ଫେସ୍‌ବୁକ୍‌ ବନ୍ଧୁତାରୁ ବ୍ଲାକ୍‌ମେଲ୍‌: ବାହାହେବାକୁ ଆସି ବନ୍ଧାହେଲା

Advertisment

Blackmail from Facebook friendship

Blackmail from Facebook friendship

ଫେସ୍‌ବୁକ୍‌ ବନ୍ଧୁତାରୁ ବ୍ଲାକ୍‌ମେଲ୍‌: ବାହାହେବାକୁ ଆସି ବନ୍ଧାହେଲା

ଭୁବନେଶ୍ବର: ଫେସ୍‌ବୁକ୍‌ରେ ବନ୍ଧୁତା ସ୍ଥାପନ କରି ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଲା। ବନ୍ଧୁତା ବଢ଼ିବା ପରେ ସେମାନଙ୍କ ଭିତରେ ଚାଟିଂ ହେଲା ଓ କଥା ଫଟୋ ସେୟାର ପର୍ଯ୍ୟନ୍ତ ଗଲା। ଏହା ପରେ ଆରମ୍ଭ ହେଲା ବାହା ହେବାକୁ ବ୍ଲାକ୍‌ମେଲ୍‌। କିନ୍ତୁ ଧୂର୍ତ୍ତର ଏହି ଚାଲ୍‌ କାମ କଲାନି। ତାମିଲନାଡ଼ୁରୁ ବାହା ହେବାକୁ ଧାଇଁ ଆସି ଭୁବନେଶ୍ବର କମିସନରେଟ୍‌ ପୁଲିସ ହାତରେ ବନ୍ଧା ହେଲା। ଅଭିଯୁକ୍ତ ହେଲା ଖୋର୍ଦ୍ଧା ଅଞ୍ଚଳର ବିକାଶ ବରାଳ। ପାଖାପାଖି ବର୍ଷକ ତଳେ ତାମିଲନାଡ଼ୁରେ କାମ କରୁଥିବା ବିକାଶ କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ଜଣେ ନାବାଳିକାଙ୍କ ସହ ଫେସ୍‌ବୁକ୍‌ରେ ପରିଚିତ ହେଲା। ଧୀରେଧୀରେ ଉଭୟଙ୍କ ମଧ୍ୟ‌ରେ ବନ୍ଧୁତା ବଢ଼ିଲା। ପରସ୍ପର ଭିଡିଓ ଚାଟିଂ କରିବା ସହ ଘଣ୍ଟାଘଣ୍ଟା ଧରି ଫୋନ୍‌ରେ କଥା ହେଲେ। ତେବେ ଉଭୟଙ୍କ ମଧ୍ୟରେ କେତେକ ସମ୍ବେଦନଶୀଳ କଥାବାର୍ତ୍ତା ଓ ଭିଡିଓର ରେକର୍ଡିଂ କରି ନେଇଥିଲା ଧୂର୍ତ୍ତ ବିକାଶ।

ଏହାକୁ ଢାଲ କରି ବିକାଶ ନାବାଳିକାଙ୍କ ସହ ଚାଲ୍‌ ଖେଳିଲା। ବାହା ହେବାକୁ ଜିଦ୍‌ କଲା। କିନ୍ତୁ ବୟସ ହୋଇନଥିବା ଓ ପଢ଼ା ସରିନଥିବା କାରଣରୁ ନାବାଳିକା ଆଉ କିଛି ବର୍ଷ ଅପେକ୍ଷା କରିବାକୁ କହିଥିଲେ। ମାତ୍ର ବିକାଶ ଅପେକ୍ଷା କରିବାକୁ ନାରାଜ ଥିଲା। ବାହା ନହେଲେ ଭିଡିଓ ଓ କଲ୍‌ ରେକର୍ଡିଂକୁ ଭାଇରାଲ୍‌ କରିବ ବୋଲି ଧମକ ଦେଲା। ଶେଷରେ ବାଧ୍ୟ ହୋଇ ନାବାଳିକା ପରିବାର ଲୋକଙ୍କୁ ଜଣାଇଲେ। ଏନେଇ ପରିବାର ଲୋକ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସାଇବର ପୁଲିସ ତାକୁ କାବୁ ପାଇଁ ଯୋଜନା କରିଥିଲା। ବିକାଶ କଥାରେ ରାଜି ହେବାକୁ ପୁଲିସ ନାବାଳିକାକୁ କହିଥିଲା। ପୁଲିସ ପରାମର୍ଶ ଅନୁସାରେ ନାବାଳିକାଙ୍କ ପରିବାର ଲୋକେ ବିକାଶକୁ ଭୁବନେଶ୍ବର ଭିଏସ୍‌ଏସ୍‌ନଗରର ଏକ କଲ୍ୟାଣମଣ୍ଡପକୁ ଡକାଇଥିଲେ। ତାମିଲନାଡ଼ୁରୁ ଭୁବନେଶ୍ବର ଆସି ଉକ୍ତ କଲ୍ୟାଣମଣ୍ଡପରେ ପହଞ୍ଚି ଯାଇଥିଲା ଓ ପୁଲିସ ଜାଲ‌ରେ ଛନ୍ଦି ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe