Tata Power office: ଟାଟା ପାୱାର୍‌ ଅଫିସ ଆଗରେ ବିଜେଡିର ବିକ୍ଷୋଭ; ଅତିରିକ୍ତ ସୁରକ୍ଷା ଜମା ଆଇନ ସମ୍ମତ: ଟାଟା ପାୱାର

Advertisment

ଅତିରିକ୍ତ ସୁରକ୍ଷା ଜମା(ଆଡିସିନାଲ୍‌ ସିକ୍ୟୁରିଟି ଡିପୋଜିଟ୍‌- ଏଏସ୍‌ଡି) ଓ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିକରି ଆଜି ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ପାୱାରହାଉସ୍‌ ଛକସ୍ଥିତ ଟାଟା ପାୱାର୍‌ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଅତିରିକ୍ତ ସୁରକ୍ଷା ଜମା(ଆଡିସିନାଲ୍‌ ସିକ୍ୟୁରିଟି ଡିପୋଜିଟ୍‌- ଏଏସ୍‌ଡି) ଓ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିକରି ଆଜି ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ପାୱାରହାଉସ୍‌ ଛକସ୍ଥିତ ଟାଟା ପାୱାର୍‌ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

sfhsfsffhf
ଭୁବନେଶ୍ବର: ଅତିରିକ୍ତ ସୁରକ୍ଷା ଜମା(ଆଡିସିନାଲ୍‌ ସିକ୍ୟୁରିଟି ଡିପୋଜିଟ୍‌- ଏଏସ୍‌ଡି) ଓ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିକରି ଆଜି ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ପାୱାରହାଉସ୍‌ ଛକସ୍ଥିତ ଟାଟା ପାୱାର୍‌ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ସ୍ମାର୍ଟ ମିଟର ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୋଗ ଅନୁସାରେ ଟିପିସିଓଡିଏଲ୍ ତଥା ଟାଟା ପାୱାର ପକ୍ଷରୁ ଅତିରିକ୍ତ ସୁରକ୍ଷା ଜମା ପଇଠ କରିବା ଲାଗି ଉପଭୋକ୍ତାମାନଙ୍କୁ ନୋଟିସ୍ ଦିଆଯାଇଛି। ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଥିବା ଏହି ଆର୍ଥିକ ବୋଝକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ନିୟାମକ ଆୟୋଗ ଏକ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି, ଓଡ଼ିଶାରେ ଅନୁରୂପ ପଦକ୍ଷେପ ନିଆଯାଉ। ସରବରାହଜନିତ କ୍ଷତି ଯୋଗୁ ଉପଭୋକ୍ତାମାନଙ୍କୁ ଅତିରିକ୍ତ ଶୁଳ୍କ ବହନ କରିବାକୁ ପଡ଼ୁଛି। ଟାଟା କମ୍ପାନିର ଅପାରଗତା ଯୋଗୁ ଓଡ଼ିଶାରେ ସରବରାହଜନିତ କ୍ଷତି ଜାତୀୟ ହାରଠାରୁ ଅଧିକ। ବହୁ ଉପଭୋକ୍ତଙ୍କ ମିଟର ଠିକ୍ ଥିଲେ ହେଁ ଉପଭୋକ୍ତାଙ୍କୁ ବାଧ୍ୟକରି ସ୍ମାର୍ଟ ମିଟର ଲଗାଯାଉଛି। ସ୍ମାର୍ଟ ମିଟର ପାଇଁ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ବିଲ୍ ବାବଦରେ ଅଧିକ ଦେବାକୁ ପଡୁଛି। ଟିପିସିଓଡିଏଲ୍‌ ତୁରନ୍ତ ଏହି ଶୋଷଣ ବନ୍ଦ ନ କଲେ, ଆଗାମୀ ଦିନରେ ବିଜେଡି ବଡ଼ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି। 
ବିଜୁ ଛାତ୍ର ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ସଭାନେତ୍ରୀ ଇପ୍ସିତା ସାହୁ, ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼େଇ, ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ରାଜେନ୍ଦ୍ର ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ସିଂହ, ଅବନୀ ଯୋଶୀ, ଅମରେଶ ପତ୍ରୀ, ଅମରଜିତ୍ ସେନାପତି, ସୋଫିଆ ଆଲାମ, ଧ୍ରୁତି ମାର୍ଥା, ତନ୍ମୟ ସ୍ୱାଇଁ, ଜ୍ୟୋତିରଞ୍ଜନ ଜେନା, ମିହିର ରାଉତ, ନାରାୟଣ ଜେନା, ତୁମ୍ୱନାଥ ପଣ୍ଡା, ମିହିର ରାୟ, ସେକ୍‌ ଅମିର ମହମ୍ମଦ, ବିଜୟ କେତନ ସାହୁ, ଦୀପକ ମହାପାତ୍ର ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।
ଅତିରିକ୍ତ ସୁରକ୍ଷା ଜମା ଆଇନ ସମ୍ମତ: ଟାଟା ପାୱାର
ଭୁବନେଶ୍ବର: ରାଜ୍ୟ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ଅତିରିକ୍ତ ସୁରକ୍ଷା ଜମା(ଏଏସ୍‌ଡି) ଆଦାୟ ଓ ସ୍ମାର୍ଟ ମିଟର ଲାଗୁକୁ ନେଇ ରାଜ୍ୟ ବ୍ୟାପି ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହା ଉପରେ ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥା ଟାଟା ପାୱାର୍‌ର ରାଜ୍ୟ ମୁଖ୍ୟ ଗଜାନନ୍ କାଲେ ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି‌ ଯେ ଏହା ଆଇନ୍ ସମ୍ମତ। ବିଦ୍ୟୁତ୍ ଆଇନ୍ ୨୦୦୩ର ଓଇଆରସି ଅନୁମୋଦନ କ୍ରମେ ସୁରକ୍ଷା ଜମା ଅର୍ଥ ବ୍ୟବସ୍ଥା ରହିଛି। ଅତିରିକ୍ତ ସୁରକ୍ଷା ଜମା ଅର୍ଥ ନୂଆ ବିଦ୍ୟୁତ୍ ସଂଯୋଗ ଓ ବାର୍ଷିକ  ବିଦ୍ୟୁତ୍ ବିଲ୍ ସମୀକ୍ଷା ଉପରେ ଅଧାରିତ। ଏଏସ୍‌ଡି ଆଦାୟ ବିଦ୍ୟୁତ୍‌ ବିଲ୍ ଟାରିଫ୍‌ ଓ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବ୍ୟବହାର ପରିମାଣ ଉପରେ ନିର୍ଭର କରୁଛି। ଏଏସ୍‌ଡି ଲାଗୁ ବ୍ୟବସ୍ଥା ବହୁଦିନରୁ ସମସ୍ତ ରାଜ୍ୟରେ ଲାଗୁ କରାଯାଇଛି। ଏହି ଜମା ଅର୍ଥ ବ୍ୟାଙ୍କ ସୁରକ୍ଷା, ଫେରସ୍ତ ଯୋଗ୍ୟ ଓ ସୁଧ ପ୍ରଦାନ କରୁଥିବା ବେଳେ ଏହି ଅର୍ଥ ଅନ୍ୟ କୌଣସି କାରବାରରେ ବ୍ୟବହାର କରାନଯାଇ ବ୍ୟାଙ୍କରେ ଜମା ରହିଛି।
ସୁରକ୍ଷା ଜମାର ସୁଧ ୨୧୭.୨୯କୋଟି ଟଙ୍କା ଉପଭୋକ୍ତାଙ୍କ ବିଲ୍‌ରେ କ୍ରେଡିଟ୍ ହୋଇଛି
ଏପରିକି ଗତ ଆର୍ଥିକ ବର୍ଷ ୨୦୨୪-୨୫ରେ ସୁରକ୍ଷା ଜମା ଅର୍ଥ ଉପରେ ୬.୫୦ସୁଧହାରରେ ୨୧୭.୨୯କୋଟି ଟଙ୍କା ଉପଭୋକ୍ତାଙ୍କ ବିଲ୍‌ରେ ପୈଠ କରାଯାଇଛି ବୋଲି ଟାଟା ପାୱାର କର୍ତ୍ତୁପକ୍ଷ ଦର୍ଶାଇଛନ୍ତି। ଅତିରିକ୍ତ ସୁରକ୍ଷା ଜମା ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍‌ ଟାରିଫ୍ ଏବଂ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ବୃଦ୍ଧି ଓ ହ୍ରାସ ଉପରେ ନିର୍ଭର କରୁଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଟାଟା ପାୱାର୍‌ର ୪ଟି ବଣ୍ଟନକାରୀ ସଂସ୍ଥା  ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡ଼ିଏଲ୍, ଟିପିଡ଼ବ୍ଲୁଓଡିଏଲ୍, ଟିପିସିଓଡିଏଲର ସିଓଓମାନଙ୍କୁ ସାମ୍ବାଦିକମାନେ ଅତିରିକ୍ତ ସୁରକ୍ଷା ଜମା(ଏଏସ୍‌ଡି),  ସ୍ମାର୍ଟ ମିଟର୍‌ ଓ  ପିଏମ ସୋଲାର୍‌ ପୋଜେକ୍ଟ ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ବିଶେଷ କରି ଟାଟା ପାୱାର ପକ୍ଷରୁ ଲାଗୁ ହୋଇଥିବା ଏଏସ୍‌ଡି ଓ ସ୍କାର୍ଟମିଟରକୁ ନେଇ ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ଶୋଷଣ କରାଯାଇଛି ବୋଲି ସାମ୍ବାଦିକମାନେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଏସ୍‌ଡି ପ୍ରଦାନ ସମୟସୀମା ଏକ ମାସ ଧାର୍ଯ୍ୟ କରିବା ଏବଂ ସମୟସୀମା ପରେ ୧୫ଶତକଡ଼ା ଅଧିକ ଦେୟ ପ୍ରଦାନ ଉପରେ ଲୋକଙ୍କ ପ୍ରତିକ୍ରିୟା ଉପରେ ଆଲୋଚନା କରିଥିଲେ।
ଅତିରିକ୍ତ ସୁରକ୍ଷା ଜମା ଦେୟ ତ୍ରୁଟିପୂର୍ଣ୍ଣ
ଭୁବନେଶ୍ବର: ଅତିରିକ୍ତ ସୁରକ୍ଷା ଜମା ଦେୟ ଉପରେ ଟାଟା ପାୱାର ସ୍ପଷ୍ଟୀକରଣ ସମ୍ପୂର୍ଣ ତ୍ରୁଟିପୂର୍ଣ ବୋଲି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି। ଗତବର୍ଷ ୨୦୨୪-୨୫ରେ ଟାଟା ଯେଉଁ ଅତିରିକ୍ତ ସୁରକ୍ଷା ଜମା ଅଦାୟ କରିଛନ୍ତି, ତାହାକୁ ଟାଟା ପୂର୍ବବର୍ଷ (୨୦୨୩-୨୪)ର ୧୨ ମାସ ବଦଳରେ ୧୩ ମାସ ବିଚାରକୁ ନେଇ ସମସ୍ତ ଉପଭୋକ୍ତାଙ୍କଠାରୁ ଅନ୍ୟାୟ ଭାବେ ଅନୁମୋଦିତ ହାରଠାରୁ ଅଧିକ ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଆଦାୟ କରିଥିଲେ। ତାହା ଉପରେ ଟାଟା ପାୱାର ନିରବ। ଗତବର୍ଷ ଅଦାୟ କରିଥିବା ଅଧିକ ସୁରକ୍ଷା ଜମାଟଙ୍କା ଉପଭୋକ୍ତାଙ୍କୁ କେବେ ଫେରସ୍ତ ମିଳିବ? ଦ୍ୱିତୀୟରେ ସପ୍ଲାଇ କୋଡ୍‌ ୨୦୧୯ ଧାରା ୫୩ ଅନୁସାରେ ବିତରଣ କମ୍ପାନି ଟାଟା ପାୱାର ବର୍ଷକୁ ଥରେ ନିଜ ପାଖରେ ଗଚ୍ଛିତ ଥିବା ସୁରକ୍ଷା ଜମାଟଙ୍କାକୁ ସମୀକ୍ଷା କରିବ। ଯେଉଁ ବର୍ଷ ବିଦ୍ୟୁତ ମୂଲ୍ୟ ବୃଦ୍ଧି ଘଟିବ, ତାହାର ପୂର୍ବବର୍ଷ ୧୨ ମାସର (ଏପ୍ରିଲ ରୁ ମାର୍ଚ୍ଚ) ବିଦ୍ୟୁତ୍ ବ୍ୟବହାରର ହାରାହାରି ଦୁଇ ମାସ ଅନୁସାରେ ହିସାବ କରି ଆବଶ୍ୟକ ହେଉଥିବା ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଉପଭୋକ୍ତାଙ୍କଠାରୁ ଆଦାୟ କରିବେ। ଓଇଆରସି ସପ୍ଲାଇ କୋଡ୍‌ ୨୦୧୯ରେ ଏପରି ନିର୍ଦ୍ଦେଶ ଥିବାବେଳେ ଟାଟା ପାୱାର କେଉଁଠୁ ଜାଣିବାକୁ ପାଇଲେ କିମ୍ବା କେଉଁ ଅଧିନିୟମ ଅନୁସାରେ କହୁଛନ୍ତି ଯେ ବିଦ୍ୟୁତ୍‌ ବ୍ୟବହାର ବୃଦ୍ଧି ଘଟିଲେ ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ ପାଇଁ ସେମାନେ ଅଧିକାର ପାଇଲେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe