ଏକାମ୍ରକାନନ ଫାର୍ମ ସମ୍ମୁଖରେ ବିଜେପିର ବିକ୍ଷୋଭ

Advertisment
ଏକାମ୍ରକାନନ ଫାର୍ମ ସମ୍ମୁଖରେ ବିଜେପିର ବିକ୍ଷୋଭ

ଭୁବନେଶ୍ବର: ଭୁବନେଶ୍ବର ଉଦ୍ୟାନ କୃଷି କାର୍ଯ୍ୟାଳୟ ନିକଟସ୍ଥ ଏକାମ୍ରକାନନ ଫାର୍ମର ଜମିକୁ ସରକାର ଫେରାଇ ନେବାକୁ ଚକ୍ରାନ୍ତ କରୁଥିବା ଘଟଣାକୁ ନେଇ ବିରୋଧ ବଢ଼ିବାରେ ଲାଗିଛି। ଗତକାଲି କଂଗ୍ରେସ ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ କଡ଼ା ଭର୍ତ୍ସନା କଲା ପରେ ଆଜି ବିଜେପି ରାସ୍ତାକୁ ଓହ୍ଲାଇଛି। ବିଜେପି ପକ୍ଷରୁ ଏକାମ୍ର କାନନ ଫାର୍ମ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର ନ କଲେ ଆନ୍ଦୋଳନ ତୀବ୍ର କରା‌ଯିବ ବୋଲି ଚେତାବନୀ ଦିଆଯାଇଛି।

ବିଜେପିର ଶ୍ରୀକୃଷ୍ଣ ମଣ୍ଡଳ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭରେ ଯୋଗ ଦେଇ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ପ୍ରଧାନ ଓ ବରିଷ୍ଠ ନେତା ଦିଲ୍ଲୀପ ମହାନ୍ତି କହିଥିଲେ ଯେ ଉଦ୍ୟାନ ପରିସରରେ ଥିବା ଆମ୍ବ ଗଛ ସମେତ ପ୍ରାୟ ୮ ହଜାରର ଊର୍ଦ୍ଧ୍ବ ଗଛ କଟା ହୋଇଯିବ। ଫଳରେ ୫୭୬୫ ଡେସିମିଲ୍ ଜମିକୁ ବାଦ୍ ଦେଲେ ବାକି ସମସ୍ତ ଜାଗାରୁ ଏହି ବୃକ୍ଷରାଜିକୁ ଉଜାଡ଼ି କଂକ୍ରିଟ୍ ଜଙ୍ଗଲ ଛିଡ଼ା ହେବ। ସରକାରଙ୍କର ଏହି ନିଷ୍ପତ୍ତି ପାଇଁ ୫୦ ବର୍ଷ ତଳର ଗଛ ନଷ୍ଟ ହେବାକୁ ବସିଛି। ଦେଶରେ ଯେତେବେଳେ ୨୦୦ ସହରରେ ନଗରବନ ସୃଷ୍ଟି କରିବାକୁ ଯୋଜନା କରାଯାଉଛି, ସେତେବେଳେ ଆମ ରାଜ୍ୟରେ ନୂତନ ଜଙ୍ଗଲ ସୃଷ୍ଟି କରିବା ପରିବର୍ତେ ପୂର୍ବରୁ ଥିବା ଜଙ୍ଗଲକୁ ନଷ୍ଟ କରାଯାଉଛି। ଜଙ୍ଗଲ ଧ୍ବଂସ ଦ୍ବାରା ସହର ଉପରେ ପ୍ରଭାବ ପଡ଼ିବା ସହିତ ଜୈବ ବିବିଧତା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ଏହା ସହିତ ପରିବେଶ ଉଦ୍ୟାନରେ କାର୍ଯ୍ୟରତ ଶ୍ରମିକଙ୍କ ଚାକିରିର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି। ପରିବେଶ, ତାପମାତ୍ରା, ଜଳବାୟୁ ପ୍ରଦୂଷଣ ଓ ସନ୍ତୁଳନ ରକ୍ଷା କରିବା ଏବଂ ଉଦ୍ୟାନ ବିଭାଗର କାର୍ଯ୍ୟରତ ଶ୍ରମିକ କର୍ମଚାରୀଙ୍କ ଚାକିରି ନିରାପତ୍ତା ପାଇଁ ଉଚିତ ପଦକ୍ଷେପ ନେବାକୁ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ନିକଟରେ ଦାବି କରାଯାଇଥିଲା। ଆଗାମୀ ଦିନରେ ସରକାର ଠିକ୍ ପଦକ୍ଷେପ ନ ନେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ଅଞ୍ଜନ ନାଥ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe