ପ୍ରାର୍ଥୀ ଚୟନ ପାଇଁ ବିଜେପିର ମାନସମନ୍ଥନ

ପ୍ରାର୍ଥୀ ଚୟନ ପାଇଁ ବିଜେପିର ମାନସମନ୍ଥନ

News18

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ବିଫଳତାର ପ୍ରଭାବ ଯେପରି ପୌର ନିର୍ବାଚନ ଉପରେ ନ ପଡ଼େ, ସେନେଇ ବିଜେପି ରଣନୀତି ପ୍ରସ୍ତୁତ କରୁଛି। ବିଶେଷକରି ଭୁବନେଶ୍ବର ମହାନଗର ନିଗମ ଉପରେ ଦଳ ଅଧିକ ଫୋକସ୍‌ କରିଛି। ୨୦୧୪ ବିଏମ୍‌ସି ନିର୍ବାଚନ ଅପେକ୍ଷା ଏଥର ଦଳ ଯେପରି ଉନ୍ନତ ପ୍ରଦର୍ଶନ କରିବ ସେନେଇ ପ୍ରସ୍ତୁତି ଚାଲିଛି। ତାରିଖ ଘୋଷଣା ପରେ ଦଳର ନେତୃବୃନ୍ଦ ଘନଘନ ବୈଠକ କରି ପ୍ରାର୍ଥୀ ଚୟନରେ ଲାଗି ପଡ଼ିଛନ୍ତି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ବରେ ଦଳ ଏଥର ବିଏମ୍‌ସି ନିର୍ବାଚନ ମଇଦାନକୁ ଓହ୍ଲାଇବ। ତେଣୁ ଭୁବନେଶ୍ବରର ତିନି ବିଧାନସଭା‌ ନିର୍ବାଚନ ମଣ୍ଡଳୀ ଲାଗି ଦଳ ତିନି ଜଣ ବିଜେପି ନେତାଙ୍କୁ ଦାୟିତ୍ବ ଦେଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂ ଦଳର ମଙ୍ଗ ଧରିବେ।

ତିନି ନିର୍ବାଚନମଣ୍ଡଳୀରେ ତିନି ନେତାଙ୍କୁ ଦାୟିତ୍ବ
ଅପରାଜିତାଙ୍କ ନେତୃତ୍ବରେ ଚାଲିଛି ରଣନୀତି
ମେୟର ପ୍ରାର୍ଥୀ ନେଇ ନିଷ୍କର୍ସ ବାହାରିପାରୁନି

ମଧ୍ୟ ଭୁବନେଶ୍ବରରେ ଜଗନ୍ନାଥ ପ୍ରଧାନ ପୁଣିଥରେ ସକ୍ରିୟ ହୋଇଛନ୍ତି। ପ୍ରା‌ର୍ଥୀ ଚୟନଠାରୁ ଆରମ୍ଭ କରି ଜିତିବା ଲାଗି ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ପାଇଁ ରଣନୀତି ପ୍ରସ୍ତୁତ ପର୍ଯ୍ୟନ୍ତ ସବୁ ନିଷ୍ପତ୍ତି ଶ୍ରୀ ପ୍ରଧାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ଉତ୍ତର ଭୁବନେଶ୍ବର ଦାୟିତ୍ବ ଦିଲ୍ଲୀପ ମହାନ୍ତିଙ୍କୁ ଦିଆଯାଇଛି। ଏହି ତିନି ନେତାଙ୍କ ନିଷ୍ପତ୍ତି ଅନୁଯାୟୀ ବିଜେପି ବିଏମ୍‌ସି ନିର୍ବାଚନ ମଇଦାନକୁ ଲମ୍ଫ ପ୍ରଦାନ କରିବ।

ସୂଚନା ଅନୁଯାୟୀ ପ୍ରାର୍ଥୀ ଚୟନ ଲାଗି ଇତି ମଧ୍ୟରେ ଦଳୀୟ ନେତାମାନଙ୍କ ଏକାଧିକ ବୈଠକ ସରିଲାଣି। ସମସ୍ତ ୬୭ଟି ୱାର୍ଡରେ ଦଳ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ହୋଇଛି। ସେଥିମଧ୍ୟରୁ ପାଖାପାଖି ୪୦ରୁ ଅଧିକ ୱାର୍ଡ ଲାଗି ପ୍ରାର୍ଥୀ ଚୟନ ଶେଷ ହୋଇଛି। ବାକି ୱାର୍ଡଗୁଡ଼ିକ ଲାଗି ଆଜି ବି ମାନସମନ୍ଥନ ଚାଲିଥିଲେ ମଧ୍ୟ ଚୂଡ଼ାନ୍ତ ହୋଇପାରି ନାହିଁ। କିଛି ପୂର୍ବତନ କର୍ପୋରେଟରଙ୍କୁ ଦଳ ଏଥର ମଧ୍ୟ ପ୍ରାର୍ଥୀ କରିବାକୁ ଆପାତତଃ ନିଷ୍ପତ୍ତି ନେଇଛି। ବିଶେଷକରି ବିଜୟ ସମ୍ଭାବନା ରହିଥିବା ୨୦ରୁ ୨୫ ୱାର୍ଡରେ ଭଲ ପ୍ରାର୍ଥୀ ଦେବ। ସେମାନଙ୍କ ବିଜୟ ଲାଗି ସମସ୍ତ ପ୍ରକାର କୌଶଳ ଆପଣାଇବାକୁ ସ୍ଥିର ହୋଇଛି।

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ବି ଦଳ ନଜର ରଖିଛି। ସେମାନଙ୍କ ସହ ଦଳୀୟ ନେତାମାନେ ଯୋଗାଯୋଗରେ ଅଛନ୍ତି। ବିଜେଡିରୁ ଟିକେଟ୍‌ ପାଇବାରେ ବିଫଳ ହେଲା ପରେ ବିଜେପି ସେମାନଙ୍କୁ ଡାକି ଟିକେଟ୍‌ ଦେବାର ସମ୍ଭାବନା ରହିଛି। ପାଖାପାଖି ୧୦ଟି ୱାର୍ଡରେ ଏହି ସ୍ଥିତି ଥିବା ଜଣାପଡ଼ିଛି। ତେବେ ଟିକେଟ୍‌ ବଣ୍ଟନଠାରୁ ଆରମ୍ଭ କରି ପ୍ରଚାର ରଣନୀତି ଯାଏ ସବୁ ଚୂଡ଼ାନ୍ତ ନିଷ୍ପତ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନେବେ। ସେ ଏବେ ଦିଲ୍ଲୀ ଗସ୍ତରେ ରହିଥିବାରୁ ଦଳ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିପାରିନି। ମାର୍ଚ୍ଚ ପହିଲାରେ ଅପରାଜିତା ଦିଲ୍ଲୀରୁ ଫେରିବା ପରେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ଅଧିକ ରହିଛି।

ଅନ୍ୟପକ୍ଷରେ ମେୟର ପଦବିରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିନାହିଁ। ଓଡ଼ିଶାର ଜଣେ ‌ମହିଳା ଉଦ୍ୟୋଗୀଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ‌ସେ ଦୌଡ଼ରୁ ଓହରି ଯାଇଛନ୍ତି। ବିଶେଷ କରି ପଞ୍ଚାୟତ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ସେ ପ୍ରାର୍ଥୀ ହେବାକୁ ମନା କରିଦେଇଥିବା ଜଣାପଡ଼ିଛି। ଏବେ ଦ୍ବିତୀୟ ବିକଳ୍ପ ଖୋଜୁଛି ଦଳ। ଏକାଧିକ ମହିଳା ନେତ୍ରୀଙ୍କ ନାଁ ଆସୁଥିଲେ ମଧ୍ୟ କୌଣସି ନିଷ୍କର୍ସରେ ପହଞ୍ଚି ନାହାନ୍ତି ନେତୃବୃନ୍ଦ। ବିଶେଷସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ ୨୦୦୩ରେ କର୍ପୋରେଟର ହୋଇଥିବା ଜଣେ ମହିଳାଙ୍କୁ ମେୟର ପ୍ରାର୍ଥୀ କରିବା ନେଇ ବିଜେପିର ନେତୃବୃନ୍ଦ ଆଲୋଚନା କରୁଛନ୍ତି। ତେବେ ଏହା ଉପରେ ବିଚାରବିମର୍ଶ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe