ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ବର ଆସୁଛନ୍ତି। ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏକ ସମାବେଶରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ଏଥିପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ସମୀର ମହାନ୍ତି ଏକ ପ୍ରଚାର ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଏହି ପ୍ରଚାର ଗାଡ଼ି ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସେହିଭଳି ଜନତା ମଇଦାନରେ ଆଜି ଭୂମି ପୂଜନ ହୋଇଛି। ଦୁଇ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ମହାପାତ୍ର, ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ପୁଲିସ କମିସନର୍ ବୁଲିଲେ ଜନତା ମଇଦାନ
ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ
ଅନ୍ୟପଟେ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସମାବେଶ ସହ ଗୃହମନ୍ତ୍ରୀ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ରହିଛି। ଉଭୟ ସ୍ଥଳରେ କିଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ, ତାହାକୁ ନେଇ କମିସନରେଟ୍ ପୁଲିସ ବ୍ଲୁ-ପ୍ରିଣ୍ଟ ତିଆରି କରିଛି। ଯୋଜନା ମୁତାବକ ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଅତିରିକ୍ତ ପୁଲିସ କମିସନର୍ ଅନୁପ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଭାସ୍ଥଳ ଯାଞ୍ଚ କରିଛନ୍ତି। ସେହିଭଳି ଅପରାହ୍ଣରେ ସିଆରପିଏଫ୍ ଅଧିକାରୀ ଓ ଗୁଇନ୍ଦା ଟିମ୍ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରରେ କିପରି ଶ୍ରୀ ଶାହଙ୍କ ଦର୍ଶନ ଶୃଙ୍ଖଳିତ ହେବ, ସେ ନେଇ ଆଲେଚନା କରିବା ସହ ସୁରକ୍ଷା ବ୍ୟବସ୍ଥା କିଭଳି କଡ଼ାକଡ଼ି ହୋଇପାରିବ, ତାହା ଉପରେ ଆଲୋଚନା ହୋଇଛି।
Follow Us