ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ୬୭ ୱାର୍ଡ ମଧ୍ୟରୁ ୬୦ ଜିତିବା ଲକ୍ଷ୍ୟରେ ଥିଲା ବିଜେଡି। ସେହି ଅନୁଯାୟୀ ପ୍ରାର୍ଥୀ ଚୟନ ହୋଇଥିଲା। ରଣନୀତି ବି ପ୍ରସ୍ତୁତ କରାଯାଇଥିଲା। ତିନି ବିଧାୟକଙ୍କ ସୁପାରିସ୍ ଅନୁଯାୟୀ ଦଳର ଶୀର୍ଷ ନେତୃତ୍ବ ପ୍ରାର୍ଥୀ ବାଛିଥିଲେ। ବିଜେଡି ସଫଳତା ପାଇଲା ଓ ବିଏମ୍ସି ଦଖଲ କଲା। ବିଜେଡିର ସଫଳତା ପାଇଁ ତିନି ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କୁ ଶ୍ରେୟ ଦିଆଯାଇଛି। ତିନି ଜଣଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ବିଜେଡି ଲଗାତାର ତୃତୀୟ ଥର ବିଏମ୍ସିରେ ଶାସନ କରିବାକୁ ଯାଉଛି।
ଏହି ସଫଳତା ସତ୍ତ୍ବେ ବି ତିନି ବିଧାୟକଙ୍କୁ ଝଟ୍କା ଲାଗିଛି। ତିନି ନିର୍ବାଚନମଣ୍ଡଳୀର କିଛି ଗୁରୁତ୍ବପୂର୍ଣ୍ଣ ୱାର୍ଡ ବିଜେଡି ହାତରୁ ଖସିଯାଇଛି। ସେଠାରେ ବିଧାୟକଙ୍କ ପସନ୍ଦ ମୁତାବକ ପ୍ରାର୍ଥୀ ଦିଆଯାଇଥିଲେ ବି ସେମାନେ ଜିତିପାରି ନାହାନ୍ତି। ୯ଟି ଜାଗାରେ ସିଧାସଳଖ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଜିତି ବିଧାୟକଙ୍କ ପାଇଁ ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିଛନ୍ତି।
ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ୨୪ଟି ୱାର୍ଡରୁ ୮ଟି ବିଜେଡି ହାତରୁ ଖସିଯାଇଛି। ଉକ୍ତ ୮ଟି ୱାର୍ଡ ମଧ୍ୟରୁ ବିଜେପି ଓ ସ୍ବାଧୀନ ପ୍ରାର୍ଥୀ ୪ଟି ଲେଖାଏରେ ବିଜୟ ହାସଲ କରିଛନ୍ତି। ଉତ୍ତର ଭୁବନେଶ୍ବରର ୨୪ଟି ୱାର୍ଡ ମଧ୍ୟରୁ ୩ଟିରେ ବିଜେପି ଓ ୩ଟିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ମଧ୍ୟ ନିର୍ବାଚନମଣ୍ଡଳୀର ୧୯ଟି ୱାର୍ଡ ମଧ୍ୟରୁ ୫ଟି ବିରୋଧୀଙ୍କ ଖାତାକୁ ଯାଇଛି। ୩ଟିରେ ବିଜେପି ଜିତିଥିବା ବେଳେ ଦୁଇଟିରେ ସ୍ବାଧୀନଙ୍କ ଦବ୍ଦବା ଦେଖିବାକୁ ମିଳିଛି।
Follow Us