ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ: ୭୦୫ ବୁଥ୍‌, ୭ ଲକ୍ଷ ୨୭ ହଜାର ୪୫୬ ଭୋଟର

Advertisment
କାର୍ଯ୍ୟାନୁଷ୍ଠାନ ନେଲାନି ବିଏମ୍‌ସି, ୱାର୍ଡ ଅଫିସରଙ୍କ ଉପରେ ନଜର

ଭୁବନେଶ୍ୱର : ବିଏମ୍‌ସିର ଚୂଡ଼ାନ୍ତ ବୁଥ୍‌ ତାଲିକା ଗୁରୁବାର ଦିନ ପ୍ରକାଶ ପାଇଛି। ୬୭ ୱାର୍ଡରେ ୭୦୫ଟି ବୁଥ୍‌ ରହିଛି। ଏହି ୭୦୫ଟି ବୁଥ୍‌ରେ ୭ ଲକ୍ଷ ୨୭ ହଜାର ୪୫୬ ଜଣ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି। ଯଦିଓ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇ ନାହିଁ, ନୂଆ ଭୋଟର ଯୋଗ ହେବାର ବ୍ୟବସ୍ଥା ନଥିବାରୁ ଭୋଟରଙ୍କ ସଂଖ୍ୟାରେ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଉଛି। ୨୦୧୪ ନିର୍ବାଚନରେ ବିଏମ୍‌ସିର ୬୭ ୱାର୍ଡରେ ୬୯୦ଟି ବୁଥ୍‌ ରହିଥିଲା। ଏଥିରେ ୬ଲକ୍ଷ ୯୦ ହଜାର ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ। ତେବେ ଏଥର ୨ ପଞ୍ଚାୟତରୁ ୫ଟି ଗାଁ ଯୋଗ ହୋଇଥିବାରୁ ଭୋଟରଙ୍କ ସଂଖ୍ୟା ସହ ବୁଥ୍‌ ସଂଖ୍ୟା ମଧ୍ୟ ବଢ଼ିଛି।

ଆସନ୍ତା ମହାନଗର ନିଗମ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ଚିଠା ତାଲିକାରେ ୬୯୯ଟି ବୁଥ୍‌ ରହିଥିଲା। ବାସ୍ତବରେ ଚିଠା ଭୋଟର୍‌ ତାଲିକାରେ ଭୋଟର୍‌ଙ୍କ ସଂଖ୍ୟାକୁ ନେଇ ବ୍ୟାପକ ତ୍ରୁଟି ରହିଥିଲା। କେଉଁଠି ହଜାର ହଜାର ଭୋଟର୍‌ କଟିଯାଇଥିବା ବେଳେ ଆଉ କେଉଁ ୱାର୍ଡରେ ହଜାର ହଜାର ଭୋଟର ନୂଆ ଯୋଡ଼ି ହୋଇ ଯାଇଥିଲେ। ପୂର୍ବ ନିର୍ବାଚନ ତୁଳନାରେ ୱାର୍ଡ ୱାର୍ଡ ମଧ୍ୟରେ ଭୋଟର୍‌ଙ୍କ ସଂଖ୍ୟାକୁ ନେଇ ଆକାଶ ପାତାଳ ଫରକ୍‌ ରହିଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ଅଭିଯୋଗ ହେବାରୁ ତନାଘନା ହୋଇଥିଲା। ତର୍ଜମା ପରେ ଜଣାପଡ଼ିଥିଲା ଯେ ଗୋଟିଏ ୱାର୍ଡର ଭୋଟର୍‌ ଅନ୍ୟ ୱାର୍ଡକୁ ଚାଲି ଯାଇଛନ୍ତି। ଏଣୁ ଅଭିଯୋଗ ଆଧାରରେ ହଜାର ହଜାର ଭୋଟରଙ୍କୁ ନିଜ ନିଜ ୱାର୍ଡକୁ ଫେରାଇ ଅଣାଯାଇଥିଲା। ଏହି ପ୍ରକ୍ରିୟା ଏବେ ବି ଚାଲୁ ରହିଛି। ଆସନ୍ତା ୨୪ ତାରିଖ ଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଯାଉଛି। ଏହି ଭୋଟରମାନେ ଫେରିବା ପ‌ରେ ଅଧିକ ବୁଥ୍‌ ଆବଶ୍ୟକତା ପଡ଼ିବ। ଏଣୁ ବୁଥ୍‌ ସଂଖ୍ୟାକୁ ବଢ଼ାଯାଇଛି। ପ୍ରସ୍ତୁତ ହେବାକୁ ଥିବା ୭୦୫ ବୁଥ୍‌ରୁ ୪୦ରୁ ଊର୍ଦ୍ଧ୍ବ ବୁଥ୍‌ ସମ୍ବେଦନଶୀଳ ରହିଛି। ପୂର୍ବରୁ ଘଟିଥିବା ବିଭିନ୍ନ ଘଟଣା ଆଧାରରେ ଏହି ସବୁ ୱାର୍ଡକୁ ଚିହ୍ନଟ କରାଯାଇଛି। ନିର୍ବାଚନ ପୂର୍ବରୁ କିମ୍ବା ପ୍ରଚାର ସମୟରେ ଯଦି ସେଭଳି କିଛି ଘଟଣା ନଜରକୁ ଆସେ ତେବେ ତୁରନ୍ତ କିଛି ୱାର୍ଡକୁ ସମ୍ବେଦନଶୀଳ ଘୋଷଣା କରିବା ସହ ସୁରକ୍ଷା ବଢ଼ାଇବା ଯୋଜନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe