କୋଭିଡ୍‌ ଡ୍ୟୁଟିରୁ ଆୟୁଷ ଡାକ୍ତରଙ୍କୁ ଛାଡ଼ୁନି ବିଏମ୍‌ସି

Advertisment
ମେଡିକାଲ କଲେଜରେ ଯୋଗଦେଲେ ୧୦ ସହକାରୀ ପ୍ରଫେସର

OnlineKhabar English News

୩୨ ଆୟୁଷ ଡାକ୍ତରଙ୍କୁ ରିଲିଭ୍ ପାଇଁ ଚିଠି ଲେଖିଲେ ଆୟୁଷ ନିର୍ଦେଶକ
ଔଷଧ ବିତରଣ, ରୋଗୀଙ୍କ ଚିକିତ୍ସା, ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ

ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ଏବେ ୨ଶହକୁ ଖସି ଆସିଲାଣି। ପ୍ରତ୍ୟେକ ଦିନ ଏହା ଉପର-ତଳ ହେଉଛି। ତେଣୁ କୋଭିଡ ଡ୍ୟୁଟିରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରଙ୍କୁ ମୁକ୍ତି ମିଳୁନି। ସେମାନଙ୍କୁ ରିଲିଭ୍ କରିବା ଲାଗି ଗତ ଜୁନ୍ ୨୧ତାରିଖରୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିସାରିଲାଣି। ଏହା ସତ୍ତ୍ବେ ବିଏମ୍‌ସି ଅଧୀନରେ ଏବେ ବି ୩୨ଜଣ ଆୟୁଷ ଡାକ୍ତର କୋଭିଡ୍‌ ଡ୍ୟୁଟି କରୁଛନ୍ତି। ଲଗାତାର ଭାବେ କୋଭିଡ୍‌ ଡ୍ୟୁଟି କରିବା କାରଣରୁ ଆୟୁଷ ଡିସ୍‌ପେନସାରିଗୁଡ଼ିକରେ କୋଟି କୋଟି ଟଙ୍କାର ଔଷଧ ଖତ ଖାଇବାକୁ ବସିଲାଣି। ଏହା ସାଙ୍ଗକୁ ରୋଗୀଙ୍କ ଚିକିତ୍ସାରେ ଅବହେଳା ଓ ହୋମିଓପ୍ୟାଥିକ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଲାଣି। ତେଣୁ ଆୟୁଷ ଡାକ୍ତରମାନଙ୍କୁ ତୁରନ୍ତ ରିଲିଭ୍ କରିବା ଲାଗି ରାଜ୍ୟ ଆୟୁଷ ନିର୍ଦ୍ଦେଶକ ଗତ ୧୦ ଦିନ ହେଲାଣି ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଛନ୍ତି। ଏହା ସତ୍ତ୍ବେ ଆୟୁଷ ଡାକ୍ତରଙ୍କୁ ରିଲିଭ୍ କରା ନ ଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ରାଜ୍ୟରେ କୋଭିଡ ସଂକ୍ରମଣରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଆୟୁଷ ଡାକ୍ତର। କୋଭିଡ୍‌ କେୟାର ସେଣ୍ଟର୍‌ (ସିସିସି) ପରିଚାଳନାଠାରୁ ଆରମ୍ଭ କରି ରାପିଡ୍‌ ରେସପନ୍‌ସ ଟିମ୍ (ଆର୍‌ଆର୍‌ଟି) ଓ ଅନ୍ୟ କୋଭିଡ୍‌ ଡ୍ୟୁଟିରେ ଆୟୁଷ ଡାକ୍ତର ରହିଥିଲେ। ତେବେ ରାଜ୍ୟବ୍ୟାପୀ ସଂକ୍ରମଣ କମିବା ପରେ କୋଭିଡ୍‌ ଡ୍ୟୁଟିରୁ ଆୟୁଷ ଡାକ୍ତରମାନଙ୍କୁ ରିଲିଭ୍ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଥିଲା। ଏହା ଭିତରେ ଅନେକ ଆୟୁଷ ଡାକ୍ତର କୋଭିଡ ଡ୍ୟୁଟିରୁ ରିଲିଭ୍ ମଧ୍ୟ ହୋଇ ସାରିଲେଣି। ମାତ୍ର ବିଏମ୍‌ସି ଅଧୀନରେ ଏବେ ବି ଆୟୁଷ ଡାକ୍ତର କୋଭିଡ ଡ୍ୟୁଟି କରୁଛନ୍ତି। ଡାକ୍ତରଙ୍କ ରିଲିଭ୍ ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ଆୟୁଷ ନିର୍ଦେଶକଙ୍କୁ ଅନୁରୋଧକୁ ମଧ୍ୟ ବିଏମ୍‌ସି ଖାତିର କରୁନି। କୋଭିଡ ଚିହ୍ନଟ ହେଉଥିବା ଅଧିକାଂଶ ରୋଗୀ ଗୃହ ପୃଥକବାସରେ ରହୁଥିବା ଓ ହସ୍ପିଟାଲରେ ଆଡମିସନ୍ କମିବା ସତ୍ତ୍ବେ ଆୟୁଷ ଡାକ୍ତରଙ୍କୁ ପୂର୍ବଭଳି କୋଭିଡ ଡ୍ୟୁଟିରେ ନିୟୋଜିତ କରିବା ପଛରେ ରହସ୍ୟ ବୁଝା ପଡ଼ୁନାହିଁ। ତେଣୁ ବାଧ୍ୟ ହୋଇ ଆୟୁଷ ନିର୍ଦ୍ଦେଶକ ଆୟୁଷ ଡାକ୍ତରଙ୍କୁ ରିଲିଭ୍ କରିବା ଲାଗି ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଛନ୍ତି। ଗତ ଏପ୍ରିଲ ମାସରୁ କୋଭିଡ ଡ୍ୟୁଟିରେ ଆୟୁଷ ଡାକ୍ତର ନିୟୋଜିତ ହୋଇଛନ୍ତି। ଫଳରେ ୬ମାସ ହେବ ସେମାନେ ଡ୍ୟୁଟି କରୁଥିବା ଡିସ୍‌ପେନସାରିଗୁଡ଼ିକ‌ ବନ୍ଦ ପଡ଼ିଛି। ଜାତୀୟ ଆୟୁଷ ମିସନ୍ ବା ନାମ୍ ଜରିଆରେ ଡିସ୍‌ପେନସାରିଗୁଡ଼ିକୁ ଔଷଧ ଯୋଗାଣ ହୋଇଥିଲେ ହେଁ ଡାକ୍ତର ନ ଥିବାରୁ ତାହା ରୋଗୀଙ୍କୁ ମିଳିପାରୁ ନାହିଁ। ଏପରିକି ନିକଟରେ ନିଯୁକ୍ତ ହୋଇଥିବା ଆୟୁଷ ସହାୟକ ଖାଲି ବସିଛନ୍ତି। ସଂକ୍ରମଣ ହ୍ରାସ ପାଇଁ ଅନେକ କୋଭିଡ କେୟାର ସେଣ୍ଟର ବା ସିସିସି ବନ୍ଦ କରି ଦିଆଗଲାଣି। ଆସନ୍ତା ୨୧ତାରିଖରେ ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜର ପରୀକ୍ଷା ହେବାକୁ ଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ସିନୋପସିସ୍ ଓ ଥେସିସ୍ ଆଦି ପ୍ରଦାନ କରିବାର ଆବଶ୍ୟକତା ରହିଛି। ବିଏମ୍‌ସି ଅଧୀନରେ ଏବେ ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ୩ ପିଜି ଛାତ୍ରଙ୍କ ସମେତ ୬ ହାଉସ ସର୍ଜନଙ୍କୁ ତୁରନ୍ତ ରିଲିଭ୍ କରାଯିବା ଦରକାର। ଏହାସହ ଭୁବନେଶ୍ବର ଡିଏଏମ୍‌ଓ ଅଧୀନରେ ଥିବା ୧୪ ଏଏମ୍‌ଓ, ୧୮ ଡିଏଚ୍‌ଏମ୍‌ଓଙ୍କୁ ମିଶାଇ ୩୨ଜଣ ଡାକ୍ତରଙ୍କୁ ରିଲିଭ୍ କରାଗଲେ ଡିସ୍‌ପେନସାରିଗୁଡ଼ିକ ପୂର୍ବଭଳି କାର୍ଯ୍ୟକ୍ଷମ ହୋଇପାରିବ ନିର୍ଦ୍ଦେଶକ ଚିଠିରେ ଉଲ୍ଲେଖ କରିଛନ୍ତି।

ବିଏମ୍‌ସିକୁ ଆୟୁଷ ନିର୍ଦେଶକ ଏଭଳି ଚିଠି ‌ଲେଖିବା ପରେ ବି ଗତକାଲି ଏଡିପିଏଚ୍‌ୟୁ ପକ୍ଷରୁ ୧୧ଜଣ ଆୟୁଷ ଡାକ୍ତରଙ୍କୁ ବିଏମ୍‌ସି କଣ୍ଟ୍ରୋଲ ରୁମ୍‌ରେ ଡ୍ୟୁଟି ପାଇଁ ନିର୍ଦେଶନାମା ଜାରି କରାଯାଇଛି। ଆଜିଠାରୁ ସେମାନଙ୍କୁ କଣ୍ଟ୍ରୋଲ ରୁମ୍‌ରେ ଡ୍ୟୁଟି କରିବା ଲାଗି କୁହାଯାଇଛି। ଅପରପକ୍ଷରେ ଦୀର୍ଘଦିନ ଧରି ରାଜ୍ୟରେ ଥିବା ଆୟୁଷ ୱେଲ୍‌ନେସ୍‌ ସେଣ୍ଟର ଖାଲି ପଡ଼ିବା ଫଳରେ କେନ୍ଦ୍ର ସରକାର ଏବେ ନାମ୍‌ ଯୋଜନାରେ ଓଡ଼ିଶାକୁ ମିଳିବାକୁ ଥିବା ଅର୍ଥ ଫେରାଇ ନେବା ଲାଗି ଚେତାବନୀ ଦେଇଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଆୟୁଷ ଚିକିତ୍ସା ଆହୁରି ନିମ୍ନଗାମୀ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ବିଏମ୍‌ସର ଉପ-କମିସନର ଶୁଭେନ୍ଦୁ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe