The New Indian Express
ଭୁବନେଶ୍ବର,: ଆସନ୍ତା ଶୁକ୍ରବାର ବିଏମ୍ସି ବୈଠକ ବସିବ। ଏଥିପାଇଁ ବିଏମ୍ସି ସ୍ବତନ୍ତ୍ର ଏଜେଣ୍ଡା ପ୍ରସ୍ତୁତ କରିଥିବା ବେଳେ କର୍ପୋରେଟରମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ହୋଇଛନ୍ତି। ନିକଟ ଅତୀତରେ ବିଏମ୍ସି ଏସ୍ଆଇ(ସାନିଟାରି ଇନ୍ସ୍ପେକ୍ଟର)ଦେଇଥିବା ନିଯୁକ୍ତି ଉପରେ କର୍ପୋରେସନର ସ୍ବୀକୃତି ନେବାକୁ ଯାଉଛି। ତା’ ଛଡ଼ା ଏକାଧିକ ବଡ଼ ବଡ଼ ପ୍ରକଳ୍ପ ଉପରେ ନିଗମର ସ୍ବୀକୃତି ଲୋଡ଼ିବାକୁ ବିଏମ୍ସି ପକ୍ଷରୁ ଏଜେଣ୍ଡା ପ୍ରସ୍ତୁତ ହୋଇଛି। ତେବେ ଓପିଡବ୍ଲୁଡି କୋଡ୍କୁ ନେଇ ହୋ ହଲ୍ଲା ହେବା ନେଇ ଆଶଙ୍କା ରହିଛି। ନିକଟ ଅତୀତରେ ଏକ ବୈଠକରେ ଖୋଦ୍ ମେୟର ଏହି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଥିଲେ। ତା’ ସହିତ କେତେକ କମିଟି ଅଧ୍ୟକ୍ଷ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ।
କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଟେଣ୍ଡର ହେଲେ ମେୟର ଦେଖିବା ନିୟମ ରହିଛି। କିନ୍ତୁ ଅନେକ ଟେଣ୍ଡରକୁ ଜାଣି ଜାଣି ଭାଗ ଭାଗ କରି ମେୟରଙ୍କ ପାଖକୁ ଫାଇଲ୍ ନେଉ ନଥିବା ଅଭିଯୋଗ ରହିଛି। ଏହି ପ୍ରସଙ୍ଗକୁ ନେଇ ବୈଠକରେ ହୋ ହଲ୍ଲା ହେବା ସମ୍ଭାବନା ରହିଛି। ସେହିଭଳି ଗତ ବୈଠକରେ କେତେକ ପ୍ରସଙ୍ଗକୁ ବିଜେଡି କର୍ପୋରେଟରମାନେ ଦୁଇ ଭାଗ ହୋଇ ଯାଇଥିଲେ। ପୂର୍ବରୁ ବିରୋଧୀ ଓ ଶାସକ ଦଳ ମଧ୍ୟରେ ଲଢ଼େଇ ହେଉଥିବା ବେଳେ ଗତ ବୈଠକରେ ଦୁଇ ବିଜେଡି ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏବେ କେତେକ ବିଜେଡି କର୍ପୋରେଟର ଅନ୍ୟ ବିଜେଡି କର୍ପୋରେଟରଙ୍କୁ ଘେରିବା ପାଇଁ ଏଜେଣ୍ଡା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଶେଷକରି ବିଭିନ୍ନ ଷ୍ଟାଣ୍ଡିଂ କମିଟି ମୁହାଁମୁହିଁ ହେବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।
Follow Us