ଆଜି ମାଟି ଅନୁକୂଳ, ନିଷ୍ପତ୍ତି ନେଇପାରୁନି ବିଏମ୍‌ସି

Advertisment

ପୂଜା ହେବ ନା ନାହିଁ ଜଣାପଡ଼ୁନି, ୧୦୦ରୁ ଅଧିକ ପୂଜା କମିଟି ଦ୍ବନ୍ଦ୍ବରେ

ପୂଜା ହେବ ନା ନାହିଁ ଜଣାପଡ଼ୁନି, ୧୦୦ରୁ ଅଧିକ ପୂଜା କମିଟି ଦ୍ବନ୍ଦ୍ବରେ

କରୋନା ଜାଲରେ ବିଏମ୍‌ସି : ୬୦ରୁ ଅଧିକ କର୍ମଚାରୀ ଆକ୍ରାନ୍ତ, ୩ ଡେପୁଟି କମିସନର୍‌ ବି ସଂକ୍ରମିତ

image source-osissa diary

ଭୁବନେଶ୍ବର: ଆଉ ଦୁଇ ମାସ ପରେ ଦଶହରା। ଆସନ୍ତାକାଲି (ମଙ୍ଗଳବାର) ଜନ୍ମାଷ୍ଟମୀରେ ରାଜଧାନୀର ପ୍ରାୟ ସମସ୍ତ ପୂଜା ମଣ୍ଡପ ମା’ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କରିବେ। ମା’ଙ୍କ ପ୍ରତିମା ଗଢ଼ା ହେବା ସହ ତୋରଣ, ମେଢ଼, ପୂଜା ପ୍ରସ୍ତୁତି ଜନ୍ମାଷ୍ଟମୀରୁ ହିଁ ମୁଖ୍ୟତଃ ଆରମ୍ଭ ହୋଇଯାଏ। ହେଲେ ଏଥର କରୋନା ପାଇଁ କଟକଣା ରହିବ ନା ଉଠିବ ଏପର୍ଯ୍ୟନ୍ତ ପୂଜା କମିଟି ଜାଣିପାରୁନାହାନ୍ତି। ବିଏମ୍‌ସି ବି କିଛି ସ୍ପଷ୍ଟ କରିପାରୁନି। ଏପରିକି ବିଏମ୍‌ସି କର୍ତ୍ତୃପକ୍ଷ କ’ଣ କରିବେ ଜାଣିପାରୁନାହାନ୍ତି। ଯେଉଁଥିପାଇଁ ରାଜଧାନୀର ପୂଜା କମିଟିଗୁଡ଼ିକ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି। କେବଳ ଦଶହରା ନୁହେଁ। ଆଉ ଦୁଇ ସପ୍ତାହ ପରେ ଗଣେଶ ପୂଜା, ବିଶ୍ବକର୍ମା ପୂଜା, ଦଶହରା ସରୁ ସରୁ ଲକ୍ଷ୍ମୀ ପୂଜା, ତା’ପରେ କାର୍ତ୍ତିକେଶ୍ବର ପୂଜା, କାଳୀ ପୂଜା ହେବ। ରାଜଧାନୀରେ ବହୁ ସ୍ଥାନରେ ଏହି ସବୁ ପର୍ବ ବଡ଼ ଧୁମ୍‌ଧାମରେ ପାଳନ ହୁଏ। କିନ୍ତୁ କେହି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇପାରୁନାହାନ୍ତି ଯେ, କେମିତି ପୂଜା କରିବେ। ପୂଜା ହେବ କି ନାହିଁ। ରାଜଧାନୀର ପ୍ରାୟ ୧୦୦ରୁ ଅଧିକ ପୂଜା କମିଟି ଏବେ ଦ୍ବନ୍ଦ୍ବରେ।

କଟକ ମହାନଗର ନିଗମ କର୍ତ୍ତୃପକ୍ଷ (ସିଏମ୍‌ସି) ଦୁଇ ସପ୍ତାହ ତଳୁ କଟକରେ ଏଥର ଦଶହରା ଆଡ଼ମ୍ବରରେ ହେବନି ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏପରିକି କେବଳ ମଣ୍ଡପରେ ମୂର୍ତ୍ତି ପୂଜା ପାଇବେ। ବଡ଼ ତୋରଣ, ସାଜସଜ୍ଜା ନକରିବାକୁ ଜଣାଇଦିଆଯାଇଛି। ଫଳରେ କଟକରେ ପୂଜା କମିଟିଗୁଡ଼ିକ ଏନେଇ ଅଗ୍ରୀମ ଦେଇନାହାନ୍ତି। ପୂଜା କମିଟି ନିଶ୍ଚିନ୍ତ ହୋଇ ବସିଛନ୍ତି ଯେ, ଏଥର କଟକରେ ଯାକଜମକ ପୂଜା ହେବନି। କଟକରେ ଦଶହରା ମନା ମାନେ ସବୁ ପୂଜା ବନ୍ଦ। କିନ୍ତୁ ରାଜଧାନୀର ଦଶହରା ବଡ଼ ବଡ଼ ତୋରଣ, ଆକର୍ଷଣୀୟ ମୂର୍ତ୍ତି, ରଙ୍ଗାରଙ୍ଗ ମେଲୋଡି ପାଇଁ ପ୍ରସିଦ୍ଧି ହାସଲ କରିଥିବାବେଳେ ଏହାର କାମ ଦୁଇ ମାସ ଆଗରୁ ଆରମ୍ଭ ହୋଇଥାଏ। ମାତ୍ର ବିଏମ୍‌ସି କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ଏନେଇ କିଛି ଜଣାଇନାହାନ୍ତି। ଏପରିକି ରାଜଧାନୀର କୌଣସି ପୂଜା କମିଟିକୁ ଡାକିକି ବି ଆଲୋଚନା କରିନାହାନ୍ତି। ଛୋଟ ଆକାରରେ ବି ପୂଜା ହୋଇପାରିବ କି ନାହିଁ, ଭକ୍ତ ଦର୍ଶନ ପାଇଁ ଆସିପାରିବେ କି ନାହିଁ, ତୋରଣ ତିଆରି ହେବ କି ନାହିଁ, କେବେଠୁ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିହେବ, ବିସର୍ଜନ ବେଳେ ଶୋଭାଯାତ୍ରା ହୋଇପାରିବ କି ନାହିଁ, କି ଆଦୌ ପୂଜା ହେବନି ତାହା ଜଣାଇନାହାନ୍ତି। ଫଳରେ ପୂଜା କମିଟିଗୁଡ଼ିକ କହିଲେଣି ଯେ, ଆମେ ମୂର୍ତ୍ତି କରୁଥିବୁ, ତୋରଣ, ମେଢ, ଭଜନ ସଂଧ୍ୟା କି ମେଲୋଡି ପାର୍ଟିକୁ ଅଗ୍ରୀମ ଦେଉଥିବୁ ଆଉ ଶେଷ ମୁହୂର୍ତ୍ତରେ ବିଏମ୍‌ସି ଯଦି କହିବ ପୂଜା ବନ୍ଦ ତେବେ ଆମେ କ’ଣ କରିବୁ। କେବଳ ଏତିକି ନୁହେଁ ଯଦି ଆମେ ପ୍ରସ୍ତୁତି କରିବୁନି, କିନ୍ତୁ ବିଏମ୍‌ସି ଶେଷ ମୁହୂର୍ତ୍ତରେ କହିବ ଦଶହରା ପୂଜା ହୋଇପାରିବ ସେତେବେଳେ ଆମେ କ’ଣ କରିବୁ। ସେତେବେଳକୁ ଯାହାକୁ ତୋରଣ ପାଇଁ କହିବୁ ସେ ଅଧିକ ଟଙ୍କା ଦାବି କରିବ, ମେଲୋଡି ପାର୍ଟିଙ୍କୁ ପାଇବା କଷ୍ଟ ହେବ, ରାବଣ ପୋଡ଼ି ପାଇଁ ରାବଣ ତିଆରି କରିହେବନି, ‌ବିସର୍ଜନ ପାଇଁ ବ୍ୟାଣ୍ଡ ବାଜା ମିଳିବନି। ତେଣୁ ବିଏମ୍‌ସି କ’ଣ କରିବାକୁ ଚାହୁଁଛି ତାହା ଆମକୁ ଜଣାଉ। ଆମେ କ’ଣ କରିବୁ , କ’ଣ ଚାହୁଁଛୁ ତାହା ଆମକୁ ପଚାରୁ। କଟକରେ ପୂଜା କେମିତି ହେବ ତାହା ସିଏମ୍‌ସି ପୂରା ସ୍ପଷ୍ଟ କରିଦେଲା। ହେଲେ ବିଏମ୍‌ସି କ’ଣ ଏତେ ଅପାରଗ ଯେ, ଆମକୁ ଏପର୍ଯ୍ୟନ୍ତ କିଛି କହିପାରୁନି। ନିଷ୍ପତ୍ତି ଯଦି ନେଇପାରୁନାହାନ୍ତି ଆମକୁ ଡାକି ଆଲୋଚନା କରନ୍ତୁ। ଆଲୋଚନାରୁ କିଛି ନିଷ୍କର୍ସ ବାହାରିବ। ଏତେ ପଛଘୁଞ୍ଚା ଦେଲେ କ’ଣ ହେବ।

ଅପରପକ୍ଷେ ବିଏମ୍‌ସିର ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି ଯେ, ଭୁବନେଶ୍ବରରେ ପୂଜା ହେବ କି ନାହିଁ ସେନେଇ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଏଠାରେ ପ୍ରଶ୍ନ ଉଠୁଛି ଯଦି କଟକରେ ପୂଜା ହେବ କି ନାହିଁ ସିଏମ୍‌ସି ନିଷ୍ପତ୍ତି ନେଇପାରୁଛି ତେବେ ଭୁବନେଶ୍ବର ପାଇଁ ବିଏମ୍‌ସି କାହିଁକି ନିଷ୍ପତ୍ତି ନେଇପାରୁନି। ରାଜଧାନୀରେ କ’ଣ କରୋନା କଟକଣା ଲାଗୁ ହେବ, କ’ଣ କୋହଳ ସେ ନିଷ୍ପତ୍ତି ବିଏମ୍‌ସି ନେଉଥିବାବେଳେ ଏତେବେଳକୁ କାହିଁକି ପଛଘୁଞ୍ଚା ଦେଉଛି। ଯଦି ରାଜ୍ୟ ସରକାର ନିଷ୍ପତ୍ତି ନେବେ ତେବେ ବିଏମ୍‌ସି ଏନେଇ ଆଲୋଚନା କରି ପୂଜା କମିଟିଗୁଡ଼ିକୁ କାହିଁକି ସ୍ପଷ୍ଟ କରୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe