ଭୁବନେଶ୍ୱର: ଓଡ଼ିଶା ହେଉଛି ଏକ ବାତ୍ୟାପ୍ରବଣ ରାଜ୍ୟ। ଭୌଗୋଳିକ ଦୃଷ୍ଟି କୋଣରୁ ଓଡ଼ିଶା ଏପରି ଏକ ସ୍ଥାନରେ ରହିଛି ଯେ ଏହା ପ୍ରତିବର୍ଷ ଏକାଧିକ ବାତ୍ୟା ଦେଖି ଆସୁଛି ଓ ଆଗକୁ ଦେଖି ଆସିବ। ୧୮୦୦ ମସିହାରୁ ୨୦୨୫ ମସିହା ଭିତରେ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ଅନେକ ବାତ୍ୟା ଦେଖିଛନ୍ତି। ଏ ଭିତରେ ଓଡ଼ିଶା ସର୍ବାଧିକ ବାତ୍ୟାର ସମ୍ମୁଖୀନ ହୋଇଛି। ଗତ ୧୩୫ ବର୍ଷ ଭିତରେ ଓଡ଼ିଶା ୧୦୯ଟି ବାତ୍ୟାକୁ ଅତି ନିକଟରୁ ଦେଖିଛି। ସେଥିମଧ୍ୟରୁ ୧୯୯୯ ମହାବାତ୍ୟା ଓ ୨୦୧୯ ଫନି ସବୁଠୁ ଭୟଙ୍କର ଓ ପ୍ରଳୟଙ୍କରୀ ଥିଲା। ତେବେ ଏଭଳି ପ୍ରଳୟଙ୍କରୀ ମହାବାତ୍ୟା ପରେ ଓଡ଼ିଶା ବହୁ କଥା ଶିକ୍ଷାଲାଭ କରିଛି ବୋଲି ଓସ୍ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳ ଲୋଚନ ମିଶ୍ର କହିଛନ୍ତି।
ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ନିର୍ବାଚିତ ପ୍ରତିନିଧିମାନଙ୍କୁ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସମ୍ପର୍କିତ ୨ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଏମ୍ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ, ବିଏମ୍ସି ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ ପ୍ରମୁଖଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ କମିସନର ରତ୍ନାକର ସାହୁ କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ମିଶ୍ର କହିଥିଲେ, ମହାବାତ୍ୟାକୁ ମୁକାବିଲା କରିବାରେ ବୈଷୟିକ ଜ୍ଞାନ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ଭାବେ ପ୍ରତୀୟମାନ ହୋଇଛି। ପୂର୍ବ ପ୍ରସ୍ତୁତି ପାଇଁ ଫନି ଭଳି ପ୍ରଳୟଙ୍କରୀ ଝଡ଼ବାତ୍ୟାରେ ବି ଓଡ଼ିଶାରେ ଜୀବନହାନି ହୋଇନଥିଲା।
ଏହି ଅବସରରେ ସେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଏମ୍ସିର ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା କରିଥିଲେ। ଲୋକ ପ୍ରତିନିଧି, ବିଶେଷ କରି ସହରାଞ୍ଚଳ ଲୋକ ପ୍ରତିନିଧିଙ୍କ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରହିଛି। ସେମାନେ ନିଜ ନିଜ ଅଞ୍ଚଳର ରାସ୍ତାଘାଟ, ଖାଲୁଆ ଅଞ୍ଚଳ, ପକ୍କା ଓ କଚ୍ଚାଘର କେଉଁଠି ରହିଛି, ତାହା ଭଲ ଭାବେ ଜାଣନ୍ତି। ତେଣୁ ବାତ୍ୟା ଆସିବା ପୂର୍ବରୁ କେଉଁଠି କ’ଣ କରିବାକୁ ପଡ଼ିବ, ଏମାନେ ସଂଗେସଂଗେ ସୂଚନା ଦେବା ସହ ବିପଦସଂକୁଳ ସ୍ଥାନରେ କି ପଦକ୍ଷେପ ନେବାକୁ ହେବ, ସେ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇବା ଜରୁରି ବୋଲି ଅନ୍ୟ ଅତିଥିମାନେ କହିଥିଲେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମିଳିତ ସହଯୋଗରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
Follow Us