ବିଏମ୍‌ସି ନିର୍ବାଚନ: ଚକ୍‌ମା ଦେଖାଇଲେ ଭୋଟର, ନିର୍ଣ୍ଣାୟକ ବସ୍ତି ଭୋଟ୍‌

ବିଏମ୍‌ସି ନିର୍ବାଚନ: ଚକ୍‌ମା ଦେଖାଇଲେ ଭୋଟର, ନିର୍ଣ୍ଣାୟକ ବସ୍ତି ଭୋଟ୍‌

ଦୁଇ ମାସର ନିର୍ବାଚନୀ ପରିବେଶରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। କେଉଁ ୱାର୍ଡରେ ଲୋକେ ପୁରୁଣା ନେତାଙ୍କ ଉପରେ ପୁଣିଥରେ ଆସ୍ଥା ଜମାଇଛନ୍ତି ତ ଆଉ କେଉଁଠି ଲୋକେ ପରିବର୍ତ୍ତନ ଚାହିଛନ୍ତି। କ୍ଷମତା ଲୋଭରେ କିଛି ନେତା ଦଳ ଡେଇଁ ଭାଣ୍ଡିଆ ହୋଇଛନ୍ତି। ପୁରୁଖା ନେତା ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କ ଚେର କାଟିଛନ୍ତି। କୋଟିପତି ପ୍ରାର୍ଥୀ ଚିତ୍‌ପଟାଙ୍ଗ୍‌ ମାରିଛନ୍ତି। ବିଦ୍ରୋହୀ ନିଜ ଦମ୍‌ରେ ୱାର୍ଡ ଦଖଲ କରିଛନ୍ତି। କଳେବଳେ କୌଶଳେ ଟିକେଟ୍‌ ହାତେଇଥିବା କିଛି ପୁରୁଖା ନେତା ମତଦାତାଙ୍କୁ ପ୍ରଭାବିତ କରିପାରି ନାହାନ୍ତି। ନା ସେଲିବ୍ରିଟିଙ୍କ କ୍ରେଜ୍‌ ଥିଲା ନା ପ୍ରାର୍ଥୀଙ୍କ ସାଙ୍ଗରେ ଥିଲେ ହେଭିୱେଟ୍‌ ନେତା‌। ପ୍ରଚାରର ମଙ୍ଗ ଧରିଥିଲେ ବିଧାୟକ ଓ ସାଂସଦ। କେତେବେଳେ ନେତା ତ କେ‌େତବେଳେ ଭୋଟର ଚକ୍‌ମା ଦେଖାଇଛନ୍ତି। ଗଣତନ୍ତ୍ର ଏହି ମହାପର୍ବ ନୂଆ ଭୋଟରଙ୍କ ମଧ୍ୟରେ ଉତ୍ସାହ ଭରିଥିବା ବେଳେ କେତେକ ଅଲୋଡ଼ା ପ୍ରସଙ୍ଗ ବି ଦେଇଛି ତିକ୍ତ ଅନୁଭୂତି। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାର କିଛି ନିଆରା ତଥା ନୂଆ ଦିଗକୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା।

ପ୍ରସ୍ତୁତି: ବିବୁଧ ମହାନ୍ତି, କେଶବ ପାଣି

ଭୁବନେଶ୍ବର: ଶିକ୍ଷିତ ଭୋଟରଙ୍କର ଆଉ ଭୋଟ ଦେବାକୁ ଆଗ୍ରହ ରହୁନି। କ୍ରମାଗତ ଭାବରେ ଏମାନଙ୍କର ସଂଖ୍ୟା ଉଦ୍‌ବେଗଜନକ ଭାବରେ କମିବାରେ ଲାଗିଛି। ଏଥର ନିର୍ବାଚନରେ ୫୭ ପ୍ରତିଶତ ମତଦାନ ବସ୍ତିରୁ ହୋଇଥିବା ବେଳେ ବାକି ୪୩ ପ୍ରତିଶତ ଭୁବନେଶ୍ବରର ଅନ୍ୟାନ୍ୟ ଜାଗାରୁ ଆସିଛି। ଯଦି କେବଳ ବସ୍ତି ଅଞ୍ଚଳରେ ହୋଇଥିବା ମତଦାନ ହାରକୁ ବିଚାରକୁ ନେବା ତେବେ ୭୨ ପ୍ରତିଶତ ବସ୍ତି ବାସିନ୍ଦା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଯେଉଁଠି ସମୁଦାୟ ୪୩ ପ୍ରତିଶତ ମତଦାନ ହେଉଛି ସେଠାରେ ୭୨ ପ୍ରତିଶତ ବସ୍ତିବାସିନ୍ଦା ଭୋଟ୍‌ ଦେଉଛନ୍ତି। ଏହି ଭୋଟରମାନେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିବାରୁ ନେତାମାନେ ବସ୍ତିକୁ ଫୋକସ୍‌ କରିଛନ୍ତି।
ଏବେ ଭୁବନେଶ୍ବରରେ ଆଇନସିଦ୍ଧ ଓ ବେଆଇନ ଭାବରେ ୫ଶହରୁ ଊର୍ଦ୍ଧ୍ବ ବସ୍ତି ରହିଛି। ଏଠାରେ ଲକ୍ଷେରୁ ବେଶି ଘର ରହିଥିବା ବେଳେ ଜନସଂଖ୍ୟା ୩ଲକ୍ଷ ୨୦ହଜାରରୁ ବେଶି ରହିଛି। ସେହିଭଳି ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୬୦ ହଜାର ରହିଛି। ଏହି ବସ୍ତି ଅଞ୍ଚଳରୁ ହିଁ ୭୨ ପ୍ରତିଶତ ମତଦାନ ହେଉଛି। ୱାର୍ଡ ନମ୍ବର ୧୬ର ସାଲିଆସାହି ଭିତରେ ରହିଛି ବୁଥ୍‌ ନମ୍ବର ୧୫୮, ୧୫୯, ୧୬୦, ୧୬୧ ଇତ୍ୟାଦି। ଯଦି ୧୫୮ ବୁଥ୍‌କୁ ବିଚାରକୁ ନେବା ତେବେ ଏଠାରେ ପାଖାପାଖି ୧୧୦୦ ଭୋଟର ଅଛନ୍ତି।

ଏଠାରେ ଭୋଟ୍‌ ଦେଇଛନ୍ତି ୯୩୪। ଅର୍ଥାତ୍‌ ମତଦାନ ହାର ୮୪ ପ୍ରତିଶତ। ସେହିଭଳି ୪୧ ନମ୍ବର ୱାର୍ଡର କେଦାରପଲ୍ଲୀରେ ଥିବା ବୁଥ୍‌କୁ ହିସାବକୁ ନେବା ତେବେ ୯୮୦ ଭୋଟରଙ୍କ ମଧ୍ୟରୁ ଏଠାରେ ୭୬୦ ଭୋଟ୍‌ ଦେଇଛନ୍ତି। ଅର୍ଥାତ୍‌ ମତଦାନ ହାର ୭୭ ପ୍ରତିଶତ। ସେହିଭଳି ୱାର୍ଡ ନମ୍ବର ୧୭ରେ ଥିବା ବାୟାବାବା ବସ୍ତି ଅଞ୍ଚଳରେ ଥିବା ବୁଥ୍‌କୁ ହିସାବକୁ ନେବା ତେବେ ୭୫୦ ଭୋଟରଙ୍କ ମଧ୍ୟରୁ ୫୮୦ ମତଦାନ କରିଛନ୍ତି। ମତଦାନ ହାର ହେଉଛି ୭୨ ପ୍ରତିଶତ। ଏଭଳି ପ୍ରତ୍ୟେକ ବସ୍ତିର ବୁଥ୍‌କୁ ହିସାବକୁ ନେଲେ ବସ୍ତିରୁ ମୋଟ ମତଦାନ ହାର ୭୨ ପ୍ରତିଶତ ହେଉଛି।

ବସ୍ତିକୁ ଛାଡ଼ିଦେଲେ ଅନ୍ୟ ଭୋଟରଙ୍କ କଥା ଯଦି ବିଚାର କରିବା ତେବେ ଏକ ବିଚିତ୍ର ତଥ୍ୟ ସାମ୍ନାକୁ ଆସୁଛି। ମୋଟ ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୨୫ ହଜାର ୭୬୫ରୁ ବସ୍ତି ଭୋଟର ୨ଲକ୍ଷ ୪୦ ହଜାର ବାଦ୍‌ ଦେବା ପରେ ଅନ୍ୟ ଆବାସିକ ଅଞ୍ଚଳରେ ଭୋଟରଙ୍କ ସଂଖ୍ୟା ହେଉଛି ୪ ଲକ୍ଷ ୮୫ ହଜାର ୭୬୫। ଏମାନଙ୍କ ମଧ୍ୟରୁ ମତଦାନ କରିଛନ୍ତି ୧ ଲକ୍ଷ ୩୪ ହଜାର ୨୬୮। ମତଦାନ ହାର ହେଉଛି ମାତ୍ର ୨୭.୭ ପ୍ରତିଶତ। ଶିକ୍ଷିତ ଭୋଟରମାନେ ମତଦାନ ପ୍ରକ୍ରିୟାରେ ସାମିଲ ନ ହେବା ଗଣତନ୍ତ୍ରରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି।

ଅନ୍ୟପଟେ ବସ୍ତିବାସିନ୍ଦା ନିର୍ଣ୍ଣାୟକ ଭୂମିକା ନେଉଥିବାରୁ ସବୁ ଦଳର ଫୋକସ୍‌ ବସ୍ତି ଉପରେ ରହିଛି। ବସ୍ତିରେ ଅଭାବ ଥିବା ମୌଳିକ ସମସ୍ୟାକୁ ବିରୋଧୀ ଏଜେଣ୍ଡା କରିଛନ୍ତି। ବସ୍ତିରେ ‌ପ୍ରତ୍ୟେକ ବାସିନ୍ଦାଙ୍କୁ ପକ୍କା ଘର, ଜମି ପଟ୍ଟା, ବିଦ୍ୟୁତ ସଂଯୋଗ, ବିଶୁଦ୍ଧ ପିଇବା ପାଣି, ଚିକ୍କଣ ରାସ୍ତା, ସମସ୍ତ ଯୋଗ୍ୟଙ୍କୁ ଖେଳପଡ଼ିଆ ପାର୍କ ଠାରୁ ଆରମ୍ଭ କରି ଯାବତୀୟ ସୁବିଧା ଯୋଗାଇ ଦେବାକୁ ଭତ୍ତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଣେ ସରକାରୀ ଦଳ ମଧ୍ୟ ବସ୍ତିବାସିନ୍ଦାଙ୍କ ମୌଳିକ ସମସ୍ୟା ସମାଧାନକୁ ଅଗ୍ର‌ାଧିକାର ଦେବା ସହ ବିଗତ ଦିନମାନଙ୍କରେ ବସ୍ତିବାସିନ୍ଦାଙ୍କ ପାଇଁ କରାଯାଇଥିବା ସମସ୍ତ କାର୍ଯ୍ୟକୁ ଏଜେଣ୍ଡାରେ ଦେଖାଇଥିଲା। ତେବେ ୟେ ତ’ ଗଲା‌ ବିରୋଧୀ ଓ ସରକାରୀ ଦଳର କଥା। ବସ୍ତି ଭୋଟରଙ୍କୁ ପାଥେୟ କରି ଏଥର ଏକାଧିକ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ମଇଦାନକୁ ଓହ୍ଲାଇଥିଲେ। ବସ୍ତିରେ ରହୁଥିବା ନେତା ମଧ୍ୟ ନିର୍ବାଚିତ ପ୍ରତିନିଧି ହେବାକୁ ମନ ବଳାଇଥିବା ଏଥର ନିର୍ବାଚନରେ ଦେଖା‌ ଯାଇଥିଲା।

publive-image

ଇତିହାସ ରଚିଲେ କଂଗ୍ରେସ ପ୍ରାର୍ଥୀ

ଏଥର ଚର୍ଚ୍ଚାରେ ରହିଥିଲେ ଜ୍ୟୋତ୍ସ୍ନାରାଣୀ ରାଉତରାୟ। ଗତ ଥର ସେ ୧୯ ନମ୍ବର ୱାର୍ଡରୁ କଂଗ୍ରେସରୁ କର୍ପୋରେଟର ଭାବେ ବିଜୟ ଲାଭ କରିବା ପରେ ବିଜେଡିରେ ମିଶି ଯାଇଥିଲେ। ୫ ବର୍ଷ କ୍ଷମତା ଉପଭୋଗ କରିବା ପରେ ଏଥର ମଧ୍ୟ ବିଜେଡିରୁ ଟିକେଟ୍‌ ଆଶାୟୀ ଥିଲେ। ଟିକେଟ୍‌ ନ ମିଳିବାରୁ ସେ ପୁଣି କଂଗ୍ରେସକୁ ଫେରି ଯାଇ ଟିକେଟ୍‌ ହାତେଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ କଣ ହେଲା କେଜାଣି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲେ। ‌ସମସ୍ତ ୬୭ ୱାର୍ଡରେ ପ୍ରାର୍ଥୀ ଦେଇପାରି ନଥିବା କଂଗ୍ରେସ ଏହି ଘଟଣା‌ରେ ବେଶ୍‌ ନିନ୍ଦିତ ହୋଇଥିଲା।

ଲକି ଶିବ, ଅନ୍‌ଲକି ରଘୁ

ବିଜେଡିରେ ସାମିଲ ହୋଇଥିଲେ ୬୩ ନମ୍ବର ୱାର୍ଡର ପୂର୍ବତନ ବିଜେପି କର୍ପୋରେଟର୍‌ ରଘୁନାଥ ମହାନ୍ତି(ରଘୁ) ଓ ୫୪ ନମ୍ବର ୱାର୍ଡର ବିଜେପି ନେତା ଶିବ ପ୍ରସାଦ ବେହେରା(ଶିବ)। ରଘୁ ସମର୍ଥନ କରୁଥିବା ପ୍ରାର୍ଥୀଙ୍କୁ ବିଜେପି ଟିକେଟ୍‌ ନ ଦେବାରୁ ସେ ବିଜେଡିରେ ମିଶିବା ସହ ବିଜେଡି ପ୍ରାର୍ଥୀଙ୍କ ସହ ମିଶି ପ୍ରଚାର କରୁଥିଲେ। ହେଲେ ସେଠାରୁ ବିଜେଡି ପ୍ରାର୍ଥୀ ହାରିଗଲେ। କିନ୍ତୁ ଶିବ ବିଜେଡିରୁ ଟିକେଟ୍‌ ନେଇ ପ୍ରାର୍ଥୀ ହେବା ସହ ବିଜେପି ପ୍ରାର୍ଥୀଙ୍କୁ ହରାଇଲେ।

ଭାଣ୍ଡିଆ ହେଲେ ପ୍ରକାଶ

୩୧ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ପ୍ରକାଶ ଜେନା କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ଖାଲି ମିଶିନଥିଲେ, ବରଂ ବିଜେଡି ସାଂଗଠାନିକ ସମ୍ପାଦକ ବବି ଦାସଙ୍କ ବାସଭବନ ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବାସବଭନକୁ ହଜାର ହଜାର ସମର୍ଥକଙ୍କୁ ଶୋଭାଯାତ୍ରାରେ ନେଇ ଦମ୍‌ ଦେଖାଇଥିଲେ। ହେଲେ ଶେଷ ମୁହୂର୍ତ୍ତରେ ବିଜେଡି ପୁରୁଣା ନେତା କୁମାରେନ୍ଦ୍ରଙ୍କ ଉପରେ ଭରସା କରି ଟିକେଟ୍‌ ଦେଇଥିଲା‌। ଏଣେ ପ୍ରକାଶ କଂଗ୍ରେସକୁ ଫେରି ନିଜ ପୁଅକୁ ଏହି ୩୧ ନମ୍ବରରେ ପ୍ରାର୍ଥୀ କରିଥିଲେ ମଧ୍ୟ ସଫଳ ହେଲେନି।

ଭୋଗିଲା ବିଜେଡି

ପାଞ୍ଚ ଥର ଜିତି ଏଥର ମଧ୍ୟ ଟିକେଟ୍‌ ପାଇଁ ଆଶାୟୀ ଥିବା ୨୯ ନମ୍ବର ୱାର୍ଡର ସେକ୍‌ ନିଜାମୁଦ୍ଦିନଙ୍କ ଟିକେଟ୍‌ କଟିବା ସହ ବିଜେଡି ତାଙ୍କର ଏକାନ୍ତ ଅନୁଗତକୁ ପ୍ରାର୍ଥୀ କରିଥିଲା। ଯେଉଁଥିପାଇଁ ସେ ଅସନ୍ତୋଷ ବ୍ୟକ୍ତ କରି ପ୍ରାର୍ଥିପତ୍ର ଦାଖଲ କଲେ। ହେଲେ ଦଳର ଚାପ ଆଗରେ ତିଷ୍ଠି ପାରିଲେନି। ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ବିଜେଡି ପ୍ରାର୍ଥୀଙ୍କ ସହ ପ୍ରଚାର କଲେ। ଯେଉଁଠି ସେ ସ୍ବାଧୀନ ଭାବେ ଛିଡ଼ା ହୋଇ ଜିତିବାର ଦମ୍‌ ରଖୁଥିଲେ ସେଠାରେ ବିଜେଡି ପାଇଁ ପ୍ରଚାର କରି ମଧ୍ୟ ଦଳୀୟ ପ୍ରାର୍ଥୀ ହାରିଗଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe