କଳାକାରଙ୍କ ପ୍ରତି ସମ୍ବେଦନାହୀନ ବିଏମ୍‌ସି

Advertisment

୬ବର୍ଷ ହେଲା ଆବେଦନ କରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଭତ୍ତାକୁ ଚାହିଁ ବସିଛନ୍ତି ରାଜଧାନୀର ୨୧୫ କଳାକାର

୬ବର୍ଷ ହେଲା ଆବେଦନ କରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଭତ୍ତାକୁ ଚାହିଁ ବସିଛନ୍ତି ରାଜଧାନୀର ୨୧୫ କଳାକାର

ସ୍ବଚ୍ଛ ସର୍ବେକ୍ଷଣ ୨୦୨୪: ଚୁଲିକୁ ଯାଇଛି ପଲିଥିନ୍‌ କଟକଣା

ଖଣ୍ଡଗିରି: ୨୦୧୮ ମସିହାରେ ଭତ୍ତାପାଇଁ ବିଏମ୍‌ସି ମାଧ୍ୟମରେ କଳାକାରମାନେ ଆବେଦନ କରିଥିଲେ। ୬ ବର୍ଷ ପରେ, ଅର୍ଥାତ୍‌ ୨୦୨୪ରେ ବିଏମ୍‌ସି ସେମାନଙ୍କ ଆବେଦନକୁ ବିଚାରକୁ ନେଲା। ଅଡିସନ୍ କରି ଯୋଗ୍ୟ କଳାକାର ବି ବ‌ାଛିଲା। ଠିକ୍‌ ଏତିକି ବେଳେ ସରକାର କଳାକାର ଭତ୍ତା ବଢ଼ାଇଲେ। ସରକାରଙ୍କ ଘୋଷଣାକୁ ନେଇ କଳାକାରମାନେ ବେଶ୍‌ ଉତ୍ସାହିତ ବି ହେଲେ। କିନ୍ତୁ ଘୋଷଣା ମୁତାବକ ବର୍ଦ୍ଧିତ ଭତ୍ତା ତ ମିଳିଲାନି, ପୂର୍ବ ନିର୍ଦ୍ଧାରିତ ଭତ୍ତାଟଙ୍କା ବି ମିଳିଲାନି। ବରଂ ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କୁ ଆଉଥରେ ଆବେଦନ କରିବାକୁ ହେବ ନା ପୁରୁଣା ଆବେଦନକୁ ବିଚାରକୁ ନିଆଯିବ, ତାହା ମଧ୍ୟ ସ୍ପଷ୍ଟ କରାଗଲାନି। ଫଳରେ କେତେଜଣ ଦୁଇଥର ଆବେଦନ କରିଥିବା ବେଳେ ଆଉ କିଛି ଥରେ ଆବେଦନ କରି ଭତ୍ତାକୁ ଚାହିଁ ବସିଛନ୍ତି। ଭୁବନେଶ୍ବରର ଶହଶହ କଳାକାର ଏଭଳି ଦ୍ବନ୍ଦ୍ବରେ ଅଛନ୍ତି।

ବର୍ଦ୍ଧିତ ଭତ୍ତା ପାଇଁ ଆବେଦନ ଶେଷ ତାରିଖ ଚଳିତ ବର୍ଷ ଏପ୍ରିଲ୍‌ ମାସ ଥିଲ‌ା। କିନ୍ତୁ ଅନେକ କଳାକାର ଆବେଦନ ତାରିଖ ଜାଣିନପାରିବାରୁ ଆବେଦନ ସଂଖ୍ୟା ଅପେକ୍ଷାକୃତ କମ୍‌ ହେଲା। ଏଣୁ ଏହି ଆବେଦନ ତାରିଖକୁ ବଢ଼ାଇବା ପାଇଁ ଅନେକ ସଂଘ ସରକାରଙ୍କୁ ନିବେଦନ କଲେ। ଏହି ତାରିଖ ଏବେ ଜୁନ୍ ୩୦କୁ ବୃଦ୍ଧି କରାଯାଇଥିବା କୁହାଯାଉଛି। କିନ୍ତୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା କାରଣରୁ ସରକାରୀ ଘୋଷଣା ହୋଇ ପାରୁନାହିଁ। ଏହା ମଧ୍ୟ ଅନେକ କଳାକାରଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଖଣ୍ଡଗିରିରେ ରହୁଥିବା ଜଣେ ପାଲାକାର କହନ୍ତି, ‘‘ବିଏମ୍‌ସି ଆବେଦନ ଗ୍ରହଣ କରିବାର ୬ ବର୍ଷପରେ ଅଡିସନ୍ କଲା। ଏବେ ସରକାର ଭତ୍ତାଟଙ୍କା ବଢ଼ାଇଲେ। କିନ୍ତୁ ଆବେଦନ ବାବଦରେ ନା ଜିଲ୍ଲା ପ୍ରଶାସନ ନା ବିଏମ୍‌ସି, କେହି ସ୍ପଷ୍ଟ କଲେନାହିଁ। ଶେଷ ଆବେଦନ ତାରିଖ ବଢ଼ିବା ବାବଦରେ ତ ବିଧିବଦ୍ଧ ଭାବରେ ଘୋଷଣା କଲେ ନାହିଁ, ବରଂ ଏକ ଆର୍‌ଟିଆଇ ‌ଆବେଦନର ଉତ୍ତରରେ ଜୁନ୍ ୩୦କୁ ଘୁଞ୍ଚାଇବା ନେଇ ସୂଚନା ଦେଇଛନ୍ତି। ଏହା ସମସ୍ତଙ୍କ ପାଇଁ ଲାଗୁ ନା ସମ୍ପୃକ୍ତ ଆବେଦନକାରୀଙ୍କ ପାଇଁ ଲାଗୁ ହୋଇଛି, ଆମେ ଜାଣି ପାରୁନାହୁଁ। ପରିଣତ ବୟସରେ ପହଞ୍ଚିବା ପରେ ମଧ୍ୟ ଭତ୍ତାପାଇଁ ଏଭଳି ହଟହଟା ହେବା ବଡ଼ କଷ୍ଟ ଦେଉଛି...।’’ ଏ ନେଇ ଜିଲ୍ଲା ପ୍ରଶାସନର କହିବା କଥା ହେଉଛି, ଆବେଦନ ଶେଷ ତାରିଖ ବଢ଼ିବା ନେଇ ସରକାରୀ ଭାବରେ କୌଣସି ସୂଚନା ଆସିନାହିଁ। ସେହିଭଳି ଯେଉଁମାନେ ପୂର୍ବରୁ ଆବେଦନ କରିଛନ୍ତି, ଆଉ ଥରେ କରିବେ କି ନାହିଁ ତା’ ମଧ୍ୟ ସ୍ପଷ୍ଟ ହୋଇନାହିଁ। ସରକାରଙ୍କ ଠାରୁ ସ୍ପଷ୍ଟ ନିର୍ଦ୍ଦେଷ ଆସିବା ପରେ ଯାହା ନିଷ୍ପତ୍ତି ନିଆଯିବ।

ସୂ୍ଚନାଯୋଗ୍ୟ, ୮୦ ବର୍ଷ ପର୍ଯ୍ୟନ୍ତ କଳାକାରଙ୍କୁ ଭତ୍ତା ୧,୨୦୦ରୁ ୨,୦୦୦ ଟଙ୍କାକୁ ଓ ୮୦ବର୍ଷରୁ ଊର୍ଦ୍ଧ୍ବ କଳାକାରଙ୍କୁ ୧,୨୦୦ରୁ ୨,୫୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ସହାୟତା ରାଶି ଚଳିତ ଫେବ୍ରୁଆରି ମାସରୁ ଲାଗୁ କରାଯିବାକୁ ଘୋଷଣା କରାଯାଇଛି। ବିଏମ୍‌ସିରେ ଆବେଦନ କରିଥିବା ୨୧୫ କଳାକାର ମଧ୍ୟରୁ ଅଡିସନ ଜରିଆରେ ୮୩ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ୬ବର୍ଷ ହେଲା ଆବେଦନ କରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତାକୁ ଚାହିଁ ବସିଛନ୍ତି ୨୧୫ କଳାକାର। ବିଏମ୍‌ସି ତହବିଲ୍‌ରୁ ବି ଏହି ଭତ୍ତା ଅର୍ଥ ଯିବନାହିଁ, ସରକାର ଦେବେ। ତାହା ପୁଣି ସଂସ୍କୃତି ଅଧିକାରୀଙ୍କ ଜରିଆରେ ସିଧା କଳାକାରଙ୍କ ଆକାଉଣ୍ଟକୁ। ତେଣୁ ବିଏମ୍‌ସି ଏବାବଦରେ ଆଦୌ ଚିନ୍ତିତ ହେବା କଥା ନୁହେଁ। କିନ୍ତୁ କଳାକାରଙ୍କ ଆବେଦନ ୬ ବର୍ଷ ହେଲା ବିଏମ୍‌ସିର ନାଲିଫିତା ତଳେ କବର ପାଇଛି। ୨୦୨୧ ମସିହାରୁ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକ୍‌ର ଯୋଗ୍ୟ କଳାକାର ନିୟମିତ ଭତ୍ତା ପାଉଥିବା ବେଳେ ରାଜ୍ୟର ରାଜଧାନୀର ରହୁଥିବା କଳାକାର କି ପାପ କଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe