ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ପାଇଁ ବିଏମ୍ସି ଜୋର୍ଦାର ପ୍ରସ୍ତୁତି କରିଛି। ଶୁକ୍ରବୋ ଦିନ ବିଏମ୍ସି କମିସନର ସଞ୍ଜୟ ସିଂହ ଏକ ଜରୁରୀ ବୈଠକରେ ସମସ୍ତ ୱାର୍ଡର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ସମ୍ଭାବ୍ୟ ବାତ୍ୟାରେ ଯେଭଳି କେହି ମୃତାହତ ନ ହେବେ, ତାହାକୁ ପ୍ରାଥମିକତା ଦିଆଯାଇଛି। ୬୭ଟିଯାକ ୱାର୍ଡର ସମ୍ବେଦନଶୀଳ ଜାଗାଗୁଡ଼ିକୁ ଚିହ୍ନଟ କରାଯାଇଛି।
ବିଏମ୍ସିର ଇଞ୍ଜିନିୟରିଂ ବିଭାଗ ଏଭଳି ୩୬ଟି ଜାଗା ଚିହ୍ନଟ କରିଛି। ସେଗୁଡ଼ିକ ହେଲା, ଗ୍ୟାରେଜ୍ ଛକ, ସାରଦା ମଠ ଲେନ୍, ଶ୍ରୀରାମ ନଗର, ରତ୍ନ ଭିଲ୍ଲା, ରବୀନ୍ଦ୍ର ଗାର୍ଡେନ୍ ଓ ପାଇକନଗର ପ୍ରଭୃତି। ଏହି ସବୁ ଅଞ୍ଚଳରେ ଯେଭଳି ପାଣି ଜମିବ ନାହିଁ, ସେଥିପାଇଁ ଯଥେଷ୍ଟ ସଂଖ୍ୟାରେ ପମ୍ପ ମୁତୟନ କରାଯାଇଛି। ସେହିପରି ଗଛ କାଟିବା ପାଇଁ କଟର୍, ଟ୍ରାକ୍ଟର୍, ଜେସିବି, ଜେନେରେଟର ପ୍ରସ୍ତୁତ ରଖାଯାଇଛି। ଜରୁରୀ ପରିସ୍ଥିତିରେ ସଫେଇ କରିବାକୁ ପରିମଳ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ପୂର୍ବରୁ ୨୪ଘଣ୍ଟା କାମ କରୁଥିବା ହେଲ୍ପ ଲାଇନ୍ ନମ୍ବର ୧୯୨୯କୁ ଫାୟାର ଷ୍ଟେସନ ସହ ସମନ୍ବିତ କରାଯାଇଛି। ତା’ ସହ ବିଏମ୍ସି ନିୟନ୍ତ୍ରଣ କକ୍ଷରେ ୦୬୭୪-୨୪୩୧୨୫୩ ଓ ଟୋଲ୍ ଫ୍ରି ୧୮୦୦୩୪୫୦୦୬୧ ନମ୍ବର ୨୪ ଘଣ୍ଟା କାମ କରିବ। ଏଣୁ ଯେକୌଣସି ସମସ୍ୟା ହେଲେ ଏହି ସବୁ ନମ୍ବରରେ ଯୋଗାଯୋଗ କରିବା ପାଇଁ ବିଏମ୍ସି ପକ୍ଷରୁ କୁହାଯାଇଛି। ସେହିଭଳି ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯେଗାଣ ପାଇଁ ଜେନେରେଟର୍ ରଖାଯାଇଛି। ଅତିରିକ୍ତ ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ ରହିବା ସହ ହାଲୋଜିନ୍ ବଟିକା, ସାପକାମୁଡ଼ା ଔଷଧ ଓ ଅନ୍ୟାନ୍ୟ ଔଷଧ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି। ନଭେମ୍ବର ଓ ଡିସେମ୍ବର ମାସ ପାଇଁ ପିଡିଏସ୍ ସାମଗ୍ରୀ ବାଣ୍ଟି ଦିଆଯାଇଥିବା ବେଳେ ପାନୀୟ ଜଳାଭାବ ଦୂର କରିବା ପାଇଁ ପାଣି ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ ୱାଟ୍କୋକୁ କୁହାଯାଇଛି।
ସମ୍ବେଦନଶୀଳ ଜାଗାଗୁଡ଼ିକରୁ ଲୋକମାନଙ୍କୁ ପାଖ ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳୀ ବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ବାସହୀନ, ଖୋଲା ଆକାଶ ତଳେ ଶୋଉଥିବା କିମ୍ବା ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଏଥିରେ ପ୍ରାଥମିକତା ଦିଆଯାଇଛି। ଏଭଳି କାମ ପାଇଁ ଏନ୍ଜିଓଙ୍କୁ ଦାୟିତ୍ବ ଦିଆଯାଇଛି। ସହରାଞ୍ଚଳ ବାସହୀନଙ୍କ ପାଇଁ ୩୬୮ ଲୋକ ରହିବା ଭଳି କ୍ଷମତା ବିଶିଷ୍ଟ କେନ୍ଦ୍ର ରହିଥିବା ବେଳେ ୧୦୦ କ୍ଷମତା ବିଶିଷ୍ଟ ଏକ ସ୍ବତନ୍ତ୍ର ଗୃହ ଭିକାରୀଙ୍କ ପାଇଁ ରହିଛି। ମେ’ ୫ ତାରିଖ ପର୍ଯ୍ୟନ୍ତ ଏହି ଦୁଇଟି କେନ୍ଦ୍ରକୁ ପ୍ରସ୍ତୁତ ରଖାଯାଇଛି। ୩ରୁ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ୨୪ ଘଣ୍ଟା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦକ୍ଷିଣ-ପୂର୍ବ ଜୋନ୍ରେ ୨୯ ବାତ୍ୟା ଆଶ୍ରୟସ୍ଥଳ ଥିବା ବେଳେ ଦକ୍ଷିଣ-ପଶ୍ଚିମ ଜୋନ୍ରେ ୨୧ ଓ ଉତ୍ତର ଜୋନ୍ରେ ୨୨ଟି ରହିଛି। କମିସନରଙ୍କ ନିର୍ଦ୍ଦେଶ ପରେ ଦକ୍ଷିଣ-ପୂର୍ବ ଜୋନ୍ ଡେପୁଟି କମିସନର୍ ମହେନ୍ଦ୍ର ବଢ଼େଇ, ଦକ୍ଷିଣ-ପଶ୍ଚିମ ଜୋନ୍ ଡେପୁଟି କମିସନର୍ ରବିନାରାୟଣ ଜେଠୀ, ଉତ୍ତର ଜୋନ୍ ଡେପୁଟି କମିସନର୍ ପୁରନ୍ଦର ନନ୍ଦ ପ୍ରମୁଖ ଏହି ସବୁ ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି। ତା’ ସହ ବିଭିନ୍ନ ସ୍କୁଲ ଓ କଲେଜର ସ୍ଥିତି ମଧ୍ୟ ଦେଖିଛନ୍ତି। ସ୍କୁଲଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ସମାଜ କଲ୍ୟାଣ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ପବନ ହେଲେ ଭୁଶୁଡ଼ି ପଡ଼ିବା ଆଶଙ୍କାରେ ସହରାଞ୍ଚଳ ବିଭିନ୍ନ ସ୍ଥାନରେ ହାଇମାଷ୍ଟ ଲାଇଟ୍ଗୁଡ଼ିକୁ ତଳକୁ ଓହ୍ଲାଇ ଦେବାକୁ ନିର୍ଦ୍ଦେଶ ହୋଇଛି। ସହରରୁ ସମସ୍ତ ବିଜ୍ଞାପନ ହୋର୍ଡିଂ ମଧ୍ୟ କାଢ଼ିଦେବାକୁ ନିଷ୍ପତ୍ତି ହୋଇଛି।
ବଦଳିଲା ଭୁବନେଶ୍ବର ପାଗ
ବାତ୍ୟା ‘ଜୱାଦ’ ପ୍ରଭାବ ଭୁବନେଶ୍ବରରେ ଶୁକ୍ରବାରଠାରୁ ଅନୁଭୂତ ହୋଇଛି। ଅପରାହ୍ଣ ସାଢ଼େ ୪ଟା ପରଠାରୁ ଝିପିଝିପି ବର୍ଷା ଜାରି ରହିଛି। କେଉଁଠି ଟିକିଏ ଅଧିକ ହେଉଛି ତ ଆଉ କେଉଁ ଅଞ୍ଚଳରେ କମ୍ ରହୁଛି। ମଧ୍ୟ ରାତି ପର୍ଯ୍ୟନ୍ତ ବର୍ଷା ଲାଗି ରହିଛି। ଶନିବାର ସକାଳୁ ବର୍ଷା ପରିମାଣ ଧୀରେ ଧୀରେ ବଢ଼ିବ। ସାରା ଦିନ ଭୁବନେଶ୍ବରରେ ବର୍ଷା ଜାରି ରହିବ। ଶନିବାର ସକାଳ ୮ଟାରୁ ରବିବାର ସକାଳ ୮ଟା ଅର୍ଥାତ୍ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପବନର ବେଗ ବିଶେଷ ଅଧିକ ରହିବ ନାହିଁ। ବାତ୍ୟା ପୁରୀ ନିକଟବର୍ତ୍ତୀ ହେଲେ ଭୁବନେଶ୍ବରରେ ପବନର ଘଣ୍ଟା ପ୍ରତି ବେଗ ୪୦ରୁ ୫୦କିମି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିବ। ପାରାଦୀପରେ ୪୫ରୁ ୫୦ କିମି, ଭିତରକନିକାରେ ୪୫ କିମି ରହିବ। ରବିବାର ସକାଳୁ ଭୁବନେଶ୍ବର ସମେତ ପୁରୀ, କଟକ ଓ ପାରାଦୀପରେ ପବନର ବେଗ ବଢ଼ିବ। ସନ୍ଧ୍ୟା ପର୍ଯ୍ୟନ୍ତ ପବନ ଲାଗି ରହିବ। ପୁରୀ ଜିଲ୍ଲାରେ ସମୁଦାୟ ବର୍ଷା ପରିମାଣ ୬୦ରୁ ୯୦ମିମି ମଧ୍ୟରେ ରହିବ। ଭୁବନେଶ୍ବରରେ ମଧ୍ୟ ପୁରୀଠାରୁ ସାମାନ୍ୟ କମ୍ ବର୍ଷା ହୋଇପାରେ।
Follow Us