ଚନ୍ଦ୍ରଶେଖରପୁର : ରାଜ୍ୟରେ ମାତୃଜାତି ଆଜି ଅସୁରକ୍ଷିତ ହୋଇପଡ଼ିଛି। ରାଜ୍ୟରେ ସମଗ୍ର ନାରୀ ଜାତି ଆଜି ଅତ୍ୟାଚାରର ଶିକାର ହେଉଛନ୍ତି। ଶକ୍ତିପୀଠ ମା’ ଶୀଖରଚଣ୍ଡୀଙ୍କଠାରୁ ଶକ୍ତି ଆହରଣ କରି ରାଜ୍ୟରେ ଚାଲିଥିବା ଅନ୍ୟାୟ, ଅତ୍ୟାଚାର ଓ ଭ୍ରଷ୍ଟ ସରକାରର ମୂଳୋତ୍ପାଟନ କରିବା ନିମନ୍ତେ ରାଜ୍ୟର ନାରୀ ଜାତି ସହାୟକ ହେବେ। ଆଜି ଭୁବନେଶ୍ୱର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶିଖରଚଣ୍ଡୀରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଅବସରରେ ଏମିତି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିଶିଷ୍ଟ ଅଭିନେତ୍ରୀ ତଥା ନାରୀ ନେତ୍ରୀ ମହାଶ୍ୱେତା ରାୟ। ଭୁବନେଶ୍ୱର ଶାଖା ପକ୍ଷରୁ ଆଜି ଏହି ଯାତ୍ରା ଆରମ୍ଭ ହୋଇଛି। ଯାତ୍ରାରେ ଶତାଧିକ ମହିଳା ଭାଗ ନେଇଥିଲେ। ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଏବଂ ନାରୀ ନିର୍ଯାତନାକୁ ନେଇ ରାଜ୍ୟର ମହିଳା ସମାଜରେ ସଚେତନତା ସୃଷ୍ଟି କରାଯିବ ବୋଲି ଉପସ୍ଥିତ ନେତ୍ରୀମାନେ ପ୍ରକାଶ କରିଥିଲେ। ଆଜି ଏହି ଯାତ୍ରା ଶିଖରଚଣ୍ଡୀରୁ ବାହାରି ବିଗ୍ବଜାର ଛକ ପର୍ଯ୍ୟନ୍ତ ଯାଇଥିଲା। ଯାତ୍ରା ମେ’ ୨୯ରେ ସମାପ୍ତ ହେବ। ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ମହାଶ୍ୱେତା ରାୟ, ମାନସୀ ମଂଜରୀ ରାୟ ପାଢ଼ୀ, ସମୀର ମହାନ୍ତି, ପୃଥ୍ଵୀରାଜ ହରିଚନ୍ଦନ, ହରେକୃଷ୍ଣ ଖୁଣ୍ଟିଆ, ସୁଶାନ୍ତ ସାବତ ପ୍ରମୁଖ ନେତୃତ୍ୱ ନେଇଥିଲେ।
ଶିଖରଚଣ୍ଡୀରୁ ଆରମ୍ଭ ହେଲା ମହିଳା ସୁରକ୍ଷା ଯାତ୍ରା
Advertisment
Follow Us