ରାଜଧାନୀରେ ଅପରାଧ ରୋକିବ ନୀଳ ନକ୍‌ସା: ୨୫୦ ଜାଗାରେ ଲାଗିବ ୨୦୦୦ ସିସିଟିଭି

ରାଜଧାନୀରେ ବଢ଼ି ଚାଲିଥିବା ବିଭିନ୍ନ ପ୍ରକାରର ଅପରାଧ ବର୍ତ୍ତମାନ କମିସନରେଟ୍‌ ପୁଲିସର ଚିନ୍ତା ବଢ଼ାଇଛି। ଅପରାଧ ରୋକିବାକୁ ପୁଲିସ ନୂଆନୂଆ ଯୋଜନା କରୁଥିଲେ ହେଁ ଅପରାଧୀମାନଙ୍କୁ ସାବାଡ଼ କରିବା ସମ୍ଭବ ହେଉନାହିଁ।

ଯୁକ୍ତ ୩ କଲେଜ ଶ୍ରେଣୀଗୃହରେ ଲାଗିବ ସିସିଟିଭି କ୍ୟାମେରା

ଭୁବନେଶ୍ବର: ରାଜଧାନୀରେ ବଢ଼ି ଚାଲିଥିବା ବିଭିନ୍ନ ପ୍ରକାରର ଅପରାଧ ବର୍ତ୍ତମାନ କମିସନରେଟ୍‌ ପୁଲିସର ଚିନ୍ତା ବଢ଼ାଇଛି। ଅପରାଧ ରୋକିବାକୁ ପୁଲିସ ନୂଆନୂଆ ଯୋଜନା କରୁଥିଲେ ହେଁ ଅପରାଧୀମାନଙ୍କୁ ସାବାଡ଼ କରିବା ସମ୍ଭବ ହେଉନାହିଁ। ରାଜଧାନୀରେ ଅପରାଧ ଘଟାଇ ସହଜରେ ଚମ୍ପଟ ମାରୁଛନ୍ତି ଅପରାଧୀମାନେ। ସିସିଟିଭି ଅଭାବ ହେତୁ ଖସି ପଳାଉଥିବା ଅପରାଧୀମାନଙ୍କୁ ଠାବ କରିବା ସହଜ ହେଉନାହିଁ। ତେଣୁ ପର୍ଯ୍ୟାପ୍ତ ସିସିଟିଭି ଲଗାଇବାକୁ ପୁଲିସ ଯୋଜନା କରୁଛି। ଏଥିପାଇଁ ରାଜଧାନୀରେ ନୂଆ ୨୫୦ ଜାଗା ଚିହ୍ନଟ କରାଯାଇଛି ଏବଂ ପାଖାପାଖି ୨୦୦୦ ସିସିଟିଭି ଲଗାଇବାକୁ ପୁଲିସ ନୀଳ ନକ୍‌ସା କରିଛି। ଏଥିପାଇଁ କମିସନରେଟ୍‌ ପୁଲିସ ସ୍ମାର୍ଟ ସିଟିକୁ ପ୍ରସ୍ତାବ ଦେଇଛି। 

ନିକଟରେ ରାଜଧାନୀରେ ଘଟିଥିବା କେତୋଟି ସଂଗିନ ଅପରାଧକୁ ନେଇ ପୁଲିସର ଚିନ୍ତା ବଢ଼ିଛି। ବିଏମ୍‌ସି ସଫେଇ ସଂଘର ସମ୍ପାଦକ ସହଦେବ ନାୟକ ହତ୍ୟାକାଣ୍ଡ ଏହି ଅପରାଧ ମଧ୍ୟରୁ ଅନ୍ୟତମ। ଯୋଜନାବଦ୍ଧ ଭାବେ ଘଟିଥିବା ଏହି ହତ୍ୟାକାଣ୍ଡ ଯେଉଁଠି ଘଟିଥିଲା, ସେଠାରେ ସିସିଟିଭି ନଥିଲା। ଦିବାଲୋକରେ ପୁଣି ଜନଗହଳିପୂର୍ଣ୍ଣ ଜାତୀୟ ରାଜପଥ ଉପରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ମାତ୍ର ସେଠାରେ ସିସିଟିଭି ନ ଥିବାରୁ ପୁଲିସ ପାଇଁ ଅପରାଧୀମାନଙ୍କୁ ଚିହ୍ନଟ କରିବା ସମ୍ଭବ ନଥିଲା। ତେବେ ଏହି ମାମଲାରେ ଜଣେ ବାଇକ୍‌ ଆରୋହୀଙ୍କ ମୋବାଇଲ୍‌ରେ ଉତ୍ତୋଳନ ହୋଇଥିବା ଭିଡିଓ ପୁଲିସକୁ ସହାୟକ ହୋଇଥିଲା। ସେହିଭଳି ଅନ୍ୟ ଏକ ସାଂଘାତିକ ଅପରାଧ ଘଟିଥିଲା ସୁନ୍ଦରପଦା-ଜଟଣୀ ରାସ୍ତାରେ। ଝାଡ଼ଖଣ୍ଡର ଦୁର୍ଦାନ୍ତ ଅପରାଧୀମାନେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେବା ବେଳେ ବାଇକ୍‌ରୁ ଖସିପଡ଼ି ମହିଳାଜଣକ ଆହତ ହୋଇଥିଲେ ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଉକ୍ତ ରାସ୍ତାରେ ସିସିଟିଭି ନଥିବାରୁ ପୁଲିସ ଦୁର୍ବୃତ୍ତମାନଙ୍କୁ ସହଜରେ ଚିହ୍ନଟ କରିପାରି ନଥିଲା। ଅବଶ୍ୟ ପରେ ଦୁଇ ହତ୍ୟାକାରୀଙ୍କୁ ପୁଲିସ ଝାଡ଼ଖଣ୍ଡରୁ ବାନ୍ଧିଥିଲା। ସେହିଭଳି ରାଜଧାନୀ ଉପକଣ୍ଠରେ ମାତିଥିବା ମଧ୍ୟପ୍ରଦେଶ ଧର୍‌ ଗ୍ୟାଙ୍ଗ୍‌ ବହୁ ଆପାର୍ଟମେଣ୍ଟରେ କଳାକନା ବୁଲାଇଥିଲେ। କିନ୍ତୁ ଉକ୍ତ ଅଞ୍ଚଳରେ ସିସିଟିଭି ଅଭାବ କାରଣରୁ ସେମାନଙ୍କ ଗତିବିଧି ଠଉରାଇବା ପୁଲିସ ପାଇଁ କାଠିକର ହେଉଥିଲା। ବଡ଼ କଥା ହେଉଛି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ସ୍ପାଇଡର୍‌ ସତୀଶ ମଧ୍ୟ ବେଶ୍‌ ଚତୁରତାର ସହ ସିସିଟିଭିକୁ ଏଡ଼ାଇ ଖସି ଯାଇଥିଲା। ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଭଳି ଭିଭିଆଇପି ଜାଗାରେ ବିଚକ୍ଷଣ ସ୍ପାଇଡର୍‌ ସିସିଟିଭିକୁ ବି ଚକ୍‌ମା ଦେଇଥିଲା। ସେହିଭଳି ରାଜଧାନୀରେ ଘଟୁଥିବା ବହୁ ଦୁର୍ଘଟଣା ମାମଲାରେ ପୁଲିସ ଫେରାର ଗାଡ଼ିମାନଙ୍କୁ ଠାବ କରିପାରୁନାହିଁ। କେତେକ ଅଞ୍ଚଳରେ ସିସିଟିଭି ନଥିବାରୁ ଦୁର୍ଘଟଣା ଘଟାଉଥିବା ଗାଡ଼ିମାନେ ସହଜରେ ଖସି ଯାଉଛନ୍ତି। ତେଣୁ କଳେବର ବଢ଼ୁଥିବା ରାଜଧାନୀରେ ଅଧିକ ସଂଖ୍ୟକ ସିସିଟିଭି ଜରୁରୀ ହୋଇପଡ଼ିଛି।  

ଯୋଜନା ମୁତାବକ ପୁଲିସ ନୂଆ ସିସିଟିଭି ଲଗାଇବାକୁ ୨୫୦ଟି ଜାଗା ବାଛିଛି। ଏଥିରେ ରହିଛି ରାଜଧାନୀର କିଛି ମୁଖ୍ୟ ରାସ୍ତା ଓ କିଛି ଜନଗହଳିପୂର୍ଣ୍ଣ ଗଳି ରାସ୍ତା। ଯେଉଁ ସବୁ ରାସ୍ତା ଅପରାଧପ୍ରବଣ ହୋଇପଡ଼ିଛି, ସେଠାରେ ସିସିଟିଭି ଲାଗିବ। ସେହିଭଳି ଉପକଣ୍ଠସ୍ଥ ଜନଗହଳିପୂର୍ଣ୍ଣ ରାସ୍ତା ଓ କିଛି ପ୍ରମୁଖ ଛକକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏଥିସହିତ ଦୁର୍ଘଟଣା ପାଇଁ ବ୍ଲାକ୍‌ସ୍ପଟ୍‌ ଭାବେ ଜଣାଶୁଣା ଜାଗାକୁ ମଧ୍ୟ ଏଥିପାଇଁ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜଧାନୀରେ ୨୫୮ଟି ଲୋକେସନ୍‌ରେ ସ୍ମାର୍ଟସିଟି ଅଧୀନରେ ୧୧୦୦ ସିସିଟିଭି ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe