ବିଏମ୍‌ସି ଅଧିକାରୀଙ୍କୁ ଅନ୍‌ଲାଇନ ଡର

Advertisment

ଅନ୍‌ଲାଇନ୍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ କୁନ୍ଥକୁନ୍ଥ

ଅନ୍‌ଲାଇନ୍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ କୁନ୍ଥକୁନ୍ଥ

ବିଶ୍ବସ୍ତରୀୟ ହସ୍ପିଟାଲ ପ୍ରସଙ୍ଗ: ଏମ୍‌ଓୟୁ କଲେ, ସଂସ୍ଥା ଆସିଲାନି

ଭୁବନେଶ୍ବର : କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହ ବିଭିନ୍ନ ସେବାକୁ ସହଜଲବ୍ଧ କରିବା ପାଇଁ ବିଏମ୍‌ସିର ସମସ୍ତ ସେବାକୁ ଅନ୍‌ଲାଇନ କରାଯାଇଥିଲା। ଏପରିକି ବିଭିନ୍ନ ଉପବିଭାଗର ଫାଇଲ ଧରି କମିସନର କିମ୍ବା ଅତିରିକ୍ତ କମିସନରଙ୍କ ପାଖକୁ ଯିବାକୁ ପଡୁ ନଥିଲା। ଏଥିପାଇଁ ଇ-ଅଫିସ ବ୍ୟବସ୍ଥା ଲାଗୁ ହୋଇଥିଲା। ଉପବିଭାଗୀୟ ଅଧିକାରୀ ଫାଇଲ ତିଆରି କରି ଅନ୍‌ଲାଇନରେ (ଇ-ଅଫିସ ଜରିଆରେ) ଅପ୍‌ଲୋଡ୍‌ କରିବା ପରେ ଉଚ୍ଚପଦସ୍ଥ ଅଧିକାରୀମାନେ ଅନ୍‌ଲାଇନରେ ମଂଜୁରି କିମ୍ବା ବାତିଲ କରୁଥିଲେ। ହେଲେ ଧୀରେଧୀରେ ବିଏମ୍‌ସିରେ ଏ ସବୁ ଠପ୍ ହେଇଗଲାଣି। ଇ-ଅଫିସ୍‌ ଜରିଆରେ ଫାଇଲ ନଯାଇ କର୍ମଚାରୀ ହାତରେ ଧରି ଅଧିକାରୀଙ୍କ ପାଖରେ ଧାଡ଼ି ବାନ୍ଧିଲେଣି। ଏପରିକି ହୋଲ୍‌ଡିଂ-ଟ୍ୟାକ୍ସ ବ୍ୟବସ୍ଥାକୁ ଅଫ୍‌ଲାଇନ ମୋଡ୍‌ରେ କରିବାକୁ ମସୁଧା ହେଲାଣି। ଏଭଳି ପୁଳାପୁଳା ଅଭିଯୋଗ ହେବା ପରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନିଜେ ଏହି ବ୍ୟବସ୍ଥାର ସମୀକ୍ଷା କରି ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଏମ୍‌ସି ସମେତ କଟକ ମହାନଗର ନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷ, ସ୍ମାର୍ଟସିଟି, କ୍ରୁଟ୍‌ ଓ ବିଡିଏକୁ ତାଗିଦ୍‌ କରିଛନ୍ତି। କୌଣସି ପରିସ୍ଥିତିରେ ଅନ୍‌ଲାଇନରେ ଉପଲବ୍ଧ ସେବା ଅଫ୍‌ଲାଇନ୍‌ କରାଯିବ ନାହିଁ। ଏଭଳି ଅଭିଯୋଗର ପ୍ରମାଣ ମିଳିଲେ, ଏହାକୁ ଗୁରୁତ୍ବର ସହ ନିଆଯିବ ବୋଲି ସେ କହିଛନ୍ତି।

ସମୀକ୍ଷା କରି ତାଗିଦ୍ କଲେ ମୁଖ୍ୟ ଶାସନ ସଚିବ
ସିଡିଏରେ ଆଦୌ ବ୍ୟବସ୍ଥା ହେଇନି

ବୈଠକରୁ ମିଳିଥିବା ସୂଚନା ମୁତାବକ, ପ୍ରାୟ ଦେଢ଼ ମାସ ହେବ ବିଏମ୍‌ସିରେ ଇ-ଅଫିସ୍‌ ବ୍ୟବସ୍ଥା ଶତ ପ୍ରତିଶତ କାମ କରୁନି। ପୂର୍ବରୁ ଅନ୍‌ଲାଇନ୍‌ରେ ଯେତିକି ଫାଇଲ କାମ ହେଉଥିଲା, ତାହାଠାରୁ ଢେର୍‌ କମି ଯାଇଛି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ ମାନୁଆଲ୍‌ କାରବାର ହେଉଛି। କେତେକ ଅଧିକାରୀଙ୍କ ପାଖରେ ଫାଇଲ ତଳୁ ଟେବୁଲ ଉଚ୍ଚାର ଗଦା ହେଲାଣି। ହେଲେ ସେ ସବୁ ଉପବିଭାଗକୁ ଫେରୁ ନାହିଁ। ଏହାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇବା ସହ ପ୍ରତିଟି ଫାଇଲ ଯେଭଳି ଇ-ଅଫିସ ଜରିଆରେ ହେବ, ସେ ନେଇ କମିସନର ନଜର ରଖିବାକୁ କହିଛନ୍ତି।

ସେହିଭଳି କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏଯାବତ୍‌ ଅନଲାଇନ୍‌ରେ ସେବା ଆରମ୍ଭ କରିନାହିଁ। ଏହାକୁ ନେଇ ମୁଖ୍ୟ ସାଶନ ସଚିବ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଆପ୍‌ ଡେଭଲପ୍‌ କରି ଅନ୍‌ଲାଇନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

publive-image Zaubee

ସମସ୍ତ ଇଂଜିନିୟରିଂ ବିଲ୍‌ କରିବାକୁ ଅନଲାଇନ୍‌ ବ୍ୟବସ୍ଥା ହୋଇଥିଲା। ଯେଉଁଥିରେ ଥରେ ବିଲ୍‌ ତିଆରି ହୋଇଗଲେ, ପରେ ବଦଳା ଯାଇପାରିବନି। ପିସି ନେବା ଆଶଙ୍କା ବି କମ୍‌ ରହିବ। କିନ୍ତୁ ଏହି ବ୍ୟବସ୍ଥାକୁ ବନ୍ଦ କରି ବିଲ ସବୁ ଅଫ୍‌ଲାଇନରେ ତିଆରି ହେଲାଣି। ଏହା ଉପରେ ଅଧିକାରୀମାନେ ନଜର ରଖିବେ। ଗୋଟିଏ ହେଲେ ବିଲ୍‌ ଯେଭଳି ଅଫ୍‌ଲାଇନରେ ହେବ ନାହିଁ ତାହାକୁ ନିଶ୍ଚିତ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ହୋଲ୍‌ଡିଂ ଟ୍ୟାକ୍ସ ନିର୍ଧାରଣ ଓ ନମ୍ବର ପ୍ରଦାନ ବ୍ୟବସ୍ଥା ଅନ୍‌ଲାଇନରେ ହୋଇଛି। ଯେଉଁମାନେ ନୂଆ ଆବେଦନ କରନ୍ତୁ ବା ଆବାସିକରୁ ବାଣିଜ୍ୟିକ କରିବାକୁ ଚାହାନ୍ତୁ, ଏ ସବୁ ଅନ୍‌ଲାଇନରେ ବ୍ୟବସ୍ଥା ରହିଛି। ଏଥିରେ କର୍ମଚାରୀମାନେ ଲୋକଙ୍କୁ ଭୂଆଁ ବୁଲାଇ ଅଧିକ କିମ୍ବା ହାତଗୁଞ୍ଜା ନେଇ କମ୍‌ କରିପାରିବେ ନାହିଁ। କିନ୍ତୁ ଏହି ବ୍ୟବସ୍ଥାକୁ ଏବେ ଅଫ୍‌ଲାଇନ ମୋଡ୍‌ରେ କରିବାକୁ ମସୁଧା ହୋଇଛି। ସେହିଭଳି କଲ୍ୟାଣ ମଣ୍ଡପ ବୁକିଙ୍ଗ, ସେସ୍‌ପୁଲ ଗାଡି ବରାଦ, ପାଣି ଟ୍ୟାଙ୍କର ବୁକିଙ୍ଗ, ବାହାଘର ପ୍ରମାଣପତ୍ର, ଘର ତିଆରି ପ୍ଲାନ, ବିଡିଏ ବିଏମ୍‌ସିରୁ ମିଳିଥିବା ସମ୍ପତ୍ତିର ମାଲିକାନା ପରିବର୍ତ୍ତନ, ଲିଜ୍‌ ସମ୍ପତ୍ତିର ଦେୟ ଦାଖଲ, ଅଭିଯୋଗ ଦାଖଲ ପ୍ରଭୃତି ସେବା ଅନଲାଇନ୍‌ରେ ଉପଲବ୍ଧ କରାଯାଇଛି। ମୁଖ୍ୟ ସାଶନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଭର୍ଚୁଆଲ୍‌ ବୈଠକରେ ବିଏମ୍‌ସି ଓ ସିଏମସି କମିସନର, ବିଡିଏ ଓ ସିଡିଏ ଉପାଧ୍ୟକ୍ଷ, ସ୍ମାର୍ଟସିଟି ଓ କ୍ରୁଟ୍‌ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe