ଭୁବେନଶ୍ୱର : ରାଜଧାନୀରେ ଶହ ଶହ ଏକର ସରକାରୀ ଜମି ଏବେ ଜମି ମାଫିଆଙ୍କ କବ୍ଜାରେ। ଛୋଟ, ବଡ଼ ସରକାରୀ ପ୍ରକଳ୍ପ କଲା ବେଳକୁ ଜମି ମିଳୁନି। ଜମି ମିଳିଲେ, ସେଠାରୁ ଜବରଦଖଲ ହଟାଇବାକୁ ଗଲା ବେଳକୁ କୋର୍ଟରୁ ସ୍ଥଗିତାଦେଶ ଆସିଯାଉଛି। ତେଣୁ ଜମି ଜବରଦଖଲକାରୀଙ୍କୁ ଅଧିକ ସମୟ ନଦେଇ ତୁରନ୍ତ ଯେପରି ବେଆଇନ ନିର୍ମାଣ ଉଚ୍ଛେଦ ହେବ, ଅଧିକରୁ ଅଧିକ ସରକାରୀ ଜମି ସରକାରଙ୍କ ଦଖଲକୁ ଆସିବ, ସେନେଇ ବ୍ଲୁଇସ୍ ଯୋଜନା ବା ଭୁବନେଶ୍ବର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ ସିଷ୍ଟମ ଆରମ୍ଭ ହୋଇଛି।
ଏହା ଏମିତି ଏକ ବ୍ୟବସ୍ଥା, ଯେଉଁଥିରେ ଜଣେ ସାଧାରଣଲୋକ ଜବରଦଖଲ ହୋଇଥିବା ଜମିର ଫଟୋ ଉଠାଇ ପଠାଇପାରିବ। ଏହି ଫଟୋକୁ ଦେଖି ବିଏମ୍ସି ଓ ବିଡିଏ ସ୍କ୍ବାଡ୍ ଜମି ଉପରେ ଚଢ଼ଉ କରିବ। ଆଉ ମାପଚୁପ କରି ତୁରନ୍ତ ଉଚ୍ଛେଦ କରିବ।
ବିଡିଏର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଏମ୍ସି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଜମିକୁ ଜବରଦଖଲମୁକ୍ତ କରିବାକୁ ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ା ଯାଇଛି। ଯାହାର ଘର ପାଖରେ, ଅଫିସ୍ ନିକଟରେ କି ଅନ୍ୟ କୌଣସି ସରକାରୀ ଜମି ଜବରଦଖଲ ହୋଇଥିବା ନଜରକୁ ଆସୁଛି, ତେବେ ସେମାନେ ଏହାର ଫଟୋ/ଭିଡିଓ ଉଠାଇ ବ୍ଲୁଇସ୍ ଆପ୍ ମାଧ୍ୟମରେ ପଠାଇପାରିବେ। ଓରସାକ୍ ପକ୍ଷରୁ ଏହି ଅତ୍ୟାଧୁନିକ ଆପ୍ ପ୍ରସ୍ତୁତ ହୋଇଛି। ବିଏମ୍ସି, ବିଡିଏ ଓ ସାଧାରଣ ପ୍ରଶାସନ ସହଯୋଗରେ ପ୍ରସ୍ତୁତ ହୋଇଥିବା ଏହି ଆପ୍କୁ ଗୁଗୁଲ୍ ପ୍ଲେ’ ଷ୍ଟୋର୍ କିମ୍ବା ଆଇଓଏସ୍ରୁ କେହି ବି ଡାଉନଲୋଡ୍ କରି ଅଭିଯୋଗ କରିପାରିବେ।
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବ୍ଲୁଇସ୍ ଆପ୍ ଡାଉନଲୋଡ୍ କରିବା ପରେ ଏଥିରେ ଲଗ୍-ଇନ୍ କରିବାକୁ ପଡ଼ିବ। ଏଥିପାଇଁ ଲଗ୍-ଇନ୍ ଜାଗାରେ ମୋବାଇଲ୍ ନମ୍ବର ଦେବାକୁ ହେବ। ଏହା ପରେ ମୋବାଇଲ୍କୁ ଓଟିପି ଆସିବ। ଏହି ଓଟିପି ଦେଇ ସବ୍ମିଟ୍ କଲେ ଲଗ୍-ଇନ୍ ହୋଇଯିବ। ଏଥିରେ ଥିବା ରିପୋର୍ଟ ଆକ୍ଟିଭିଟି ଉପରେ କ୍ଲିକ୍ କରି ଯେକୌଣସି ଅନଧିକୃତ ନିର୍ମାଣର ଫଟୋ, ଭିଡିଓ ଉଠାଇ ଏହା ସମ୍ପର୍କରେ କିଛି ଲେଖିକି ପଠାଇ ହେବ। କିଛି ନ ଲେଖିକି ବି ଫଟୋ/ଭିଡିଓ ପଠାଇ ହେବ। କର୍ତ୍ତୃପକ୍ଷଙ୍କ ପାଖରେ ଭିଡିଓ/ଫଟୋ ପହଞ୍ଚିଗଲେ, ଏକ ମେସେଜ୍ ଆସିଯିବ। ଏହାପରେ ଆଲର୍ଟ ଆଇଡି ଉପରେ କ୍ଲିକ୍ କଲେ ସୂଚନା ଦିଆଯାଇଥିବା ଅବସ୍ଥା ଦୃଶ୍ୟମାନ ହେବ।
/sambad/media/post_attachments/wp-content/uploads/2020/10/slum-300x180.jpg) The Guardian
 The Guardianଯେଉଁମାନେ ଜବରଦଖଲ ସମ୍ପର୍କରେ ଅଭିଯୋଗ କରିବେ, ସେମାନେ ଜବରଦଖଲ ଜମିର ୫୦ମିଟର ଦୂରତା ଭିତରେ ଫଟୋ, ଭିଡିଓ ଉଠାଇବାକୁ ହେବ। କିଛି ଲ୍ୟାଣ୍ଡମାର୍କ ଥିଲେ ଏହାକୁ ଫଟୋ ଓ ଭିଡିଓ ମାଧ୍ୟମରେ ରଖିବାକୁ ହେବ। ଜଣେ ବିଭିନ୍ନ ଦିଗରୁ ୪ରୁ ୫ଟି ଫଟୋ ଉଠାଇ ପଠାଇପାରିବେ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଅଭିଯୋଗକାରୀ ଫଟୋ ଉଠାଇଲା ବେଳେ ମୋବାଇଲ୍ ଡାଟା ଅନ୍ ରଖିବାକୁ ହେବ। କାରଣ ଫଟୋଗୁଡ଼ିକ ଜିଓ ଟ୍ୟାଗିଂ ହୋଇଯିବ। ସାଟେଲାଇଟ୍ ଇମେଜ୍ ଏବଂ ଫଟୋ ଉଠାଇଥିବା ସ୍ଥାନର ଲାଟିଚ୍ୟୁଡ୍ ଓ ଲଙ୍ଗିଚ୍ୟୁଡ୍ରୁ ଜବରଦଖଲ ଅଞ୍ଚଳର ସବିଶେଷ ବିବରଣୀ ଭୂଲେଖ ୱେବସାଇଟ୍ରୁ ଆସିଯିବ।
ଏହାପରେ କର୍ତ୍ତୃପକ୍ଷଙ୍କ କାମ ଆରମ୍ଭ ହେବ। ଅଭିଯୋଗକାରୀ ପଠାଇଥିବା ଫଟୋ ଓ ଭିଡିଓ ସଂପୃକ୍ତ ୱାର୍ଡର ୱାର୍ଡ ଅଫିସରଙ୍କ ନିକଟକୁ ପଳାଇବ। କିନ୍ତୁ କିଏ ଅଭିଯୋଗ କରିଛନ୍ତି, ସଂପୃକ୍ତ ୱାର୍ଡ ଅଫିସର ଜାଣି ପାରିବେନି। ମୋବାଇଲ୍ ନମ୍ବର ସ୍ଥାନରେ ସିଟିଜେନ୍ ଲେଖା ଆସିବ। ଫଟୋଗୁଡ଼ିକ ଜିଓ ଟ୍ୟାଗିଂ ହୋଇଥିବାରୁ ୱାର୍ଡ ଅଫିସର୍ ଉକ୍ତ ଅଞ୍ଚଳର ଅମିନଙ୍କ ମାଧ୍ୟମରେ ଉକ୍ତ ସ୍ଥାନକୁ ପରିଦର୍ଶନ କରିବେ। ରାଜସ୍ବ ବିଭାଗର ତଥ୍ୟ ଓ ସାଧାରଣ ପ୍ରଶାସନ ବିଭାଗର ତଥ୍ୟ ଅନୁଯାୟୀ, ଉକ୍ତ ସରକାରୀ ଜମି କାହାକୁ ଆବଣ୍ଟନ ହୋଇଛି କି ନାହିଁ, ତାହା ଦେଖିବେ। ଆବଶ୍ୟକସ୍ଥଳେ ମାପଚୁପ କରିବେ। ଯେତିକି ଅଞ୍ଚଳ ଜବରଦଖଲ ହୋଇଥିବ, ତାହାକୁ ଉଚ୍ଛେଦ କରିବା ପାଇଁ ଜେଡ୍ଡିସିଙ୍କୁ ଜଣାଇବେ। ଏହାପରେ ଜେଡ୍ଡିସି ଉଚ୍ଛେଦ କରିବେ।
ଏହି ସବୁ ପ୍ରକ୍ରିୟାରେ ଅଭିଯୋଗକାରୀଙ୍କ ପରିଚୟ ଗୁପ୍ତ ରଖାଯିବ। କେବଳ ଉଚ୍ଚ କର୍ତ୍ତୃପକ୍ଷ ଅଭିଯୋଗକାରୀଙ୍କ ବିଷୟରେ ଜାଣିପାରିବେ। ଏହି ବ୍ୟବସ୍ଥାରେ ଯେପରି ସ୍ବଚ୍ଛତା ଆସିପାରିବ, ସେଥିପାଇଁ ଅଭିଯୋଗକାରୀଙ୍କୁ ତାଙ୍କ ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା, ତା’ର ତଥ୍ୟ ଦିଆଯିବ। ଏପରିକି ଉଚ୍ଛେଦ ବେଳର ଫଟୋ ବି ପଠାଯିବ ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/10/bluis.jpg)