କାଉନସିଲ୍‌ ବୈଠକରେ ଚିଠା ବଜେଟ୍‌ ଆଗତ : ବଜେଟ୍‌ ବଢ଼ିବ ୩୬ କୋଟି

Advertisment
କାଉନସିଲ୍‌ ବୈଠକରେ ଚିଠା ବଜେଟ୍‌ ଆଗତ : ବଜେଟ୍‌ ବଢ଼ିବ ୩୬ କୋଟି

ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଜି ବିଏମ୍‌ସିର ଚିଠା ବଜେଟ୍‌ କାଉନସିଲ୍‌ ବୈଠକରେ ପାରିତ ହୋଇଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ୪୩୦.୧୭କୋଟିର ବଜେଟ୍‌ ପ୍ରସ୍ତୁତ ହୋଇଥିବାବେଳେ ଏଥିରେ ପରିମଳ ବ୍ୟବସ୍ଥା, ଆଲୋକୀକରଣ, କଙ୍କ୍ରିଟ ରାସ୍ତା ଓ ଡ୍ରେନ୍‌କୁ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବଜେଟ୍‌ ଚଳିତ ବର୍ଷର ବଜେଟ୍‌ଠାରୁ ପ୍ରାୟ ୩୬କୋଟି ଅଧିକ ରହିଛି।

ବିଏମ୍‌ସି କାଉନସିଲ୍‌ ବୈଠକରେ ଆଜି ଚିଠା ବଜେଟ୍‌ ଆଗତ ହୋଇଥିବାବେଳେ ଏହା ଉପରେ ଆଲୋଚନା ହୋଇଥିଲା। କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ ହେବ, କିପରି ଖର୍ଚ୍ଚ ହେବ ସେନେଇ କର୍ପୋରେଟର୍‌ମାନଙ୍କୁ ସବିଶେଷ ସୂଚନା ଦିଆଯାଇଥିଲା। ଏହା ଉପରେ କର୍ପୋରେଟର୍‌ମାନେ ମତାମତ ଦେବା ସହ କେଉଁ କ୍ଷେତ୍ରରେ ଅଧିକ ଅର୍ଥ ଚାହୁଁଛନ୍ତି କି କେଉଁ ଯୋଜନାକୁ ସାମିଲ୍‌ କରିବାକୁ ଚାହୁଁଛନ୍ତି ସେନେଇ ପ୍ରସ୍ତାବ ରଖିବେ। ସମସ୍ତ ପ୍ରସ୍ତାବକୁ ବିଚାରକୁ ନେବା ପରେ ଚୂଡ଼ାନ୍ତ ବଜେଟ୍‌ ପ୍ରସ୍ତୁତ ହେବ। ଆସନ୍ତା କାଉନସିଲ୍‌ ବୈଠକରେ ଚୂଡ଼ାନ୍ତ ବଜେଟ୍‌ ପାରିତ ହେବ। ଏହାକୁ ଅନୁମୋଦନ କରିବା ପାଇଁ ନଗର ଉନ୍ନୟନ ବିଭାଗକୁ ପଠାଯିବ ବୋଲି ଷ୍ଟାଣ୍ଡିଂ କମିଟି (ଅର୍ଥ) ଅଧ୍ୟକ୍ଷ ସେକ୍‌ ନିଜାମୁଦ୍ଦିନ୍‌ କହିଛନ୍ତି।

ମେୟରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଚିଠା ବଜେଟ୍‌ ଉପରେ ଆଲୋଚନା ହୋଇଥିଲା। ପ୍ରସ୍ତୁତ ହୋଇଥିବା ବଜେଟ୍‌ରେ ପଛୁଆ ୱାର୍ଡଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ରହିଛି। ଏଥିରେ ୩୩୬ କୋଟି ୪୦ ଲକ୍ଷ ବ୍ୟୟ ବରାଦ ଲକ୍ଷ୍ୟ ରହିଥିବା ବେଳେ ୯୩ କୋଟି ୭୭ ଲକ୍ଷ ଟଙ୍କାର ବଳକା ରାଜସ୍ୱ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି ଚିଠା ବଜେଟ୍‌ରେ ୩୬୪ କୋଟି ୩୧ ଲକ୍ଷ ଟଙ୍କା ବିଭନ୍ନ ସୂତ୍ରରୁ ଆୟ ହେବ ବୋଲି ଆକଳନ କରାଯାଇଛି।

ନିଜସ୍ୱ ଆୟ ୧୩୭ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ବିଏମ୍‌ସି ଆକଳନ କରିଥିବା ବେଳେ ୨୨୯ କୋଟି ୬୧ଲକ୍ଷ ଟଙ୍କାର ଅନୁଦାନ ପ୍ରାପ୍ତ ହେବାନେଇ ଆକଳନ ହୋଇଛି। ବଜେଟ୍‌ରେ ଏଥର ସହର ଉପକଣ୍ଠରେ ରହିଥିବା ୱାର୍ଡଗୁଡ଼ିକୁ ଅଧିକ ପାଣ୍ଠି ଯୋଗାଇବାକୁ ସ୍ଥିର ହୋଇଛି। ଏଥିରେ ପାଣ୍ଡରା, ନଖରା, ହରିଦାସପୁର, ସୁବୁଦ୍ଧିପୁର ଭଳି ଗ୍ରାମାଞ୍ଚଳ ତାଲିକାଭୁକ୍ତ ଅଛି।

ରାଜଧାନୀର ସମସ୍ତ ଅଞ୍ଚଳ ଏବଂ ନୂତନ ଭାବରେ ମିଶିଥିବା ଗ୍ରାମାଞ୍ଚଳଗୁଡ଼ିକରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ଯୋଜନାକୁ ଶତ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖଯାଇଛି। ଏଥିପାଇଁ ୨୬ କୋଟି ୫୭ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ବଜେଟ୍‌ ରଖାଯାଇଛି।

ବଜେଟ୍‌ରେ ପାର୍କ, ନୂତନ ଗୋଷ୍ଠୀ ଏବଂ ପବ୍ଲିକ୍‌ ଶୌଚାଳୟ, କଂସେଇ ଖାନା, କମ୍ୟୁନିଟି କେନ୍ଦ୍ର, ନୂତନ ରାସ୍ତା ଓ ଡ୍ରେନ୍‌ ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି। ନୂତନ କଂକ୍ରିଟ୍‌ ରାସ୍ତା ପାଇଁ ୪୭ କୋଟି ୯୪ ଲକ୍ଷ ଟଙ୍କା ରହିଥିବା ବେଳେ ଡ୍ରେନ୍‌ ପାଇଁ ୩୦ କୋଟି ୮୬ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ହୋଇଛି।

ବଜେଟ୍‌ରେ ସମସ୍ତ ଅଞ୍ଚଳର ବିକାଶ ତଥା ସମସ୍ତ ବର୍ଗର ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି। ବଜେଟ୍‌ରେ ଗ୍ରାମାଞ୍ଚଳ ୱାର୍ଡ ଏବଂ ନୂତନ ଭାବରେ ସାମିଲ ହୋଇଥିବା ୱାର୍ଡଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି ବୋଲି କମିସନର୍‌ କ୍ରିଷନ କୁମାର କହିଛନ୍ତି।

ଆଜିର ବଜେଟ୍‌ ଅଧିବେଶନରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, କମିସନର୍‌ କ୍ରିଷନ କୁମାର, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ସିଇଓ ଆର୍‌ ଭିନିଲ କ୍ରିଷ୍ଣା, ଫାଇନାନସ୍‌ କମିଟି ଅଧ୍ୟକ୍ଷ ସେକ୍‌ ନିଜାମୁଦ୍ଦିନ, ଡେପୁଟି ମେୟର କେ. ଶାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe