ବିଏମ୍‌ସି ନିର୍ବାଚନ ପାଇଁ ବିଜେଡିର ରଣନୀତି

ଦାୟିତ୍ବରେ ୧୩ ପର୍ଯ୍ୟବେକ୍ଷକ

ବିଦା ହେଲେ ୩ ପୂର୍ବତନ କର୍ପୋରେଟର

ଭୁବନେଶ୍ବର: ପ୍ରଚାର ମଇଦାନରେ ଅନ୍ୟ ଦଳଙ୍କ ତୁଳନାରେ ବିଜେଡି ଟିକିଏ ଆଗୁଆ ରହିଛି। ତିନି ବିଧାନସଭା ନିର୍ବାଚନମଣ୍ତଳୀରେ ତିନି ବିଧାୟକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା ପ୍ରଚାରର ମଙ୍ଗ ଧରିଥିବା ବେଳେ ସେମାନଙ୍କ ସହ ବିଜେଡିର ରାଜ୍ୟସ୍ତରୀୟ ନେତାମାନେ ଯୋଡ଼ି ହୋଇଛନ୍ତି। ରାଜଧାନୀର ସମସ୍ତ ୱାର୍ଡରେ ବିଜେଡି ଯେପରି ଦମ୍‌ଦାର ପ୍ରଦର୍ଶନ କରିବ ଏବଂ ୬୭ରୁ ୬୭ ଆସନ ହାତେଇବ ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପ୍ରତି ୱାର୍ଡ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଜଣେ ଜଣେ ନେତାଙ୍କୁ ୭ରୁ ୮ଟି ୱାର୍ଡ ଦାୟିତ୍ବ ଦିଆଯାଇଛି। ଯେଉଁମାନଙ୍କ ଅଧୀନରେ ଜଣେ ଲେଖାଏଁ ଛାତ୍ର, ଯୁବ ଓ ମହିଳା ନେତ୍ରୀ ରହିଛନ୍ତି।

ପଞ୍ଚାୟତ ନିର୍ବାଚନରେ ଯେପରି ସମସ୍ତେ ଏକଜୁଟ ହୋଇ ଲଢ଼ିଥିଲେ, ପୌର ନିର୍ବାଚନରେ ସେଭଳି ରଣନୀତି ପ୍ରସ୍ତୁତ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୬୭ ୱାର୍ଡର ଦାୟିତ୍ବ ୧୩ ଜଣ ନେତାଙ୍କୁ ପ୍ରଦାନ କରାଯାଇଛି। ଉତ୍ତର ଭୁବନେଶ୍ବର ପାଇଁ ସର୍ବାଧିକ ନେତାଙ୍କୁ ଦାୟିତ୍ବ ଦିଆଯାଇଛି। ବିଧାୟକ ପ୍ରଣବ ବଳବନ୍ତରାୟ, ସୁବ୍ରତ ତରାଇ, ମୁକେଶ ପାଲ୍‌, ସୁଶାନ୍ତ ବେହେରାଙ୍କ ସମେତ ସଞ୍ଜୟ ଅଗ୍ରୱାଲ୍‌, ବିଶ୍ବରଞ୍ଜନ ମଲ୍ଲିକ, ଅଶୋକ ନାୟକ ବିଭିନ୍ନ ୱାର୍ଡ ଦାୟିତ୍ବରେ ରହିଛନ୍ତି। ଏକାମ୍ର ଭୁବନେଶ୍ବରର ବିଭିନ୍ନ ୱାର୍ଡ ଲାଗି ବିଧାୟକ ଅମର ଶତପଥୀ, ରାସେଶ୍ବରୀ ପାଣିଗ୍ରାହୀ, ପ୍ରମୋଦ ରଥ, ଜଗନ୍ନାଥ ନାୟକ ଏବଂ ମଧ୍ୟ ଭୁବନେଶ୍ବର ପାଇଁ କିଶୋର ତରାଇ, ସୁନନ୍ଦା ଦାସଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି। ଏହାବ୍ୟତୀତ ବିଜେଡିର ଯୁବ, ଛାତ୍ର ଓ ମହିଳା ସଙ୍ଗଠନ ନେତାମାନଙ୍କୁ ବିଭିନ୍ନ ୱାର୍ଡ ଦାୟିତ୍ବ ବଣ୍ଟନ କରାଯାଇଛି। ସେମାନେ କର୍ମୀମାନଙ୍କୁ ଧରି ଅଲଗା ଅଲଗା ଗ୍ରୁପ୍‌ର ନେତୃତ୍ବ ନେଇ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି।

ୱାର୍ଡରେ ଦଳ ଯେପରି ଭଲ ପ୍ରଦର୍ଶନ କରିବ ଏବଂ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଏକାଧିକ କାର୍ଯ୍ୟାଳୟ ଖୋଲାଯାଇଛି। ଭୋଟର ଯେଉଁଠି ବି ସମସ୍ୟାର ସମ୍ମୁଖୀନ ହେବେ ସେମାନଙ୍କୁ ସହାୟକ ଯୋଗାଇ ଦେବା କ୍ଷେତ୍ରରେ ଯୁବ ଓ ଛାତ୍ର ସଙ୍ଗଠନର ସଦସ୍ୟମାନେ ଆଗେଇ ଆସିବେ। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଏକାଠି କରି ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବା ଦାୟିତ୍ବ ମହିଳା ନେତ୍ରୀଙ୍କ ଉପରେ ନ୍ୟସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe