୫ ମାସରେ ବିଏମ୍‌ସିର ଆୟ ୧୦ କୋଟି : ୭୬୮ କୋଟିର ବଜେଟ୍‌ ସ୍ୱପ୍ନ

୭୦୧କୋଟି ଖର୍ଚ୍ଚ କରିବାକୁ ଅର୍ଥ ନାହିଁ, ୫ ମାସରେ ୨୫ କୋଟି ଆଦା‌ୟ ହୁଏ, କିଛି ନୂଆ ପ୍ରକଳ୍ପ ହେବନି

ମଳ ପରିଚାଳନା କ୍ଷେତ୍ରରେ ବିଏମ୍‌ସିକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ୱର : ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ କିଛି ନୂଆ ପ୍ରକଳ୍ପ କରିବେନି ବୋଲି ଆପାତତଃ ନିଷ୍ପତ୍ତି ନେଇଛନ୍ତି। ରାଜସ୍ବ ଅଭାବ ଯୋଗୁଁ ବିଭିନ୍ନ ବିଭାଗକୁ ଅର୍ଥ ଦିଆଯାଉନି। ଏହି ଫାଶରେ ଏବେ ବିଏମ୍‌ସି ପଡ଼ି ଯାଇଛି। ବିଏମ୍‌ସିକୁ ବି କୌଣସି ନୂଆ ପ୍ରକଳ୍ପ ପାଇଁ ଟଙ୍କା ମିଳିବାର ନାହିଁ। ବିଏମ୍‌ସିର ବି ରାଜସ୍ବ ଆଦାୟ ହେଉନି। କେବଳ କିଛି ହୋଲଡିଂ ଟିକସ, ଲାଇସେନ୍ସ ଫି’ ଏବଂ ଜରିମାନା ବାବଦକୁ ଯାହା କିଛି ଆୟ ହେଉଛି। ପାଖରେ ଟଙ୍କା ନଥିବାରୁ ବିଏମ୍‌ସି ବି ନିଜ ଆୟରୁ ଅର୍ଥ ଖର୍ଚ୍ଚ କରି ନୂଆ ପ୍ରକଳ୍ପ କରିବା ସମ୍ଭବ ନୁହେଁ। ତେଣୁ ବିଏମ୍‌ସି ଚଳିତ ଆର୍ଥିକ ବର୍ଷରେ କିଛି ନୂଆ ପ୍ରକଳ୍ପ କରିବନି ବୋଲି ନିଷ୍ପତ୍ତି ନେଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ୫ ମାସରେ ବିଏମ୍‌ସି ମାତ୍ର ୧୦କୋଟି ଆୟ କରିଛି। ଏଥିରୁ ୫ କୋଟି ୯୬ଲକ୍ଷ ଟଙ୍କା ହୋଲଡିଂ ଟିକସ ବାବଦକୁ ଆଦାୟ ହୋଇଥିବା ବେଳେ ବାକି ପ୍ଲାନ୍‌ ଆବେଦନ ଫି’, ଟ୍ରେଡ୍‌ ଲାଇସେନ୍ସ, ପାର୍କିଂସ୍ଥଳୀ ନିଲାମ ବାବଦ ଫି’, ଏନ୍‌ଓସି, ବିଭିନ୍ନ ସମ୍ପତ୍ତି ଭଡ଼ାରୁ ମିଳିଛି। ଏହିପରି ମୋଟ୍‌ ୧୦ କୋଟି ଟଙ୍କା ସେପ୍ଟେମ୍ବର ୧ ସୁଦ୍ଧା ଆୟ ହୋଇଛି।

ବିଏମ୍‌ସି ଚଳିତ ଆର୍ଥିକ ବର୍ଷରେ ୭୦୧ କୋଟି ୩୬ ଲକ୍ଷ ୧୮ହଜାର ୨୨୬ଟଙ୍କା ଆୟ କରିବ ବୋଲି ଯୋଜନା କରିଥିଲା। ଏନେଇ ବି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। କିନ୍ତୁ କରୋନା ମହାମାରୀ ମାର୍ଚ୍ଚ ମାସରୁ ଭୁବନେଶ୍ବରରେ ପଶିବା ପରେ ସବୁ ଓଲଟପାଲଟ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ବିଏମ୍‌ସିର ୭୬୮କୋଟିର ବଜେଟ୍‌ ସ୍ବପ୍ନ ପାଲଟିଯାଇଛି।

ବିଏମ୍‌ସି ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ୫ ମାସରେ ପ୍ରାୟ ୨୫କୋଟି ରାଜସ୍ବ ଆଦାୟ କରିଥାଏ। ଏଥିରେ ପ୍ରାୟ ୧୨କୋଟି ଟଙ୍କା ହୋଲଡିଂ ଟିକସ ବାବଦକୁ ଆସିଥାଏ। କିନ୍ତୁ ଏଥର ଏହାର ପ୍ରାୟ ଅଧା ଆଦାୟ ହୋଇଛି। ଲୋକମାନେ ରିବେଟ୍‌ ପାଉଥିବାରୁ ଆଗୁଆ ହୋଲଡିଂ ଟିକସ ଦେଇଦେଇଛନ୍ତି। ଡିସେମ୍ବରରୁ ମାର୍ଚ୍ଚ ଭିତରେ ବିଏମ୍‌ସି ପ୍ରାୟ ୬୦ କୋଟି ରାଜସ୍ବ ଆଦାୟ କରିଥାଏ। ତେଣୁ ଆଗକୁ ସ୍ଥିତି ସୁଧୁରିଲେ ପ୍ରାୟ ୩୦ କୋଟି ରାଜସ୍ବ ଆଦାୟ ହେବାର ସମ୍ଭାବନା ଅଛି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

ଅପରପକ୍ଷେ ବିଏମ୍‌ସିର ଅର୍ଥ ନଥିବାରୁ ଏବେ କେବଳ ପୂର୍ବ ଟେଣ୍ଡର୍‌ କାମ ହେଉଛି। ବର୍ଷା ଜନିତ ଜଳବନ୍ଦୀ ମୁକାବିଲା ପାଇଁ ଯାହା ଅର୍ଥ ଖର୍ଚ୍ଚ କରାଯାଉଛି। ଅତି ଆବଶ୍ୟକ ଯାହା ତାହା ମରାମତି କରାଯାଉଛି। ଏପଟେ ଏଥର ରାଜଧାନୀର ୬୭ଟି ଯାକ ୱାର୍ଡରେ ୬୦ଲକ୍ଷ ଲେଖାଏଁ ଖର୍ଚ୍ଚ କରିବାକୁ ଯୋଜନା ହୋଇଥିଲେ ହେଁ ଅର୍ଥ ନଥିବାରୁ ପ୍ରତି ୱାର୍ଡରେ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ବିଏମ୍‌ସି କର୍ତ୍ତୃପକ୍ଷ ଗତ ଆର୍ଥିକ ବର୍ଷର ବଳକା ତଥା ଚଳିତ ଆର୍ଥିକ ବର୍ଷର ଓପନିଂ ବାଲାନ୍ସ ୭୧ କୋଟି ୮୪ ଲକ୍ଷ ୪୫ ହଜାର ୪୪୪ ଟଙ୍କାରୁ ବିଭିନ୍ନ ଯୋଜନା ବାବଦକୁ ଅର୍ଥ ଖର୍ଚ୍ଚ କରୁଛନ୍ତି।

ବିଏମ୍‌ସି ଚଳିତବର୍ଷ ଡ୍ରେନ୍‌ ନିର୍ମାଣ ବାବଦକୁ ୧୪୮ କୋଟି ୨୯ଲକ୍ଷ, ଡ୍ରେନ୍ କାନ୍ଥ ମରାମତି ବାବଦକୁ ୫୦ କୋଟି ଖର୍ଚ୍ଚ ହୋଇଥାନ୍ତା, ରାସ୍ତା ମରାମତି ପାଇଁ ୪୦.୫୬ କୋଟି, କମ୍ପୋଷ୍ଟ ପ୍ଳାଣ୍ଟ ନିର୍ମାଣ ବାବଦକୁ ୯୯କୋଟି ୧୪ଲକ୍ଷ ଟଙ୍କା, ସଫେଇ ବାବଦକୁ ପ୍ରାୟ ୬୦ କୋଟି ଖର୍ଚ୍ଚ ହୋଇଥା’ନ୍ତା। କିନ୍ତୁ ଟଙ୍କା ନଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ି ଯାଇଛନ୍ତି।

ସୂଚନାଯୋଗ୍ୟ, ବିଏମ୍‌ସି ଚଳିତ ବର୍ଷ ପାଇଁ ୭୬୮ କୋଟି ୭୯ ଲକ୍ଷ ୭ ହଜାର ୫୯୧ ଟଙ୍କାର ବଜେଟ୍‌ କରିଥିବା ବେଳେ ଏଥିପାଇଁ ୬୯୬ କୋଟି ୯୪ ଲକ୍ଷ ୬୨ ହଜାର ୧୪୭ ଟଙ୍କା ଆୟ କରିଥା’ନ୍ତା। ଓପନିଂ ବାଲାନ୍ସ ୭୧ କୋଟି ୮୪ ଲକ୍ଷ ୪୫ ହଜାର ୪୪୪ ଟଙ୍କା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe