ଅସନ୍ତୁଷ୍ଟଙ୍କୁ ମନାଇବାକୁ ବିଜେଡିର କସରତ

ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ

ଅସନ୍ତୁଷ୍ଟଙ୍କୁ ମନାଇବାକୁ ବିଜେଡିର କସରତ

ଭୁବନେଶ୍ବର: ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆଜି ଦ୍ବିତୀୟ ଶନିବାର ଓ ଆସନ୍ତାକାଲି ରବିବାର ଛୁଟିଦିନ ଥିବାରୁ ପ୍ରତ୍ୟାହାର ବନ୍ଦ ରହିଛି। ପ୍ରତ୍ୟାହାର ପାଇଁ ପ୍ରସ୍ତୁତ ହୋଇଥିବା ପ୍ରାର୍ଥୀ ଶେଷ ଦିନରେ ହିଁ ପ୍ରତ୍ୟାହାର ପାଇଁ ଭିଡ଼ କରିବେ। ଅପରାହ୍ନ ୩ଟା ସୁଦ୍ଧା ପ୍ରତ୍ୟାହାର ହେବା ପରେ ସନ୍ଧ୍ୟା ୫ଟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ବିଜେଡି କସରତ ଜାରି ରଖିଛି। କାରଣ ବିଜେଡି ଦଳରେ ହିଁ ସର୍ବାଧିକ ଅସନ୍ତୁଷ୍ଟ ରହିଛନ୍ତି। ଏଣୁ କେଉଁ ନେତା କାହାକୁ ବୁଝାଇ ପାରିବେ ସେ ନେଇ ମାନସ ମନ୍ଥନ ହେବା ପରେ ସେହି ନେତା ସମ୍ପୃକ୍ତ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ପାଖରେ ପହଞ୍ଚୁଛନ୍ତି। କେତେକ ଜାଗାରେ ଏକାଧିକ ନେତା ଯାଇ ବୁଝାଇବାକୁ ପଡ଼ୁଛି। ଗତକାଲି ଠାରୁ ଏଭଳି କସରତ ଜାରି ରଖିଛି।

ଶୁକ୍ରବାର ଶେକ୍‌ ନିଜାମୁଦ୍ଦିନଙ୍କ ସମେତ ୮ ଜଣ ପ୍ରତ୍ୟାହାର କରିଛନ୍ତି। ୭ ନମ୍ବର ୱାର୍ଡରୁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ଓହରିଯିବା ପରେ ମଧ୍ୟ ବିଜେଡି ପାଇଁ ଅଡ଼ୁଆ ରହିଛି। ଏଠାରେ ପୂର୍ବରୁ ବିଜେଡିରୁ କର୍ପୋରେଟର ହୋଇଥିବା ସ୍ବର୍ଣ୍ଣପ୍ରଭା ରାୟ ଟିକେଟ୍‌ ନ ପାଇ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯାହା ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ବିଜେଡି ପକ୍ଷରୁ ଦୁଇଦିନ ଧରି ଉଦ୍ୟମ ହୋଇଥିଲେ ସମ୍ଭବ ହୋଇ ନାହିଁ। ସେହିଭଳି ୬ରୁ ଊର୍ଦ୍ଧ୍ବ ୱାର୍ଡରେ ଏଭଳି ସ୍ଥିତି ରହିଛି।

ପହଞ୍ଚିଲା ଇଭିଏମ୍‌, ୧୭ରେ କମିସନିଂ

publive-image Hindustan Times

ଭୁବନେଶ୍ବର: ପୌର ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଭିଏମ୍‌(ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌) ଭୁବନେଶ୍ବରରେ ପହଞ୍ଚିଛି। ବିଜେବି କଲେଜ୍‌ରେ କରାଯାଇଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ଏ ସବୁକୁ ରଖାଯାଇଛି। ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ଏଥର ଦୁଇଗୁଣା ମେସିନ୍‌ ଆବଶ୍ୟକତା ରହିଛି। ଅର୍ଥାତ୍‌ ୭୦୫ ବୁଥ୍‌ପାଇଁ ୧୪୧୦ ଇଭିଏମ୍‌ର ଆବଶ୍ୟକତା ରହିଛି। କୌଣସି ମେସିନ୍‌ ଖରାପ ହେଲେ ବିକଳ୍ପ ବ୍ୟବସ୍ଥା ପାଇଁ ୩୫୦ ଅତିରିକ୍ତ ମେସିନ୍‌ ଅଣାଯାଇଛି।

ଆଜି ରାତିରେ ୭ଶହ ମେସିନ୍‌ ପହଞ୍ଚିଥିବା ବେଳେ ଦ୍ବିତୀୟ ଦଫାରେ ବାକି ମେସିନ୍‌ ଆସିବାକୁ ରହିଥିବା ସୂଚନା ମିଳିଛି। ଏହି ମେସିନ୍‌ ସବୁକୁ ଆସନ୍ତା ୧୭ ତାରିଖରେ କମିସନିଂ କରାଯିବ। ଏହି କମିସନିଂ କରିବାକୁ ଥିବା‌ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଗରୁ ତାଲିମ୍‌ ଦିଆସରିଛି। କମିସନିଂ ସରିବା ପରେ ଏସବୁକୁ ପରୀକ୍ଷା କରାଯିବ। ନିର୍ଦ୍ଦିଷ୍ଟ ଚିହ୍ନ ଥିବା ବଟନ୍‌ ଚିପିଲେ ସମ୍ପୃକ୍ତ ଦଳକୁ ଭୋଟ୍‌ ଯାଉଛି କି ନାହିଁ ତାହା ଯାଞ୍ଚ ହେବ। ଏହା ପରେ ବୁଥ୍‌ଗୁଡ଼ିକୁ ପଠାଯିବ। ଆଜି ଠାରୁ ଏହି ମେସିନ୍‌ଗୁଡ଼ିକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଉଛି। ଷ୍ଟ୍ରଙ୍ଗ୍‌ରୁମ୍‌ରେ ଏହାକୁ ସଶସ୍ତ୍ର ପୁଲିସ ଜଗି ରହିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀମାନେ ଏହାର ସୁରକ୍ଷା ଦାୟିତ୍ବରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe