ପରାଜୟର କାରଣ ଖୋଜୁଛି ବିଜେପି

Advertisment
ପରାଜୟର କାରଣ ଖୋଜୁଛି ବିଜେପି

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ଭାରତୀୟ ଜନତା ଦଳ(ବିଜେପି) ପ୍ରାର୍ଥୀ ଲଗାତାର ଦ୍ବିତୀୟ ଥର ପାଇଁ ବାଜିମାତ୍‌ କଲେ। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ବିଜେଡି ଲୋକସଭା ପ୍ରାର୍ଥୀଙ୍କଠାରୁ ବିଜେପି ପ୍ରାର୍ଥୀ ୫ ହଜାରରୁ ଅଧିକ ଅଧିକ ଭୋଟ ପାଇଲେ। ମାତ୍ର ବିଧାୟକ ପ୍ରାର୍ଥୀ ହାରିଲେ କାହିଁକି? କେଉଁଠି ରହିଲା ତ୍ରୁଟି? ବୁଥ୍‌ସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ କର୍ମକର୍ତ୍ତାଙ୍କୁ ନିର୍ବାଚନମଣ୍ଡଳୀର ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ନିର୍ବାଚନ ସମୟରେ କେନ୍ଦ୍ରୀୟ ନେତୃତ୍ୱ ତଥା ରାଜ୍ୟ ଓ ଜିଲ୍ଲା ନେତୃତ୍ୱଙ୍କୁ ନେଇ ନିର୍ବାଚନୀ ସଭା କରାଯାଇ ଓଡ଼ିଶାରେ କିଭଳି ଡବଲ ଇଞ୍ଜିନ ସରକାର ଆସିପାରିବ ସେଥିପାଇଁ ଦାୟିତ୍ୱ ବଣ୍ଟନ ହୋଇଥିଲା। ତା’ପରେ ମଧ୍ୟ ବିଧାୟକ ପ୍ରାର୍ଥୀ ଜିତିପାରିଲେ ନାହିଁ। ଦାୟିତ୍ବରେ ଥିବା କାର୍ଯ୍ୟକର୍ତ୍ତାମାନେ କିଭଳି ସେମାନଙ୍କ ଦାୟିତ୍ବ ତୁଲାଇଛନ୍ତି ଏବଂ କେଉଁଠି ତ୍ରୁଟି ରହିଲା ସେନେଇ ଦଳୀୟ ନେତୃବୃନ୍ଦ ଆଜି ମାନସମନ୍ଥନ କରିଛନ୍ତି।

ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରସ୍ଥିତ ଏକ ହୋଟେଲରେ ଆୟୋଜିତ ସମୀକ୍ଷା ବୈଠକରେ ଦଳର ପରାଜୟ ନେଇ ବ୍ୟାପକ ଆଲୋଚନା ହୋଇଛି। ଏଥିସହ ଆଗାମୀ ଦିନରେ ବୁଥ ସ୍ତରରୁ ସଙ୍ଗଠନକୁ କିଭଳି ଅଧିକ ମଜଭୂତ କରିହେବ ସେନେଇ ରୂପରେଖ ପ୍ରସ୍ତୁତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନିର୍ବାଚନୀ ସମୀକ୍ଷା ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ କହିଲେ କାର୍ଯ୍ୟକର୍ତ୍ତାମାନେ ନିଷ୍ଠାର ସହ କାର୍ଯ୍ୟ କରିଥିବାରୁ ସେ ସାଂସଦ ହୋଇପାରିଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିପାରିଛି। ରାଜ୍ୟର ବିକାଶ ନିମନ୍ତେ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପଡିବ। ଭୁବନେଶ୍ୱର ଉତ୍ତରର ବିକାଶ କାର୍ଯ୍ୟକ୍ରମରେ ପ୍ରିୟଦର୍ଶୀ ମିଶ୍ର ହିଁ କର୍ଣ୍ଣଧାର ବୋଲି ସେ କହିଥିଲେ। ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ରହି ଦଳର ସମସ୍ତ କର୍ମକର୍ତ୍ତା ନିର୍ବାଚନ ସମୟରେ ସୁଚାରୁରୂପେ କାର୍ଯ୍ୟ କରିଥିବାରୁ ସାଧୁବାଦ ଜଣାଇଥିଲେ। ପର୍ଯ୍ୟବେକ୍ଷକ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ନିଷ୍ଠା, ଏକାଗ୍ରତା ରଖି କାମ କଲେ ଦେଶ ଓ ରାଜ୍ୟର ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସହ ପର୍ଯ୍ୟବେକ୍ଷକ ସୁକେଶୀ ଓରାମ, ନିର୍ବାଚନ ସହ-ପର୍ଯ୍ୟବେକ୍ଷକ ଜୀବନ ସାହୁ ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe