ଭୁବନେଶ୍ୱର : ବିଏମ୍ସିରେ ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ଭୁବନେଶ୍ବର ବାସିନ୍ଦା ଗୁରୁବାର ଦିନ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ୩୦୧ ପ୍ରାର୍ଥୀଙ୍କ ପାଇଁ ଏହି ଜନାଦେଶ ଇଭିଏମ୍ରେ ସିଲ୍ ହୋଇଛି। ସିଲ୍ ଇଭିଏମ୍ ସବୁ ଆସନ୍ତା ୨୬ ତାରିଖରେ ଖୋଲିବ। ଭୋଟ ଗଣତି ହେବା ପରେ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ଗତ ରାତିରୁ ବୁଥ୍ ପ୍ରସ୍ତୁତ ହୋଇ ଯାଇଥିଲା। ପୁଲିଂ ଓ ପ୍ରିଜାଇଡିଂ ଅଫିସରମାନେ କେନ୍ଦ୍ରରେ ପହଞ୍ଚିଯିବା ସହ ଇଭିଏମ୍ ଓ ବୁଥ୍ ପ୍ରସ୍ତୁତ କରିଦେଇଥିଲେ। ଆଜି ସକାଳ ୮ଟା ପୂର୍ବରୁ ମତଦାତାମାନେ କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ଯୁବ ଭୋଟରମାନେ ଯେଉଁମାନେ ପ୍ରଥମ କରି ଭୋଟ୍ ଦେଉଛନ୍ତି ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ନିଜ ନିଜ ବୁଥ୍ରେ କିଭଳି ପ୍ରଥମ ଭୋଟ୍ ଦେବେ ସେଥିପାଇଁ ସେମାନେ ଏକ ପ୍ରକାର ପ୍ରତିଯୋଗିତା କରିଥିବା ପରିକ୍ଷିତ ହୋଇଥିଲା।
ବଢ଼ିଲାନି ମତଦାନ, ମାତ୍ର ୪୩%
ଶିକ୍ଷିତ ସହରରେ ପୁଣି ମତଦାନ ପାଇଁ ଅନାଗ୍ରହ
୪ ନମ୍ବର ୱାର୍ଡରେ ସର୍ବାଧିକ ୭୦% ଭୋଟ୍
ଷ୍ଟ୍ରଙ୍ଗ୍ ରୁମ୍ରେ ଇଭିଏମ୍, ୨୬ରେ ଗଣତି
/sambad/media/post_attachments/wp-content/uploads/2022/03/Booth-Bhitare-2-300x203.jpg)
ବିଏମ୍ସି ନିର୍ବାଚନରେ ଏଥର ମଧ୍ୟ ମତଦାନ ନୈରାଶ୍ୟଜନକ ରହିଛି। ୨୦୧୪ ନିର୍ବାଚନରେ ମତଦାନ ହାର ଯେତିକି ଥିଲା ୮ ବର୍ଷ ପରେ ସେତିକି ହିଁ ରହିଛି। ଏଥର ମୋଟ୍ ୪୩.୩୦ ପ୍ରତିଶତ ମତଦାତା ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ରାଜଧାନୀରେ ଅର୍ଦ୍ଧାଧିକ ଭୋଟର୍ ମତଦାନ ପ୍ରତି ବିମୁଖ ହେବା ଏକ ବିଡ଼ମ୍ବନା ବୋଲି ମତପ୍ରକାଶ ପାଉଛି। ଭୁବନେଶ୍ବରରେ ସର୍ବାଧିକ ଶିକ୍ଷିତ ଲୋକ ଥିଲେ ମଧ୍ୟ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେଇ ତୃଣମୂଳସ୍ତରରେ ନିଜ ନେତା ବାଛିବାକୁ ଆଗ୍ରହ ପ୍ରକାଶ ନ କରିବା ଆମ ବ୍ୟବସ୍ଥାରେ ଦୁର୍ବଳତାକୁ ସୂଚାଉଛି ବୋଲି ବହୁ ସଚେତନ ନାଗରିକ ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୩ରେ ମତଦାନ ହାର ସର୍ବାଧିକ ୪୮.୮ ପ୍ରତିଶତ ରହିଥିବା ବେଳେ ୨୦୦୮ରେ ଏହା ୩୮.୨୯ ପ୍ରତିଶତ ଥିଲା।
/sambad/media/post_attachments/wp-content/uploads/2022/03/surrender-300x169.jpg)
ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ ଏଥର ମୋଟ୍ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର୍ଙ୍କ ମଧ୍ୟରୁ ୩,୧୪,୨୬୮ ଜଣ ମତଦାନ କରିଛନ୍ତି। ପୁରୁଷଙ୍କ ମତଦାନ ହାର ୪୩.୧୩ ପ୍ରତିଶତ ଥିଲା ବେଳେ ମହିଳାଙ୍କ ମତଦାନ ହାର ୪୩.୫୫ ରହିଛି। ୧୧.୮୨ ପ୍ରତିଶତ କିନ୍ନର ମତଦାନ ପ୍ରକ୍ରିୟାରେ ଭାଗ ନେଇଛନ୍ତି। ୪ ନମ୍ବର ୱାର୍ଡରେ ସର୍ବାଧିକ ୭୦.୦୯ ପ୍ରତିଶତ ମତଦାନ ହୋଇଛି। ଏଠାରେ ୧୨,୩୭୯ ଜଣ ଭୋଟର୍ଙ୍କ ମଧ୍ୟରୁ ୮,୬୭୭ ଜଣ ଭୋଟ୍ ଦେଇଛନ୍ତି।
/sambad/media/post_attachments/wp-content/uploads/2022/03/vote-m57-300x150.jpg)
ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ମତଦାନ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ କେତେକ ବୁଥ୍ରେ ଭୋଟରଙ୍କ ଭିଡ଼ ଥିବାରୁ ୫ଟା ପୂର୍ବରୁ ବୁଥ୍ରେ ପହଞ୍ଚିଥିବା ଭୋଟରଙ୍କୁ ମତଦାନ ସୁଯୋଗ ଦିଆଯାଇଥିଲା। ଏଣୁ ଏହି ସବୁ ବୁଥ୍ରେ ସନ୍ଧ୍ୟା ୬ଟା ଯାଏ ବି ମତଦାନ ଚାଲିଥିଲା। ସକାଳ ୮ରୁ ହିଁ ବୁଥ୍ମାନଙ୍କରେ ଭିଡ଼ ଆରମ୍ଭ ହୋଇ ଯାଇଥିଲା। ମଧ୍ୟାହ୍ନରେ ପ୍ରବଳ ଖରା ହେବାରୁ ୧୨ଟାରୁ ପ୍ରାୟ ୪ଟା ପର୍ଯ୍ୟନ୍ତ ବୁଥ୍ଗୁଡ଼ିକରେ ଗହଳି ଚହଳି ନଥିଲା। ପୁଣି ୪ଟାରୁ ୫ଟା ପର୍ଯ୍ୟନ୍ତ ଗହଳି ହୋଇଥିଲା। ୫ଟା ଭିତରେ ଯେଉଁମାନେ ପହଞ୍ଚିଥିଲେ ସେମାନଙ୍କୁ ଚିରକୁଟ୍ ଦିଆଯାଇ ମୁଖ୍ୟ ଫାଟକ ବନ୍ଦ କରି ଦିଆଯାଇଥିଲା ବା ବିଳମ୍ବରେ ଆସୁଥିବା ଭୋଟରଙ୍କୁ ମତଦାନ ସୁଯୋଗ ଦିଆ ଯାଇନଥିଲା।
ସକାଳେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ବିଭିନ୍ନ ବୁଥ୍ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ମତଦାନ ବେଳେ କେତେକ ଜାଗାରେ ଇଭିଏମ୍ରେ ତ୍ରୁଟି ଯୋଗୁଁ କିଛି ସମୟ ପାଇଁ ମତଦାନରେ ବିଳମ୍ବ ହୋଇଥିଲା। ମୃତ ଲୋକଙ୍କ ପାଇଁ ମତଦାନ ହେଉଥିବା ବେଳେ କେତେକ ବୁଥ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ଛଡ଼ା ମତଦାନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବା ସେମାନେ ସୂଚନା ଦେଇଥିଲେ।
/sambad/media/post_attachments/wp-content/uploads/2022/03/evm-1-300x169.jpg)
ଗୁରୁବାର ଦିନ ମତଦାନ ସରିବା ପରେ ସମସ୍ତ ଇଭିଏମ୍କୁ ବିଜେବି କଲେଜରେ ଥିବା ଷ୍ଟ୍ରଙ୍ଗ୍ ରୁମ୍ ପରିସରକୁ ଅଣାଯାଇଛି। ଯେଉଁ ବୁଥ୍ରେ ୫ଟା ପରେ ମତଦାନ ହୋଇଥିଲା ସେଠାରୁ ଇଭିଏମ୍ଗୁଡ଼ିକ ବିଳମ୍ବରେ ଆସିଥିଲା। ମତଦାନ କେନ୍ଦ୍ରୱାରି କାଉଣ୍ଟର ଖୋଲା ଯାଇଥିଲା। ଧାର୍ଯ୍ୟ କାଉଣ୍ଟରରେ ସମ୍ପୃକ୍ତ ପ୍ରିଜାଇଡିଂ ଅଫିସରମାନେ ଇଭିଏମ୍ ହସ୍ତାନ୍ତର କରିଥିଲେ। ବିଜେବି କଲେଜ ପରିସରରେ ଏହି ପ୍ରକ୍ରିୟା ପ୍ରାୟ ସନ୍ଧ୍ୟା ସାଢ଼େ ୬ଟାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଇଭିଏମ୍ ରହିବା ପରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ୍ରୁମ୍ ସିଲ୍ କରାଯାଇଛି। ଏଗୁଡ଼ିକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ପରିସରକୁ ଅନଧିକୃତ ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ନାହିଁ। ବନ୍ଧୁକଧାରୀ ପୁଲିସ ଫୋର୍ସ ଜଗିବା ସହ ପୁଲିସ ଅଫିସର ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ଏହି ଷ୍ଟ୍ରଙ୍ଗ୍ରୁମ୍କୁ ସିସିଟିଭି ନଜରରେ ରଖାଯାଇଛି। ଏହା ସୁରକ୍ଷିତ ଅଛି ଓ ଟ୍ୟାମ୍ପରିଂ କରାଯାଉ ନାହିଁ ବୋଲି ଜାଣିବା ପାଇଁ ପ୍ରଥମ ଥର ଲାଗି ଏହାର ଜୀବନ୍ତ ଚିତ୍ର ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ଟିଭି ସ୍କ୍ରିନ୍ରେ ଦେଖିବା ବ୍ୟବସ୍ଥା ହୋଇଛି। କଲେଜ ପରିସରର ଏକ ସ୍ଥାନରେ ବସି ପ୍ରତିନିଧିମାନେ ଏହି ଷ୍ଟ୍ରଙ୍ଗ୍ରୁମ୍ର ଚିତ୍ର ଦେଖିପାରିବେ।
  
 Follow Us