ବଦଳିଲେ ବିଏମ୍‌ସି କମିସନର

Advertisment
ସରକାରୀ ଘର ଭଡ଼ାରେ ଲଗାଇ ବସ୍ତିରେ ମାଲିକ ପ୍ରସଙ୍ଗ: ବିଦା ହେଲେ ୩୧ ଭଡ଼ାଟିଆ

ଗଞ୍ଜାମ ଜିଲ୍ଲାପାଳରୁ କମିସନର୍‌ ହେବାରେ ତୃତୀୟ ଅଧିକାରୀ
ଆଉ ଜଣେ ଆଇଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ କମିସନର୍‌ ଦାୟିତ୍ବ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବିଏମ୍‌ସି କମିସନର ଭାବେ ନିଯୁକ୍ତି ପାଇଛନ୍ତି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ଓ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ପଦରେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶ୍ରୀ କୁଲାଙ୍ଗେଙ୍କ ନିଯୁକ୍ତି ସହ ଗଞ୍ଜାମ ଓ ବିଏମ୍‌ସି ସମ୍ପର୍କ ପୁଣି ଚର୍ଚ୍ଚାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର ଜିଲ୍ଲାପାଳ ରହୁଥିବା ଅଧିକାରୀମାନଙ୍କୁ ବିଏମ୍‌ସି କମିସନର୍‌ ଭାବେ ନିଯୁକ୍ତି ଦେବା ଘଟଣାର ପୁନରାବୃତ୍ତି ହୋଇଛି। ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ବରେ ଥିବା କ୍ରିଷନ୍ କୁମାର ଓ ପ୍ରେମଚନ୍ଦ୍ର ଚୌଧୁରୀ ବଦଳି ହୋଇ ଆସି ବିଏମ୍‌ସି କମିସନର ହୋଇଥିଲେ। ଗଞ୍ଜାମ ଜିଲ୍ଲାପାଳ ଦାୟିତ୍ବରୁ ସିଧା ବିଏମ୍‌ସି କମିସନରେ ହେବା ଶ୍ରୀ କୁଲାଙ୍ଗେ ହେଉଛନ୍ତି ତୃତୀୟ ଆଇଏଏସ୍‌ ଅଫିସର।

ଅନ୍ୟପଟେ ବର୍ତ୍ତମାନର କମିସନର ସଞ୍ଜୟ ସିଂହଙ୍କ ହାତରୁ ବିଏମ୍‌ସି କମିସନର ଭାବେ ଥିବା ଅତିରିକ୍ତ ଦାୟିତ୍ବ ହଟିଛି। ବିଡିଏ ଉପାଧ୍ୟକ୍ଷ ଭାବରେ ସେ ତାଙ୍କ ମୂଳ ପଦବିରେ ରହିଛନ୍ତି। ଗତ ବର୍ଷ ମେ’ ୧୩ ତାରିଖରେ ବିଏମ୍‌ସି କମିସନର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ଶ୍ରୀ ସିଂହ। କିଛି ଦିନ ପରେ ତାଙ୍କର ପଦୋନ୍ନତି ହୋଇଥିଲା। ସେ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିଲେ ମଧ୍ୟ କମିସନର ଦାୟିତ୍ବରେ ରହିଥିଲେ। ପ୍ରମୁଖ ଶାସନ ସଚିବ ପାହ୍ୟାର ଜଣେ ଅଧିକାରୀ ବିଏମ୍‌ସି କମିସନର୍‌ ରହିବା ଥିବା ପ୍ରଥମ ଘଟଣା। ଏପଟେ କୋଭିଡ୍‌ ମୁକାବିଲା ତାଙ୍କ ସାମ୍ନାରେ ବଡ଼ ଚାଲେଞ୍ଜ ହୋଇ ରହିଥିଲା। ଡାକ୍ତରୀ ପରାମର୍ଶ ହେଉ କି ଘରେ ରାସନ୍‌ ପହଞ୍ଚାଇବା ପ୍ରତ୍ୟେକ କାମରେ ଲୋକମାନେ ବିଏମ୍‌ସି ଉପରେ ନିର୍ଭର କରୁଥିଲେ। କିନ୍ତୁ କମିସନର ‌ସାଧାରଣ ଲୋକଙ୍କଠାରୁ ଦୂରରେ ରହିଥିଲେ। ଅଭିଯୋଗ ଶୁଣାଣି ହେଉ ବା ଘଟଣାସ୍ଥଳରେ ଲୋକଙ୍କ ଦୁଃଖ ବୁଝିବା ଅବସ୍ଥାରେ ତାଙ୍କୁ କେହି ଦେଖୁନଥିଲେ। ସେ ବିଏମ୍‌ସି ଅଫିସ୍‌ କ୍ବଚିତ ଆସୁଥିଲେ। କେବଳ ବିଡିଏରେ ବସୁଥିଲେ, ଯେଉଁଠାରେ ସାଧାରଣ ଲୋକଟିଏ ପ୍ରବେଶ କରିବା ଏକପ୍ରକାର ଅସମ୍ଭବ ଥିଲା। ତାଙ୍କର ଏଭଳି ଆଚରଣ ସମସ୍ତଙ୍କୁ ବିସ୍ମିତ କରିଥିଲା। କମିସନର୍‌ ଅପହଞ୍ଚ ଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଲୋକଙ୍କ ସହ ସିଧା ସମ୍ପର୍କ ନଥିବାରୁ ଏହାର ଫାଇଦା ନେଇ କେତେକ ଅଫିସର ମନମାନି ମଧ୍ୟ କରୁଥିଲେ। ତେବେ ତାଙ୍କ ଅମଳରେ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଦାଖଲ, ଟ୍ରେଡ୍‌ ଲାଇସେନ୍ସ ପ୍ରଦାନ, କଲ୍ୟାଣମଣ୍ଡପ ବୁକିଂ, ଭତ୍ତା ପ୍ରଦାନ ଆଦି କିଛି ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଶ୍ରୀ ସିଂହ ବିଡିଏ ଉପାଧ୍ୟକ୍ଷ ଭାବେ ଆଉ କିଛି ଦିନ କାମ କରିବେ ନା ତାଙ୍କର କୌଣସି ପ୍ରଶାସନିକ ବିଭାଗକୁ ପ୍ରମୁଖ ଶାସନ ସଚିବ ଭାବେ ବଦଳି ହେବ, ତାହା ଆଲୋଚନାର ବିଷୟ ପାଲଟିଛି।

ଶ୍ରୀ କୁଲାଙ୍ଗେଙ୍କୁ କମିସନର୍‌ ଭାବେ ନିଯୁକ୍ତି ଦିଆଯିବା ସହ ୨୦୧୮ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଅତିରିକ୍ତ କମିସନର୍‌ ଭାବେ ନିଯୁକ୍ତି ମିଳିଛି। ବର୍ତ୍ତମାନ ବିଏମ୍‌ସିରେ ଦୁଇ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀ ଲକ୍ଷ୍ମୀକାନ୍ତ ସେଠୀ ଓ ବିନୟ କୁମାର ଦାସ ଅତିରିକ୍ତ କମିସନର୍‌ ଭାବେ କାର୍ଯ୍ୟ କରୁଛନ୍ତି। ବିଏମ୍‌ସିରେ ଦୁଇ ଜଣ ଅତିରିକ୍ତ କମିସନର୍‌ ରହିବାର ବ୍ୟବସ୍ଥା ଥିବାରୁ ଏହି ଦୁଇ ଜଣଙ୍କ ଭିତରୁ ଜ‌ଣେ ବଦଳି ହେବା ଏକପ୍ରକାର ନିଶ୍ଚିତ। ତେବେ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପ୍ରକାଶ ପାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe