କୋଭିଡ୍‌ କଟକଣା କୋହଳ କଲା ବିଏମ୍‌ସି : ଶିବରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇବେ ଭକ୍ତ

ମହାଶିବରାତ୍ରି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି: ରାତି ୧୦ରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ!

ଆଡ଼କାଠ ପର୍ଯ୍ୟନ୍ତ ଯାଇ ଦର୍ଶନ କରିପାରିବେ
୬୦ବର୍ଷରୁ ଅଧିକ, ୧୨ବର୍ଷରୁ କମ୍‌ଙ୍କୁ ମନା
ସନ୍ଦିଗ୍ଧଙ୍କର ଆଣ୍ଟିଜେନ୍ ଟେଷ୍ଟ ହେବ

ଭୁବନେଶ୍ବର : ଆସନ୍ତା ୧୧ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରା। ତେବେ କରୋନା ବିପଦ ଟଳି ନ ଥି‌ଲେ ବି ଜାଗର ଯାତ୍ରା ପାଇଁ ଅଧିକ କଟକଣା ଲାଗିବନି। ପୂର୍ବବର୍ଷଗୁଡ଼ିକ ଭଳି ଏଥର ବି ଶ୍ରଦ୍ଧାଳୁମାନେ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ମନ୍ଦିର ବେଢା ଓ ନିକଟବର୍ତ୍ତୀ ଅଞ୍ଚଳରେ ଦୀପ ଜାଳିପାରିବେ। ଏ ନେଇ ବିଏମ୍‌ସି ପକ୍ଷରୁ ମନ୍ଦିର ପ୍ରଶାସନକୁ ଅନୁମତି ମିଳିଛି।

କୋଭିଡ୍‌ କଟକଣା ପାଇଁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବନ୍ଦ ହୋଇ ଯାଇଥିଲା। ବର୍ଷତମାମ୍ କେବଳ ମହାପ୍ରଭୁଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେଉଥିଲା। ମହାପ୍ରଭୁଙ୍କ କୌଣସି ପର୍ବପର୍ବାଣୀରେ ଶ୍ରଦ୍ଧାଳୁ ସାମିଲ୍‌ ହୋଇପାରୁ ନ ଥିଲେ। ତେଣୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ୍‌ ହୋଇପାରିବେ କି ନାହିଁ, ମହାଦୀପ ଉଠିବା ସ୍ବଚକ୍ଷୁରେ ଦେଖିପାରିବେ କି ନାହିଁ ସେ ନେଇ ଦ୍ବନ୍ଦ୍ବ ଥିଲା। ଏପରିକି ମନ୍ଦିର ପ୍ରଶାସନ ଜାଗର ପାଇଁ ପ୍ରସ୍ତୁତି କରିପାରୁ ନ ଥିଲା। ହେଲେ ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବିଡିଏ ସମ୍ମିଳନୀ କକ୍ଷରେ ବସିଥିବା ସ୍ବତନ୍ତ୍ର ବୈଠକରେ ଶ୍ରୀ ଲିଙ୍ଗରାଜଙ୍କ ବିଭିନ୍ନ ସେବାୟତ ଓ ନିଯୋଗ, ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଜାଗର ଯାତ୍ରା କିପରି ସୁରୁଖୁରରେ ହେବ ସେ ନେଇ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ଶିବରାତ୍ରିରେ ଶ୍ରଦ୍ଧାଳୁଙ୍କୁ କୋଭିଡ କଟକଣା ପାଳନ କରି ମନ୍ଦିରକୁ ଛଡ଼ାଯିବ। କେବଳ ୬୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୧୨ବର୍ଷରୁ କମ୍‌ ପିଲାଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି। ଏହି ବର୍ଗର ଶ୍ରଦ୍ଧାଳୁ ମନ୍ଦିରକୁ ଯାଇପାରିବେନି। ଏପରିକି ସେବାୟତଙ୍କ ପରିବାରର ସଦସ୍ୟମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। କିନ୍ତୁ ସେବାୟତଙ୍କ ପାଇଁ ଏହା ଲାଗୁ ହେବନି।

ସେହିପରି ବ୍ୟାଚ୍‌ ବ୍ୟାଚ୍‌ କରି ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବ। ଶ୍ରଦ୍ଧାଳୁମାନେ ଆଡକାଠ ନିକଟରେ ଛିଡ଼ା ହୋଇ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ମନ୍ଦିର ପରିସରରେ ଓ ବାହାରେ ଯେପରି ସାମାଜିକ ଦୂରତା ରହିବ ତାହାକୁ ଗୁରୁତ୍ବ ଦିଆଯିବ। ମନ୍ଦିର ଭିତରକୁ ଯିବା ପୂର୍ବରୁ କୋଭିଡ୍ ପାଇଁ ସମସ୍ତଙ୍କର ସ୍କ୍ରିନିଂ କରାଯିବ। ସ୍କ୍ରିନିଂରୁ ସନ୍ଦେହ ହେଲେ ସଙ୍ଗେସଙ୍ଗେ ଆଣ୍ଟିଜେନ୍ ପରୀକ୍ଷା ହେବ। କୋଭିଡ ପଜିଟିଭ୍ ଚିହ୍ନଟଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବନି। ଏହି ସ୍କ୍ରିନିଂ ଓ ଟେଷ୍ଟିଂ ପାଇଁ ଦୁଇଟି ସ୍ବତନ୍ତ୍ର କ୍ୟାମ୍ପ ମନ୍ଦିର ନିକଟରେ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯିବ। ଯଦି ଅତ୍ୟଧିକ ଜନଗହଳି ହେବ କିମ୍ବା ନିୟମ ଉଲ୍ଲଂଘନ ହେଉଥିବା ଦେଖାଯିବ ତେବେ ଲୋକଙ୍କ ହିତ ଦୃଷ୍ଟିରୁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛି।

ଏହି ବୈଠକରେ ବଡ଼ୁ ନିଯୋଗର କମଳାକାନ୍ତ ବଡୁ, ସମର୍ଥା ନିଯୋଗର ରାଜେନ୍ଦ୍ର ସମର୍ଥା, ବ୍ରାହ୍ମଣ ନିଯୋଗର ବିରଞ୍ଚି ପତି, ପୂଜାପଣ୍ଡା ନିଯୋଗର ଶଶୀକାନ୍ତ ପୂଜାପଣ୍ଡା ପ୍ରମୁଖ ଯୋଗଦେଇ ଜାଗର ଯାତ୍ରାକୁ ଶୃଙ୍ଖଳିତ କରିବା ଦିଗରେ ଆବଶ୍ୟକ ସହଯୋଗ ଯୋଗାଇବେ ବୋଲି କହିଛନ୍ତି। ଏଥିରେ ବିଏମ୍‌ସିର ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁ, ଡେପୁଟି କମିସନର କମଲଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ନିକଟରେ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବସିଥିବା ପ୍ରସ୍ତୁତି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ରାତି ୧୦ଟାରେ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ଉଠିବ। କିନ୍ତୁ ଏଥର ଭଜନ ସଂଧ୍ୟା ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ କି ନାହିଁ ସେ ନେଇ ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଯାଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe