ଅଧିକ କଡ଼ାକଡ଼ି ହେବ ବ୍ଲକିଂ ଚେକିଂ: ମାସକରେ ତଣ୍ଡ ଗଣିଲେଣି ୭୦୦ରୁ ଊର୍ଧ୍ବ

Advertisment
ଅଧିକ କଡ଼ାକଡ଼ି ହେବ ବ୍ଲକିଂ ଚେକିଂ: ମାସକରେ ତଣ୍ଡ ଗଣିଲେଣି ୭୦୦ରୁ ଊର୍ଧ୍ବ

ଭୁବନେଶ୍ବର: ରାଜଧାନୀରେ ଚାଲିଥିବା ସେଫ୍‌ ସିଟି ଡ୍ରାଇଭ୍ ପଦକ୍ଷେପକୁ କମିସନରେଟ୍‌ ପୁଲିସ ଅଧିକ କଡ଼ାକଡ଼ି କରିବ। ବିଶେଷକରି ମଦୁଆ ଗାଡ଼ି ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟରେ କ୍ଷମତା ଦଖଲ କରିଥିବା ନୂଆ ସରକାର ମଧ୍ୟ ଏଥିପ୍ରତି ସବୁଜ ସଙ୍କେତ ଦେଇଥିବା ସୂଚନା ମିଳିଛି। ତେଣୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ଯଥାସମ୍ଭବ କଠୋର ଦଣ୍ଡ ଦେବାକୁ ପୁଲିସ ଅଧିକ ତତ୍ପର ହୋଇପଡ଼ିଛି। ଏମିତିକି ଖୋଦ୍‌ ସିପି ଓ ଡିସିପି ରାତିରେ ବ୍ଲକିଂ ଚେକିଂ କରିବାକୁ ଯାଉଛନ୍ତି। ରାଜଧାନୀର ସବୁ ଥାନା ଅଞ୍ଚଳରେ ବ୍ଲକିଂ ଚେକିଂ ପୂର୍ବାପେକ୍ଷା ଜୋର୍‌ଦାର କରାଯିବ ବୋଲି ଜଣାପଡ଼ିଛି।

ସହରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ସବୁଠି ଜଗିବସିଛି କମିସନରେଟ୍‌ ପୁଲିସ। ତେଣୁ ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଗାଡ଼ି ଚାଳକ ଖସିଯିବା ସମ୍ଭବ ନୁହେଁ। ଧରାପଡ଼ିବା ନିଶ୍ଚିତ। ଜରିମାନା ତ ଗଣିବେ, ଗାଡ଼ି ମଧ୍ୟ କୋର୍ଟକୁ ଯିବ। ଦରକାର ପଡ଼ିଲେ ଚାଳକକୁ ମଧ୍ୟ ଜେଲ୍‌ ଯିବାକୁ ପଡ଼ିବ। ପୂର୍ବ ଭଳି ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ। ଦ୍ବୈତନଗରୀରେ ଘଟୁଥିବା ବିଭିନ୍ନ ଅପରାଧ ଓ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ କମିସନରେଟ୍‌ ପୁଲିସ ଏଭଳି କଠୋର ନୀତି ଆପଣେଇଛି। ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ସାରା ସହରରେ ବ୍ଲକିଂ ଚେକିଂଙ୍କୁ ଜୋର୍‌ଦାର କରାଯାଉଛି। ବିଶେଷକରି ପ୍ରତି ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ସହରର କୋଣ ଅନୁକୋଣରେ ଚଢ଼ଉ କରାଯାଉଛି। ଏମିତିକି ଅଧିକାଂଶ ସମୟରେ ଖୋଦ୍‌ ପୁଲିସ କମିସନର ଓ ଡିସିପି ପାଟ୍ରେଲିଂରେ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। ତେଣୁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଛନକା ପଶିଛି। ଗତ ମାସରେ ୭୦୦ରୁ ଊର୍ଧ୍ବ ନିୟମ ଉଲ୍ଲଂଘନକାରୀ ତଣ୍ଡ ଗଣିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶଙ୍କୁ ମଦ୍ୟପାନ ଯୋଗୁ ଜରିମାନା କରାଯାଇଛି।

ଗତ ଶୁକ୍ରବାର ଓ ଶନିବାର ରାତିରେ କମିସନରେଟ୍‌ ପୁଲିସର ୨ ଟ୍ରାଫିକ୍‌ ଥାନା ସମେତ କ୍ୟାପିଟାଲ୍‌ ଥାନା, ଖାରବେଳନଗର, ଧଉଳି, ଲିଙ୍ଗରାଜ, ଏୟାରଫିଲ୍ଡ, ଏୟାରପୋର୍ଟ, ତମାଣ୍ଡୋ, ଖଣ୍ଡଗିରି, ଭରତପୁର, ଇନ୍‌ଫୋଭ୍ୟାଲି, ଜଟଣୀ, ବଡ଼ଗଡ଼, ଲକ୍ଷ୍ମୀସାଗର, ବାଲିଅନ୍ତା, ବାଲିପାଟଣା, ପାହାଳ, ନୂଆପଲ୍ଲୀ, ମଞ୍ଚେଶ୍ୱର, ସହିଦନଗର, ମୈତ୍ରୀବିହାର, ଚନ୍ଦକା, ନନ୍ଦନକାନନ, ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଆଦି ୨୬ ଥାନା ପକ୍ଷରୁ ୫୦ଟି ସ୍ଥାନରେ ଚେକିଂ ବ୍ଲକିଂ କରାଯାଇଥିଲା। ପ୍ରତି ଜୋନ୍‌ର ଏସିପି, ଥାନା ଅଧିକାରୀଙ୍କ ନେତୃତ୍ବରେ ଅଧିକାରୀ ଓ କର୍ମଚାରୀଙ୍କ ସମତେ ୧ ସେକ୍ସନ ଲେଖାଏଁ ପୁଲିସ ଫୋର୍ସ ସାମିଲ ହୋଇଥିଲେ। ମଦ ପିଇ ଗାଡ଼ି ଚାଳନା ଯୋଗୁ ୮୭ ଗାଡ଼ି, ରଙ୍ଗ ସାଇଡ୍‌ ଡ୍ରାଇଭ୍‌ ‌ଯୋଗୁ ୫୦ ଗାଡ଼ି ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ରେ କଥାବାର୍ତ୍ତା ଯୋଗୁ ୬ ଗାଡ଼ିକୁ ଜବତ କରାଯାଇଥିଲା। ମୋଟ ୧୪୩ ଅମାନିଆଙ୍କଠାରୁ ୯୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ନୂଆ ନିୟମ ଅନୁସାରେ ଧରାପଡ଼ୁଥିବା ମଦ୍ୟପ ଚାଳକ ବିରୋଧରେ ମାମଲା ରୁଜୁକରି ଗିରଫ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe