ଚନ୍ଦ୍ରଶେଖରପୁର: ୨୦୨୫ ଆରମ୍ଭରୁ ସରଗରମ ହୋଇଛି ଉତ୍ତର ଭୁବନେଶ୍ବର ରାଜନୀତି। ନୂଆବର୍ଷର ସ୍ବାଗତ ବ୍ୟାନର ଲଗାଇବାକୁ ନେଇ ଭୁବନେଶ୍ବର ମହାନଗର ନିଗମ ୧ ନମ୍ବର ୱାର୍ଡ ଅଧୀନ ପ୍ରଶାନ୍ତିବିହାରରେ ବିଜେଡି ଓ ବିଜେପି ନେତା ମୁହାଁମୁହିଁ ହୋଇଛନ୍ତି। ଘଟଣା ଥାନାରେ ପହଞ୍ଚିବା ପରେ ଇନ୍ଫୋସିଟି ପୁଲିସ ଏକ ପାଖିଆ ନିଷ୍ପତ୍ତି ନେଇଥିବା ଅଭିଯୋଗ କରି ବିଜେଡି ରାଜରାସ୍ତାକୁ ଓହ୍ଲାଇଛି। ପୁଲିସ ନିଷ୍ପତ୍ତିକୁ ବିରୋଧ କରି ୧ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ମିହିର କୁମାର ରାଉତ, ୨ ନମ୍ବର ୱାର୍ଡ କର୍ପୋରେଟର ମୋନାଲିସା ବେହେରାଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ ଏସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳୁ ଆମରଣ ଅନସନରେ ବସିଥିଲେ। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଥିଲେ। କ୍ରମଶଃ ବିଜେଡି କର୍ମୀ ଓ ସାଧାରଣ ଜନତାଙ୍କ ଭିଡ଼ ବଢ଼ିଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଜେଡି ନେତା ସୁବାସ ପାତ୍ର ପ୍ରମୁଖ ପହଞ୍ଚି ଉଭୟ କର୍ପୋରେଟରଙ୍କୁ ବୁଝାସୁଝା କରିଥିଲେ। ପଇଡ଼ ପାଣି ପିଆଇ ଦୁଇ କର୍ପୋରେଟରଙ୍କ ଅନଶନ ଭାଙ୍ଗିବା ସହ ଗୁରୁବାର ଏବାବଦରେ ଭୁବନେଶ୍ବର ଡିସିପିଙ୍କ ସହ ଆଲୋଚନା ହେବ ବୋଲି ଉଭୟ ପ୍ରତିଶ୍ରୁତି ଦେଇଥିଲେ।
ବିଧାୟକ ଓ ମେୟରଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ
ଇନ୍ଫୋସିଟି ଏସିପି ଓ ଆଇଆଇସିଙ୍କ ବଦଳି ଦାବି
କର୍ପୋରେଟର ଶ୍ରୀ ରାଉତଙ୍କ କହିବାନୁଯାୟୀ ୧୮ ବର୍ଷ ହେଲା ଲୋକଙ୍କ ସେବା କରୁଛି। ଇନ୍ଫୋସିଟି ଜୋନ୍ ଏସିପି ଓ ଆଇଆଇସି କିଛି ଦିନ ହେଲା ଆକ୍ରୋଶମୂଳକ ଭାବେ ବିଜେଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ମିଥ୍ୟା ମାମଲାରେ ବାନ୍ଧୁଛନ୍ତି। କାଉଣ୍ଟର ଏତଲା ଦେଲେ ରଖୁନାହାନ୍ତି। କର୍ପୋରେଟର ଲୋକଙ୍କ ସହ ଛିଡ଼ା ହେଲେ ଜମି ଦଖଲ ମାମଲାରେ ପୁଲିସ ତାଙ୍କ ନାଁକୁ ଯୋଡ଼ିଦେଉଛି। ଏସିପି ଓ ଆଇଆଇସି ଏକ ନିର୍ଦ୍ଦଷ୍ଟ ରାଜନୈତିକ ଦଳର ବ୍ୟାନର ବାନ୍ଧୁଛନ୍ତି। ଏଣୁ ସେମାନଙ୍କୁ ତୁରନ୍ତ ବଦଳି କରାଯାଉ। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ।
ସୂଚନା ଅନୁଯାୟୀ ଭୁବନେଶ୍ବରର ସୌନ୍ଦର୍ଯୀକରଣ ପାଇଁ ପ୍ରଶାନ୍ତିବିହାରରେ ‘ଆଇ ଲଭ୍ ୟୁ ବିଏମ୍ସି’ ଲେଖା ସହ ସ୍ବଚ୍ଛ ଭୁବନେଶ୍ବର ସମ୍ପର୍କିତ ଏକ ଲାଇଟିଂ ଲାଗିଛି। ଗତକାଲି ବିଜେପିର କେତେଜଣ କର୍ମୀ ତାହା ସମ୍ମୁଖରେ ବ୍ୟାନର ଲଗାଇଥିଲେ। ଏହାଦ୍ବାରା ସୌନ୍ଦର୍ଯୀକରଣ ନଷ୍ଟ ହେଉଥିବା କର୍ପୋରେଟର ଶ୍ରୀ ରାଉତ କହିବାରୁ ବଚସା ହୋଇଥିଲା। ଏହି ଘଟଣାକୁ ନେଇ ବିଜେପି କର୍ମୀମାନେ ଥାନାରେ କର୍ପୋରେଟରଙ୍କ ବିରୋଧରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରିବା ପରିବର୍ତ୍ତେ କର୍ପୋରେଟରଙ୍କୁ ଥାନାକୁ ଡାକିବାକୁ ନେଇ ବିବାଦ ତେଜିଥିଲା। ଏଦ୍ବାରା ମୋର ମାନହାନି ଘଟିଛି ବୋଲି କର୍ପୋରେଟର ଶ୍ରୀ ରାଉତ ଅଭିଯୋଗ କରିଥିଲେ। ଜୋନ୍ ଏସିପି ରମେଶଚନ୍ଦ୍ର ବିଶୋଇ କହିଛନ୍ତି, ଧାରଣାରେ ବସିଥିବା ଜନପ୍ରତିନିଧିଙ୍କ ଅଭିଯୋଗ ଆମେ ଶୁଣିଲୁ। ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବୁ। ଏଥିରେ କୌଣସି ରାଜନୈତିକ ହସ୍ତକ୍ଷେପ ନାହିଁ। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆଗକୁ ମଧ୍ୟ ତାହା କରାଯିବ। ଆମେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଛୁ।
Follow Us