The News Room
ଭୁବନେଶ୍ବର : ଆଗକୁ ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ। ତା’ପୂର୍ବରୁ ଦଳର ଦୁଇ ଛାମୁଆ ସଙ୍ଗଠନ ଯଥା ଯୁବ ଓ ଛାତ୍ରଙ୍କୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛି ବିଜେଡି। ଦଳର ଲୋକାଭିମୁଖୀ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବା ଏବଂ ଦରଦାମ ବୃଦ୍ଧି ବିଷୟରେ ଲୋକଙ୍କୁ ବୁଝାଇବା ଦିଗରେ ଏହି ଦୁଇ ସଙ୍ଗଠନ ପ୍ରମୁଖ ଭୂମିକା ଗ୍ରହଣ କରିବେ। ତେଣୁ ଏବେଠାରୁ ସେମାନଙ୍କୁ ତାଲିମ ଦେବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାରେ ୧୫୦୦ରୁ ଅଧିକ ଯୁବକ ଯୁବତୀ, ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୮ ତାରିଖରେ ଏକ ବିଶାଳ ତାଲିମ ଶିବିର କରିବାକୁ ସ୍ଥିର ହୋଇଛି। ୟୁନିଟ୍-୯ସ୍ଥିତ ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନଗୁଡ଼ିକ ନିଜର ଶକ୍ତି ପ୍ରଦର୍ଶନ କରିବେ।
ମିଳିଥିବା ସୂଚନା ଏହି ତାଲିମ ଶିବିର ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ସରିବ। ଭୁବନେଶ୍ବରର ତିନି ବିଧାୟକ ଯଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶିବିରରେ ଉପସ୍ଥିତ ରହି ଯୁବ ଓ ଛାତ୍ରଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କିବେ। ଏମାନଙ୍କ ବ୍ୟତୀତ ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟିକା ପ୍ରମିଳା ମଲ୍ଲିକ, ଓଡ଼ିଶା ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ବିଜେଡି ସାଧାରଣ ସମ୍ପାଦକ(ଯୁବ ଓ ଛାତ୍ର) ବ୍ୟାପାର ପ୍ରଣବ ବଳବନ୍ତରାୟ, ରାଜ୍ୟ ଯୁବ ବିଜେଡ଼ି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ଛାତ୍ର ବିଜେଡି ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ଯୁବ ସଭାପତି ସମରେଶ ବେଉରା, ଛାତ୍ର ସଭାପତି ସୁବାସ ସାହୁ ପ୍ରମୁଖ ସାମିଲ ହେବେ। ତାଲିମ ଶିବିର ପୂର୍ବରୁ ଆଜି ମନ୍ତ୍ରୀ ଶ୍ରୀ ପଣ୍ଡା ଓ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ଶ୍ରୀ ରାଉତ ଆଜି ଆୟୋଜନ ସ୍ଥଳ ବୁଲି ତଦାରଖ କରିଛନ୍ତି। ଜିଲ୍ଲାର ଯୁବ ଓ ଛାତ୍ର ସଙ୍ଗଠନର ବିଭିନ୍ନ ପଦପଦବୀରେ ଥିବା ୨୫୦ରୁ ଅଧିକ ନେତା ସାମିଲ ହେବାକୁ କୁହାଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଏମ୍ସିର ବିଭିନ୍ନ ୱାର୍ଡ ପାଇଁ ବିଜେଡିରୁ ଆଶାୟୀ ଥିବା ଯୁବ ଓ ଛାତ୍ର ନେତାମାନେ ଏହି ମଉକାର ଫାଇଦା ନେବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। କାହା ପାଖରେ କେତେ ସମର୍ଥକ ରହିଛନ୍ତି, କିଏ କେତେ ପ୍ରଭାବ ବିସ୍ତାର କରିପାରିଛନ୍ତି ତାହା ଦଳର ନେତୃତ୍ବକୁ ଦେଖାଇବାକୁ ଏବେଠାରୁ ସମର୍ଥକଙ୍କୁ ଏକଜୁଟ୍ କରୁଛନ୍ତି। ପ୍ରତି ୱାର୍ଡରେ ବୈଠକ କରି ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଆଉ କିଛି ଆଶାୟୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ତାଲିମ କାର୍ଯ୍ୟକ୍ରମରେ ସାମିଲ କରି ନିଜର ପତିଆରା ପ୍ରଦର୍ଶନ ଲକ୍ଷ୍ୟରେ ଅଛନ୍ତି।
ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଏହି ତାଲିମ କର୍ମଶାଳାରେ ଯୁବ ଓ ଛାତ୍ରନେତାଙ୍କୁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯିବ। ଫଳରେ ସେମାନେ ତୃଣମୂଳସ୍ତରରେ ବାର୍ତା ପହଞ୍ଚାଇପାରିବେ। ସେହିପରି ସାମାଜିକ ଗଣମାଧ୍ୟମ ଏବେ ପ୍ରଚାର ଓ ପ୍ରସାରର ପ୍ରମୁଖ ମାଧ୍ୟମ ସାଜିଛି। ତେଣୁ ଯୁବଗୋଷ୍ଠୀଙ୍କୁ ସେବିଷୟରେ ବି ତାଲିମ ଦିଆଯିବ। ପ୍ରତି ୱାର୍ଡରେ ଦଳ ଯେପରି ସଙ୍ଗଠିତ ଭାବେ କାର୍ଯ୍ୟ କରିବ ସେଥିପ୍ରତି ପ୍ରାଥମିକତା ଦିଆଯିବ। ଗତ ଲୋକସଭା ନିର୍ବାଚନ ସମୟରେ ଦଳ ଯେଉଁ ଭୁଲ୍ କରିଥିଲା ତାହା ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି।
Follow Us