ବିଏମ୍‌ସିର ଓ୍ୱାର୍ଡ ନମ୍ବର ୩୭ରେ ବିଜେଡିର ଶୋଭାଯାତ୍ରା: ରଞ୍ଜିତାଙ୍କ ପାଇଁ ପ୍ରଚାର କଲେ ଅନନ୍ତ

Advertisment
ବିଏମ୍‌ସିର ଓ୍ୱାର୍ଡ ନମ୍ବର ୩୭ରେ ବିଜେଡିର ଶୋଭାଯାତ୍ରା: ରଞ୍ଜିତାଙ୍କ ପାଇଁ ପ୍ରଚାର କଲେ ଅନନ୍ତ

ଭୁବନେଶ୍ବର : ବିଏମ୍‌ସିର ୩୭ନମ୍ବର ଵାର୍ଡରେ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନେଇ ବିଜେଡିର କର୍ପୋରେଟର୍ ପ୍ରାର୍ଥିନୀ ରଞ୍ଜିତା ବେହେରା ବିଶାଳ ଶୋଭାଯାତ୍ରା କରିଛନ୍ତି। ରଞ୍ଜିତାଙ୍କ ପାଇଁ ବିଧାୟକ ନୂଆପଲ୍ଲୀର କସ୍ତୁରବା ଆଇନ ବିଦ୍ୟାଳୟ, କଳିଙ୍ଗ ଷ୍ଟାଡିୟମ୍, ମେଟ୍ରୋ ଆପାର୍ଟମେଣ୍ଟ, ଗୋଲାପ ରିସୋର୍ଟ, ଦମୟନ୍ତୀ ଆପାର୍ଟମେଣ୍ଟ, ବେହେରା ସାହି, ତ୍ରିଷ୍ଣା ଆପାର୍ଟମେଣ୍ଟ, ସିଦ୍ଧପଲ୍ଲୀ ବସ୍ତି ପ୍ରମୁଖ ଅଞ୍ଚଳ ବୁଲିବା ସହିତ ଭୋଟ ଭିକ୍ଷା କରିଛନ୍ତି। ଅପରପକ୍ଷରେ ୩୭ନଂ ଵାର୍ଡର ପୂର୍ବତନ କର୍ପୋରେଟର୍ ତଥା ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ଉପସଭାପତି ନବକିଶୋର ବେହେରା ପତ୍ନୀ ରଞ୍ଜିତାଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି। ଗତ ୨ଥର ପୌର ନିର୍ବାଚନରେ ନବ କିଶୋର ୧୭୦୦ରୁ ଅଧିକ ଭୋଟ୍ ପାଇ ଜିତିଥିଲେ। ଏଥର ଵାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ବିଜେଡି ରଞ୍ଜିତାଙ୍କୁ ପ୍ରାର୍ଥୀ କରିଛି। ଅପରପଟେ ବହୁ ଦିନ ଧରି ଲାଗିରହିଥିବା ହଜ ବିବାଦ, ଡ୍ରେନ୍ ସମସ୍ୟାକୁ ନବକିଶୋର ସମାଧାନ କରିଥିବାରୁ ବିଜେଡି ପୁଣି ଗଡ଼ ଦଖଲ କରିବ ବୋଲି କହିଛନ୍ତି। ଏହା ବ୍ୟତୀତ ସନ୍ଧ୍ୟାବେଳେ ଘରକୁ ଘର ବୁଲି ପ୍ରଚାର କରିବା ସହିତ ଭୋଟ୍ ଭିକ୍ଷା କରିଛନ୍ତି।

publive-image

ୱାର୍ଡ ନମ୍ବର ୬୨ରେ  ବିଜେଡି କର୍ପୋରେଟର ପ୍ରାର୍ଥିନୀ ଚାରୁଲତାଙ୍କ ମାରାଥନ୍‌ ପ୍ରଚାର
ଭୁବନେଶ୍ୱର : ୬୨ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥିନୀ ଚାରୁଲତା ସାମନ୍ତରାୟ ମାରାଥନ୍ ପ୍ରଚାର ଚଳାଇଛନ୍ତି। ପୋଖରୀପୁଟ, ପୋଖରୀପୁଟ ଗ୍ରାମ, କାରଗିଲ ବସ୍ତି, ତାରିଣୀ ବସ୍ତିରେ ନିଜ ସମର୍ଥକଙ୍କ ସହ ଚାରୁଲତା ବୁଲିଥିଲେ। ୬୨ ନମ୍ବର ୱାର୍ଡକୁ ଭୁବନେଶ୍ୱର ମହାନଗର ନିଗମରେ ସର୍ବଶ୍ରେଷ୍ଠ ୱାର୍ଡରେ ପରିଣତ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏହା ସହ ବିଡିଏ କଲୋନି ଓ ଅନନ୍ତ ବିହାର ଅଞ୍ଚଳରେ ମଧ୍ୟ ବିଜେଡି ପକ୍ଷରୁ ପଦଯାତ୍ରା କରାଯାଇଥିଲା। ପୂର୍ବତନ କର୍ପୋରେଟର୍‌ ହୃଦୟବଲ୍ଲଭ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଏହି ପ୍ରଚାର କାର୍ଯ୍ୟକ୍ରମ ହୋଇଥିଲା।

୪୪ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଅଜିତଙ୍କ ସହ ପଦଯାତ୍ରାରେ ମନ୍ତ୍ରୀ

ଭୁବନେଶ୍ବର : ୪୪ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଅଜିତ ବେହେରାଙ୍କ ସହ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରବିବାର ଦିନ ପଦଯାତ୍ରାରେ ବୁଲି ପ୍ରଚାର କରିଛନ୍ତି। ବଡ଼ଗଡ଼ ଗାଁ ସହ ବିଭିନ୍ନ ବସ୍ତି ଅଞ୍ଚଳରେ ଶତାଧିକ ସମର୍ଥକଙ୍କ ସହ ଘରକୁ ଘର ଯାଇ ଲୋକମାନଙ୍କର ସମସ୍ୟା ପଚାରି ବୁଝିଛନ୍ତି। ଏହି ଅଞ୍ଚଳରେ ଆଗକୁ ଯେଭଳି ସମସ୍ୟା ରହିବ ନାହିଁ ସେ ନେଇ ଅଜିତ ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ଜନସାଧାରଣ ପୂର୍ବରୁ ଯେମିତି ମୁଖ୍ୟମନ୍ତ୍ରୀ ଓ ବିଜେଡି ଉପରେ ବିଶ୍ବାସ ରଖି ଆସିଛନ୍ତି ଠିକ୍‌ ସେହିଭଳି ଅଜିତଙ୍କ ଉପରେ ମଧ୍ୟ ବିଶ୍ବାସ ରଖିବେ। ଏନେଇ ଅଜିତ କହିଛନ୍ତି, ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରଙ୍କ ପ୍ରତିଟି ଯୋଜନା କିଭଳି ପହଞ୍ଚିବ ବା ଯୋଜନାରୁ ଜଣେ ହେଲେ କେହି ଯେଭଳି ବାଦ୍‌ ପଡ଼ିବେ ନାହିଁ ସେଥିପାଇଁ ମୁଁ ଉଦ୍ୟମ କରିବି।

ୱାର୍ଡ ନମ୍ବର ୬୦ରେ ରାଜେନ୍ଦ୍ରଙ୍କ ବାଇକ୍ ରାଲି

ଭୁବନେଶ୍ୱର : ୬୦ ନମ୍ବର ୱାର୍ଡରେ ରବିବାର ଦିନ ବିଜେଡି ପକ୍ଷରୁ ବାଇକ୍ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରା ପୁନାମା ଗେଟ ଛକରୁ ବାହାରି ଜମେଶ୍ୱର ପାଟଣା, ପରକରଣ ସାହି, ଲିଙ୍ଗରାଜ ନଗର, ହାଟ ସାହି, କେଦାର ଲେନ ଲାଇନ୍ ଆଦି ବୁଲିଥିଲା। ଏହି ଶୋଭାଯାତ୍ରାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସାମିଲ ହୋଇ ବିଜେଡି କର୍ପୋରେଟର ପ୍ରାର୍ଥୀ ରାଜେନ୍ଦ୍ର ସମର୍ଥା, ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କ ପାଇଁ ଭୋଟ୍‌ ମାଗିଥିଲେ। ପରେ କର୍ପୋରେଟର୍‌ ପ୍ରାର୍ଥୀ ଶ୍ରୀ ସମର୍ଥା ପଦଯାତ୍ରା କରିଥିଲେ ଓ ବରିଷ୍ଠ ନାଗରିକଙ୍କ ସହ ବୈଠକ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe