ବିଜେପି ସତ୍ୟାଗ୍ରହ ଦ୍ବିତୀୟ ଦିନରେ : ‘ଦୁର୍ଗନ୍ଧ ସାରା ସହରକୁ ବ୍ୟାପିଲାଣି’

Advertisment

ଟିଟିଏସ୍‌କୁ ଆସିଲା ଦ୍ବିତୀୟ ଟେରେକ୍ସ ମେସିନ୍‌, ଶୁକ୍ରବାରଠାରୁ ୩ ସିଫ୍ଟରେ ବର୍ଜ୍ୟ ପରିଚାଳନା

ଟିଟିଏସ୍‌କୁ ଆସିଲା ଦ୍ବିତୀୟ ଟେରେକ୍ସ ମେସିନ୍‌, ଶୁକ୍ରବାରଠାରୁ ୩ ସିଫ୍ଟରେ ବର୍ଜ୍ୟ ପରିଚାଳନା

ବିଜେପି ସତ୍ୟାଗ୍ରହ ଦ୍ବିତୀୟ ଦିନରେ : ‘ଦୁର୍ଗନ୍ଧ ସାରା ସହରକୁ ବ୍ୟାପିଲାଣି’

ଚନ୍ଦ୍ରଶେଖରପୁର: ଗାଡ଼କଣସ୍ଥିତ ଡମ୍ପିଂୟାର୍ଡର ଦୁର୍ଗନ୍ଧରେ ଗାଡ଼କଣ, ରଙ୍ଗମାଟିଆ, ଡମଣା, ମଞ୍ଚେଶ୍ବର, ଭିଏସ୍‌ଏସ୍‌ନଗର ବାସିନ୍ଦାଙ୍କ ଜୀବନ ଅତିଷ୍ଠ ହେଉଥିଲା। ଏବେ ଏହା ସାରା ସହରକୁ ବ୍ୟାପିଲାଣି। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ବମିଖାଲ, ୟୁନିଟ୍‌-୯, ସହିଦନଗର, ସତ୍ୟନଗର, ଭୋଇସାହି, ଜୟଦେବ ବିହାର, ପଳାସୁଣି, ଚକେଶସିଆଣି ପରି ଅଞ୍ଚଳବାସୀ ମଧ୍ୟ ଏବେ ଦୁର୍ଗନ୍ଧରେ ବଞ୍ଚୁଛନ୍ତି। ବିଜେପି ବାରମ୍ବାର ବିଏମ୍‌ସି ଓ ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇଥିଲେ ମଧ୍ୟ ତାହାର ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ। ତେଣୁ ଏଥର କଠୋର ନିଷ୍ପତ୍ତି ନିଆଯାଇଛି। ଯେପର୍ଯ୍ୟନ୍ତ ରାଜ୍ୟ ସରକାର ଡମ୍ପିଂୟାର୍ଡର ସ୍ଥାୟୀ ସମାଧାନ ନ କରିଛନ୍ତି, ସେପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରହିବ ବୋଲି ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଏମ୍‌ସି ଲୋକଙ୍କଠାରୁ ଟିକସ ନେଇ ନିଜ ଦାୟିତ୍ୱ ଭୁଲି ଯାଇଛି। ଡମ୍ପିଂୟାର୍ଡର ଅସୁସ୍ଥ ପରିବେଶ, ବାୟୁ ପ୍ରଦୂଷଣ ଓ ଅସହ୍ୟ ଦୁର୍ଗନ୍ଧ କାରଣରୁ ସ୍ଥାନୀୟ ଅଞ୍ଚଳବାସୀ ଘର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି। ସରକାର ଆଉ ଭୁବନେଶ୍ୱରବାସୀଙ୍କ ଦୁଃଖ ଓ ଧୈର୍ଯ୍ୟର ସୀମାକୁ ପରୀକ୍ଷା ନକରି ସୁବ୍ୟବସ୍ଥା କରନ୍ତୁ। ସହରଠାରୁ ଦୂରରେ ଡମ୍ପିଂୟାର୍ଡ ପ୍ରସ୍ତୁତ କରନ୍ତୁ। ନ ହେଲେ ଆଗକୁ ଯେଉଁ ଭୟଙ୍କର ଆନ୍ଦୋଳନ ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି। ଆଜି ଦ୍ୱିତୀୟ ଦିନର ସତ୍ୟାଗ୍ରହରେ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ମନ୍ଧେକ୍ସ ମହାପାତ୍ର, ବରିଷ୍ଠ ନେତା ଭୂବନାନନ୍ଦ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭାସିନୀ ପୃଷ୍ଟି, କୃଷକ ମୋର୍ଚ୍ଚା ସଭାପତି ବିକ୍ରମ ପ୍ରଧାନ, ଓବିସି ମୋର୍ଚ୍ଚା ସଭାପତି ସୁଶିଲ ସାହୁ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିଦ୍ଦିକ ଅହମ୍ମଦ ଖାଁ, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ରାଜେନ୍ଦ୍ର ଦାସ, ସୁଶାନ୍ତ ସାବତ, ବିଭାସ ସେନଗୁପ୍ତା, ମାନସୀ ରାୟ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି, ମଣ୍ଡଳ ସଭାପତି ଯତୀନ୍ଦ୍ର ମହାନ୍ତି ଓ ସଂଗ୍ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଟିଟିଏସ୍‌କୁ ଆସିଲା ଦ୍ବିତୀୟ ଟେରେକ୍ସ ମେସିନ୍‌
ଟିଟିଏସ୍‌ରେ ବର୍ଜ୍ୟ ପରିଚାଳନା କାର୍ଯ୍ୟକୁ ତ୍ବରାନ୍ବିତ କରିଛି ବିଏମ୍‌ସି। ଆଜି ଏଠା‌ରେ ଆଉ ଗୋଟିଏ ଟେରେକ୍ସ ୱାରିୟର ମେସିନ ପହଞ୍ଚିଛି। ମେସିନ ପହଞ୍ଚିବା ପରେ ତାହାକୁ ବର୍ଜ୍ୟ ପୃଥକୀକରଣରେ ବ୍ୟବହାର କରାଯାଇଛି। ଏବେ ଟିଟିଏସ୍‌ରେ ଏହି ନୂଆ ମେସିନ୍‌ ସହ ଦୁଇଟି ଟେରେକ୍ସ ୱାରିୟର ଓ ଦୁଇଟି ଟ୍ରମେଲ ମେସିନ କାର୍ଯ୍ୟକ୍ଷମ ଅଛି। ଡିସେମ୍ବର ୧ରୁ ଏଠାରେ ୩ଟି ସିଫ୍ଟରେ ବର୍ଜ୍ୟ ପରିଚାଳନା କରାଯିବ। ଫଳରେ ଧାର୍ଯ୍ୟ ସମୟ ଠାରୁ ଢେର୍‌ କମ୍‌ ଦିନରେ ଏହି ବର୍ଜ୍ୟସବୁର ପରିଚାଳନା ସମ୍ଭବ ହେବ ବୋଲି କହିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ। ଗତ ୧୫ ଦିନ ମଧ୍ୟରେ ୧୮ ହଜାର ମେଟ୍ରିକ ଟନ୍‌ ବର୍ଜ୍ୟ ପୃଥକୀରଣ ହୋଇଛି ଓ ଗଦା ହୋଇଥିବା ବର୍ଜ୍ୟ ଉଚ୍ଚତାରୁ ୨ ମିଟର କମ୍‌ ହୋଇଛି। ଡିସେମ୍ବର ଶେଷ ସୁଦ୍ଧା ଆଖିଦୃଶିଆ କାମ ହୋଇପାରିବ ବୋଲି କମିସନର ଆଶା କରିଛନ୍ତି। ୨୦୨୪ ସୁଦ୍ଧା ଜିରୋ ଡମ୍ପିଂ ଓ ଶତ ପ୍ରତିଶତ ରିୟଲ ଟାଇମ୍‌ ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ବିଏମ୍‌ସି ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe