୪ ଦିନରେ କିନ୍ନର ଆଦାୟ କଲେଣି ସା‌ଢ଼େ ୭ ଲକ୍ଷ

Advertisment
୪ ଦିନରେ କିନ୍ନର ଆଦାୟ କଲେଣି ସା‌ଢ଼େ ୭ ଲକ୍ଷ

ଭୁବନେଶ୍ବର : ହୋଲଡିଂ ଟିକସ ଆଦାୟ କରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଯେଉଁ ଗୋଟି ଚଳାଇଥିଲେ, ସେଥିରେ ସଫଳତା ମିଳୁଛି। ଦୀର୍ଘ ବର୍ଷ ହେଲା ହୋଲଡିଂ ଟିକସ ଫାଙ୍କି ଆସୁଥିବା ଲୋକଙ୍କ ଘରକୁ କିନ୍ନର ପଠାଇ ଟିକସ ଆଦାୟ କରିବାରେ ସଫଳ ହୋଇଛି। ୪ ଦିନରେ କିନ୍ନର ଗୋଷ୍ଠୀ ୭ ଲକ୍ଷ ୫୨ ହଜାର ୮୭୨ ଟଙ୍କା ହୋଲଡିଂ ଟିକସ ଆଦାୟ କରିବାରେ ସଫଳ ହୋଇଛନ୍ତି।

ବିଏମ୍‌ସି ଡେପୁଟି କମିସନର (ରାଜସ୍ବ) ଶ୍ରୀମନ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ, ୧୦ ହଜାରରୁ ଅଧିକ ଟଙ୍କାର ବକେୟା ହୋଲଡିଂ ଟିକସ ଥିବା ଲୋକଙ୍କ ଘର ଓ କାର୍ଯ୍ୟାଳୟକୁ କିନ୍ନରମାନଙ୍କୁ ପଠାଯାଉଛି। ସେମାନେ ବିଭିନ୍ନ ୱାର୍ଡର ଟିକସ ଖିଲାପକାରୀଙ୍କୁ ଅନୁରୋଧ କରି ଓ ଆଶୀର୍ବାଦ ଦେଇ ଟିକସ ଆଦାୟ କରୁଛନ୍ତି। ଏହି ଗୋଷ୍ଠୀ ୪ ଦିନରେ ଭଲ ରାଜସ୍ବ ଆଦାୟ କରିଛନ୍ତି। ପ୍ରଥମ ଦିନରେ ୬୬ହଜାର ଟଙ୍କା, ଦ୍ବିତୀୟ ଦିନରେ ୧୨ହଜାର, ତୃତୀୟ ଦିନରେ ୨ଲକ୍ଷ ୭୩ ହଜାର ଏବଂ ଚତୁର୍ଥ ଦିନରେ ୪ଲକ୍ଷ ଏକ ହଜାର ୮୭୨ ଟଙ୍କା ଆଦାୟ କରିଛନ୍ତି। ଏହିପରି ମୋଟ୍‌ ସାଢ଼େ ୭ଲକ୍ଷରୁ ଅଧିକ ରାଜସ୍ବ ଆଦାୟ କରିଛନ୍ତି। ସେହିପରି ବିଭିନ୍ନ ଅଞ୍ଚଳର ମହିଳା ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ବି ଟିକସ ଆଦାୟରେ ନିୟୋଜିତ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧୮ କୋଟି ହୋଲଡିଂ ଟିକସ ଆଦାୟ ହେଲାଣି।

ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, କିନ୍ନରମାନଙ୍କୁ ଦରମା ଦିଆଯିବନି। ଯେତିକି ଟଙ୍କା ଆଦାୟ କରିବେ ତା’ ଉପରେ କମିସନ ପାଇବେ। କିନ୍ନରମାନଙ୍କୁ ସ୍ବତନ୍ତ୍ର ୟୁନିଫର୍ମ, ବ୍ୟାଚ୍‌ ଓ ପରିଚୟ ପତ୍ର ପ୍ରଦାନ କରାଯାଇଛି।

ଅପରପକ୍ଷେ ଆଜି କିନ୍ନରଗୋଷ୍ଠୀଙ୍କୁ ବଡ଼ ସଫଳତା ମିଳିଛି। ଆଜି ଏହି ଗ୍ରୁପ୍ ଦକ୍ଷିଣ-ପଶ୍ଚିମ ଜୋନ୍‌ର ୱାର୍ଡ -୩୭ର ନୂଆପଲ୍ଲୀ ଅଞ୍ଚଳକୁ ଯାଇଥିଲେ। ସେଠାରେ ଦୀର୍ଘ ବର୍ଷ ହେଲା ବକେୟା ରଖିଥିବା ତିନି ଘରମାଲିକଙ୍କୁ ଭେଟିଥିଲେ ଏବଂ ସମୁଦାୟ ବକେୟା ଟିକସ ଆଦାୟ କରିଥିଲେ। ସେହିପରି ପ୍ଲଟ୍ ନଂ- ୭୩୦ର ଘର ମାଲିକଙ୍କ ଉପରେ ୨୦୧୨-୧୩ରୁ ୨୦୧୮-୧୯ ପର୍ଯ୍ୟନ୍ତ ହୋଲଡିଂ ଟିକସ ବାକି ଥିଲା। ହେଲେ ଘର ମାଲିକ ନ ଥିବାରୁ କିନ୍ନର ଗୋଷ୍ଠୀ ସେହି ପ୍ଲଟରେ ଥିବା ଦୋକାନୀମାନଙ୍କୁ ଟିକସ ଦେବାକୁ ଅନୁରୋଧ କରିଥିଲେ। ଏହାପରେ ଦୋକାନୀମାନେ ମୋଟ୍‌ ଦେୟର ୭୦% ଆଦାୟ କରି ଦେଇଥିଲେ। ବାକି ୩୦% ଟିକସ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଦେବେ ବୋଲି ମାଲିକଙ୍କ ତରଫରୁ ଦୋକାନୀମାନେ ପ୍ରତିଶ୍ରୁତି ଦେବା ପରେ କିନ୍ନର ଗୋଷ୍ଠୀ ସେଠାରୁ ଆସିଥିଲେ। ଆଜିର ଏହି ସଫଳତା ପରେ ବିଏମ୍‌ସି ଚଳିତବର୍ଷ ବହୁ ଖିଲାପକାରୀଙ୍କଠାରୁ ଟିକସ ଆଦାୟ କରିପାରିବ ବୋଲି ଟାର୍ଗେଟ୍‌ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe