ଭୁବନେଶ୍ବର : ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଆମର କର୍ମୀ ଭାଇଭଉଣୀମାନଙ୍କ ପରିଶ୍ରମ ଯୋଗୁଁ ବିଜୁ ଜନତା ଦଳ ପୁଣି ଥରେ ଲୋକଙ୍କ ସେବା କରିବାର ସୁଯୋଗ ପାଇଛି। ବିଜେଡି ସେବା ଓ ଓଡ଼ିଶାବାସୀଙ୍କ ପାଇଁ ସଂଗ୍ରାମରେ ବିଶ୍ବାସ କରେ। ବାପୁଜୀ ଓ ବିଜୁ ବାବୁଙ୍କ ଆଦର୍ଶରେ ବିଶ୍ବାସ କରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ବିଜେଡି ପକ୍ଷରୁ ଆଜି ସତ୍ୟନଗର ସ୍ଥିତ ତୋଷାଳୀ ପ୍ଲାଜା ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ବିଜୁ ବାବୁ ଥିଲେ ଗରିବ ଲୋକଙ୍କର ଶ୍ରେଷ୍ଠ ବନ୍ଧୁ। ସେମାନଙ୍କ ଅସୁବିଧା ସମୟରେ ବିଜୁ ବାବୁ ହିଁ ଆଗ ପହଞ୍ଚୁଥିଲେ। ଏହାକୁ ନଜରରେ ରଖି ମୁଁ ନିକଟରେ ‘ଓଡ଼ିଶା- ମୋ ପରିବାର’ କାର୍ଯ୍ୟକ୍ରମ ଘୋଷଣା କରିଛି। ଏଥିରେ ବନୀକରଣ, ରକ୍ତଦାନ ଏବଂ ଅନାଥ ଓ ପିଲାଙ୍କ ଯତ୍ନ ଓ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ସେମାନଙ୍କ ଅସୁବିଧା, ବିପଦ ସମୟରେ ସାହାଯ୍ୟ ଉପରେ ଗୁରୁତ୍ବ ଦିଆଯାଇଛି। ତେଣୁ ମୁଁ ଚାହେଁ ଆମ ଦଳର ସବୁ କର୍ମୀ ଭାଇଭଉଣୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତୁ ଏବଂ ସେବାର ବାର୍ତ୍ତା ଘରେ ଘରେ ପହଞ୍ଚାନ୍ତୁ।
ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ପଦଯାତ୍ରାରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନା, ବିଜେଡି ନେତା ଅରୂପ ପଟ୍ଟନାୟକ, ସଂଗ୍ରାମ ପାଇକରାୟ, ମୁନ୍ନା ଖାଁଙ୍କ ସମେତ ବହୁ ବିଜେଡି ନେତା ଓ ବିଏମ୍ସିର ପୂର୍ବତନ କର୍ପୋରେଟର ଯୋଗ ଦେଇଥିଲେ।
Follow Us