ଯୁବତୀଙ୍କୁ ଫୋନ୍ କରି ବ୍ଲାକ୍‌ମେଲିଂ, ଅନ୍ତରଙ୍ଗ ଭିଡିଓ ଭାଇରାଲ୍ କରିଦେବି...

Advertisment

ସାଇବର ହେଲପ୍ ଡେସ୍କରେ ଅଭିଯୋଗ, ସତର୍କ ହେବାକୁ କହିଲେ ଡିସିପି

ସାଇବର ହେଲପ୍ ଡେସ୍କରେ ଅଭିଯୋଗ, ସତର୍କ ହେବାକୁ କହିଲେ ଡିସିପି

ଅନ୍‌ଲାଇନ୍‌ରେ ଯୌନ ଶୋଷଣ ମାମଲା: ବର୍ଷକରେ ୪ଶହ ପ୍ରତିଶତ ବୃଦ୍ଧି, ବ୍ଲାକ୍‌ମେଲ୍‌ କରି ତିଆରି କରୁଛନ୍ତି ଅଶ୍ଳୀଳ ଭିଡିଓ

Sakshi

ଭୁବନେଶ୍ବର : ‘ତମେ ହାଇଦ୍ରାବାଦରେ ଯେଉଁ ପୁଅ ସହ ଫୋନରେ କଥା ହେଉଥିଲ, ବୁଲୁଥିଲ; ତମର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ, ଫଟୋ ମୋ ପାଖରେ ଅଛି। ଟଙ୍କା ପଠାଅ ନହେଲେ ଭାଇରାଲ୍ କରିଦେବି।’ ଜଣେ ଯୁବତୀଙ୍କୁ ଏଭଳି ଧମକପୂର୍ଣ୍ଣ କଲ୍ କରି ବ୍ଲାକ୍‌ମେଲିଂ କରୁଥିଲା ଅଜଣା ଯୁବକ। କିନ୍ତୁ ସାଇବର ଠକାମିର ଶିକାର ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବତୀ। ଏ ନେଇ ସେ ଡିସିପିଙ୍କ କାର୍ଯ୍ୟା​ଳୟରେ ଥିବା ସାଇବର ହେଲପ୍ ଡେସ୍କରେ ଅଭିଯୋଗ କରିଛନ୍ତି। ଏହା ସାଇବର ଠକଙ୍କ କାମ ବୋଲି ଜଣାପଡ଼ିଛି। ଏହି ଘଟଣା ପଦାକୁ ଆସିବା ପରେ ଡିସିପି ସତର୍କତା ଜାରି କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଯୁବତୀଙ୍କ ପାଖକୁ ଗତ କିଛିଦିନ ତଳେ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଲା। ଯୁବତୀ ରିସିଭ୍ କରିବା ପରେ ଫୋନ୍ କରିଥିବା ଠକ ସେପଟୁ କହିଥିଲା ତମେ ଯେଉଁ ଯୁବକଙ୍କ ସହ କଥା ହେଉଛ ଓ ବୁଲୁଛ ତା’ ସହ ତମର ଅନ୍ତରଙ୍କ ଭିଡିଓ ମୋ ପାଖରେ ଅଛି। ସେ ଏଭଳି ବ୍ଲାକମେଲିଂ କରିବାରୁ ଯୁବତୀ ଜଣକ ସାଇବର ହେଲ୍‌ପ ଡେସ୍କର ସହାୟତା ନେଇଥିଲେ। ଆଉ ପୁଲିସର ପରାମର୍ଶ ଅନୁସାରେ, ଠକ ଫୋନ୍ କରିବା ପରେ ଯୁବତୀ ତାଙ୍କୁ କହିଥିଲେ ତୋ ଫୋନ୍ ଏବେ ପୁଲିସ ଟ୍ରାକିଂ କରୁଛି। ମୋ ସହ ଯାହା ବି କଥାବାର୍ତ୍ତା କରୁଛୁ ସବୁ ସିଧାସଳଖ ପୁଲିସ ଶୁଣୁଛି। ପୁଲିସ ତୋର ଲୋକେସନ୍ ଠାବ କରିସାରିଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହା ଶୁଣିବା ପରେ ଠକର ସ୍ବର ନରମି ଯାଇଥିଲା। ଯୁବତୀଙ୍କୁ ଭୁଲ୍ ମାଗିବା ଆରମ୍ଭ କରିଥିଲା। ଠକ କହିଥିଲା ମୋର ଅସୁବିଧା, ମୁଁ ସେ ସମ୍ପର୍କରେ ଜଣାଇବାକୁ ଚାହୁଁଥିଲି। କିନ୍ତୁ ଆପଣ ମୋତେ ଭୁଲ୍ ବୁଝିଲେ। ଯାହା ଆପଣ ବିଚାର କରିବେ। ଏହା ପରେ କଲ୍ କାଟି ଦେବା ସହ ଆଉ ଫୋନ୍ କରି ନ ଥିଲା। ଯୁବତୀ ଏ ସବୁ କଥାବାର୍ତ୍ତାକୁ ମୋବାଇଲ ଫୋନରେ ରେକର୍ଡିଂ କରି ସାଇବର ହେଲ୍‌ପ ଡେସ୍କରେ ଦାଖଲ କରିଛନ୍ତି। ମୋବାଇଲ ନମ୍ବରକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ ଡିସିରି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅନେକ ଯୁବତୀଙ୍କ ପାଖକୁ ଏଭଳି କଲ୍ ଆସୁଥିବା ଦେଖିବାକୁ ମିଳୁଛି। ଯେଉଁମାନେ ଏଭଳି କଲ୍ ପାଉଛନ୍ତି ସେମାନେ ତୁରନ୍ତ ସାଇବର ହେଲ୍‌ପ ଡେସ୍କ କିମ୍ବା ସ୍ଥାନୀୟ ଥାନାରେ ଅଭିଯୋଗ କରନ୍ତୁ। ଅଭିଯୋଗକାରୀଙ୍କ ଠିକଣା ଓ ନାମ ଗୋପନ ରଖାଯିବ। ବ୍ଲାକମେଲିଂ କରି ଟଙ୍କା ଠକିବାର ଏହା ଏକ ତରିକା। ୯୯ ପ୍ରତିଶତ ଘଟଣାରେ ଦେଖିବାକୁ ମିଳିଛି ଥାନାରେ ଅଭିଯୋଗ ପରେ ଠକ ଆଉ କଲ୍ କରୁନାହିଁ। ଏଭଳି କଲ୍ ପ୍ରତି ସଚେତନ ରହିବାକୁ ପଡ଼ିବ।

ଏଭଳି ଘଟଣା ନୂଆ ନୁହେଁ; ପ୍ରାୟ ତିନି ମାସ ତଳେ ରମାଦେବୀ ବିଶ୍ବବିଦ୍ୟାଳୟରେ କେତେକ ଛାତ୍ରୀଙ୍କୁ ଏଭଳି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ, ଫଟୋ ଭାଇରାଲ୍ କରିଦେବ କହି ବ୍ଲାକମେଲିଂ କରିଥିଲା ଠକ। ଏପରିକି ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟ ଦେଇ ତା’ ପାଖକୁ କିଛି ଭିଡିଓ, ଫଟୋ ଆସିଥିଲା କହିଥିଲା। ଏହା ଠକର କାମ ବୋଲି ଜାଣିବା ପରେ ଛାତ୍ରୀମାନେ ଏ ନେଇ ସାଇବର ହେଲପ୍ ଡେସ୍କ ଓ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ ଠକ ସେମାନଙ୍କ ପିଛା ଛାଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe