟ ରହିଛି ତାହାକୁ ଦେଖା‌ଇ ସାରିଛନ୍ତି। ତେବେ ଭୋଟର ତାଲିକାକୁ ‌ନେଇ କିଛି ସ୍ଥାନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କେଉଁ ଅଞ୍ଚଳର ଭୋଟର କେଉଁଠି ରହିଛନ୍ତି ତାହାକୁ ଖୋଜି ଖୋଜି କର୍ମୀମାନେ ନୟାନ୍ତ ହେଲେଣି।

ଭୁବନେଶ୍ବରରେ ପଞ୍ଜୀକୃତ ଓ ଅଣପଞ୍ଜୀକୃତ ବସ୍ତିକୁ ମିଶାଇଲେ ୫୦୦ରୁ ଅଧିକ ବସ୍ତି ରହିଛି। ଇତିମଧ୍ୟରେ ଏକାଧିକ ବସ୍ତିବାସିନ୍ଦାଙ୍କୁ ଆବାସ ଯୋଜନାରେ ଥଇଥାନ କରାଯାଇସାରିଛନ୍ତି। ସେମାନେ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରେ ରହୁଛନ୍ତି। ଯଦି ଦେଖାଯାଏ ପ୍ରାୟ ସାଢ଼େ ୩ଲକ୍ଷ ଲୋକ ବସ୍ତିରେ ରହୁଥିବା ବେଳେ ସେଥିମଧ୍ୟରୁ ୭୦% ହେଉଛନ୍ତି ମତଦାତା। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅଧୀନ ୨୪ ୱାର୍ଡରେ ସର୍ବାଧିକ ୧ଲକ୍ଷ ୨୦ ହଜାରରୁ ଅଧିକ ବସ୍ତି ଭୋଟର ଥିବାବେଳେ ମଧ୍ୟ ଭୁବନେଶ୍ବରରେ ୮୦ହଜାରରୁ ଅଧିକ ଓ ଏକାମ୍ରରେ ପ୍ରାୟ ୫୦ହଜାର ବସ୍ତି ଭୋଟର ଥିବା ପ୍ରାର୍ଥୀମାନେ ହିସାବ କରିଛନ୍ତି। ଏହାକୁ ନଜରରେ ରଖି ପ୍ରଚାର କରିବା ସହ ସେହି ଅନୁଯାୟୀ ପ୍ରତିଶ୍ରୁତି ଦେଉଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀମାନେ ସାଙ୍ଗରେ କର୍ପୋରେଟରମାନଙ୍କୁ ଧରି ବୁଲୁଛନ୍ତି ଏବଂ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଅନୁରୋଧ କରୁଛନ୍ତି। ପ୍ରଚାର ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଅଧା ରହିଯାଇଥିବା କାର୍ଯ୍ୟକୁ ସମ୍ପନ୍ନ କରିବାକୁ ସେମାନଙ୍କୁ ଭୋଟ୍ ଦେଇ ଜିତାଇବାକୁ କହୁଛନ୍ତି। ବିଜେପି ପ୍ରାର୍ଥୀମାନେ ୱାର୍ଡ ସ୍ତରୀୟ ନେତା ଓ କର୍ପୋରେଟରଙ୍କୁ ସାଙ୍ଗରେ ଧରି ପ୍ରଚାରରେ ସାମିଲ ହେଉଛନ୍ତି। ୨୫ ବର୍ଷର ବିଜେଡି ସରକାର ବସ୍ତିବାସିନ୍ଦାଙ୍କ ବିକାଶ କରିପାରି ନାହାନ୍ତି। ମୌଳିକ ସୁବିଧାସୁଯୋଗ ଦେଇପାରି ନାହାନ୍ତି। ଆଉ କେତେଦିନ ଅପେକ୍ଷା କରିବ। ଏଥର ପରିବର୍ତ୍ତନ ହେବା ଦରକାର। ବିଜେପି ସରକାର ଆସିଲେ ୬୦୦ ବର୍ଗଫୁଟ୍‌ର ଜାଗା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। କଂଗ୍ରେସ ପ୍ରାର୍ଥୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ବିକାଶ ପାଇଁ କଂଗ୍ରେସକୁ ଭୋଟ ଦେବାକୁ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe