ପୂର୍ତ୍ତ ନଳା ଦାୟିତ୍ବ ନେଲା ବିଏମ୍‌ସି: ଏଥର ଜଳବନ୍ଦୀ ଦୋଷ ଠେଲି ପାରିବେନି

କିଣା ହେବ ୭୪ ପମ୍ପ, ନଳା ସଫା କରିବ ଯନ୍ତ୍ର

ସ୍ବଚ୍ଛ ସର୍ବେକ୍ଷଣ ୨୦୨୪: ଚୁଲିକୁ ଯାଇଛି ପଲିଥିନ୍‌ କଟକଣା

ଭୁବନେଶ୍ବର: ଅସରାଏ ବର୍ଷାରେ ଭୁବନେଶ୍ବର ଭାସିବା ବେଳେ ବିଏମ୍‌ସି ପୂର୍ତ୍ତ ବିଭାଗକୁ ଦୋଷ ଠେଲୁଥିଲା। ‘ପୂର୍ତ୍ତ ବିଭାଗ ନଳା, ସଫା ନ ହେବାରୁ ଭାସିଲା’। ଏଭଳି ଉତ୍ତର ଆଉ ଶୁଣିବାକୁ ମିଳିବନି। କାରଣ ଭୁବନେଶ୍ବର ବା ବିଏମ୍‌ସି ଅଞ୍ଚଳରେ ପୂର୍ତ୍ତ ବିଭାଗର ଥିବା ସମସ୍ତ ନଳା ଏବେ ବିଏମ୍‌ସି ଅଧୀନକୁ ଆସିଛି। ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ବିଏମ୍‌ସି ଏହି ନଳାଗୁଡ଼ିକର ରକ୍ଷଣାବେକ୍ଷଣ କରିବ। ଉଚିତ୍‌ ସମୟରେ ସଫା କରିବ। ବର୍ଷା ପୂର୍ବରୁ ସଫା ହେବା ନିଶ୍ଚିତ କରିବ। ଫଳରେ ଭୁବନେଶ୍ବରରେ ଜଳବନ୍ଦୀ ସମସ୍ୟା ରହିବ ନାହିଁ। ପୂର୍ତ୍ତ ବିଭାଗ ନଳା ଉଚିତ୍‌ ସମୟରେ ସଫା ହେଉନଥିବାରୁ ଜଳବନ୍ଦୀ ସମସ୍ୟା ହେଉଛି ଓ ବିଏମ୍‌ସି ବଦନାମ ହେଉଛି। ଏଭଳି ଅଭିଯୋଗ ନେଇ କର୍ପୋରେସନ ବୈଠକରେ ଉଦ୍‌ବେଗ ପକାଶ ପାଇବା ସହ ପୂର୍ତ୍ତ ବିଭାଗକୁ ବାରମ୍ବାର ଚିଠି ଲେଖା ଯାଇଥିଲା। ପୂର୍ତ୍ତ ବିଭାଗ ଯଦି ସଫା ନ କରୁଛି ତେବେ ବିଏମ୍‌ସି କରିବ ବୋଲି ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ଶେଷରେ ନଳା ସବୁ ବିଏମ୍‌ସିକୁ ଆସିଛି। ବିଏମ୍‌ସି ଏହାକୁ ସଫା କରିବ ବା ପରିଚାଳନା କରିବ। ସ୍ଲାବ୍‌ ପକାଇବା‌ ସହ ଅନ୍ୟାନ୍ୟ ସମସ୍ତ ମରାମତି ପୂର୍ତ୍ତ ବିଭାଗ କରିବ ବୋଲି ସର୍ତ୍ତ ରହିଛି।

ଅସରାଏ ବର୍ଷାରେ ଭୁବନେଶ୍ବର ଉବୁଟୁବୁ ହେଉଥିଲା। ବର୍ଷ ବର୍ଷ ଧରି ଜଳବନ୍ଦୀ ସମସ୍ୟା ଲାଗି ରହୁଥିଲା। କେବଳ ବର୍ଷା ଆସିଲେ ତତ୍ପରତା ପ୍ରକାଶ ପାଉଥିଲା। ଏହା ପରେ ସ୍ଥିତି ଯଥାପୂର୍ବଂ ତଥା ପରଂ ହୋଇଯାଉଥିଲା। ଜଳବନ୍ଦୀ ପାଇଁ ପୂର୍ତ୍ତ ଦାୟୀ କହି ବିଏମ୍‌ସି ଖସି ଯାଉଥିଲା। ଏବେ ଭୁବନେଶ୍ବର ସହର ଭିତରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା‌ ୩୬୦ କିମି ଲମ୍ବାର ଡ୍ରେନ୍‌ ବିଏମ୍‌ସିକୁ ହସ୍ତାନ୍ତର କରାଯାଇଛି। ତୁରନ୍ତ ଏହି ନଳାସବୁର ଦାୟିତକ୍ବ ନେଇ ଆସନ୍ତା ବର୍ଷାଋତୁ ପୂର୍ବରୁ ନଳା ସଫା ଓ ଅନ୍ୟାନ୍ୟ ଆବଶ୍ୟକ ମରାମତି କରିବା ପାଇଁ ବିଏମ୍‌ସିକୁ କୁହାଯାଇଛି। ତେବେ ଏହି ନଳା ହସ୍ତାନ୍ତରରେ ବି କେଁ ରହିଛି। ବିଏମ୍‌ସି ପରିଚାଳନା କରିବ କିନ୍ତୁ ମରାମତି କରିବ ପୂର୍ତ୍ତ। ଏଣୁ ପୂର୍ବଭଳି ସମନ୍ବୟ ଅଭାବ ଯୋଗୁ ଏହି ଯୋଜନା ଫେଲ୍‌ ମାରିବା ଆଶଙ୍କା ରହିଛି।
ବିଏମ୍‌ସିର ୭୪୦ କିମି ନାଳ ରହିଥିଲା।

ଏଥିରୁ ୭୦ କିମି ନାଳ ବିଏମ୍‌ସି ଡ୍ରେନେଜ୍‌ ବିଭାଗ ସିଧାସଳଖ ପରିଚାଳନା କରୁଥିବା ବେଳେ ୬୬୩ କିମି ନାଳ ପରିମଳ ଉପବିଭାଗ ଅଧୀନରେ ରହିଛି। ଏବେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ୩୬୦ କିମି ନଳା ବିଏମ୍‌ସି ଅଧୀନକୁ ଆସିବା ପରେ ମୋଟ ୧୧୦୦ କିମି ନଳାର ରକ୍ଷଣାବେକ୍ଷଣ କରିବ ବିଏମ୍‌ସି। ଏହି ସବୁ ନଳା ଜରିଆରେ ଯଦି ଶତ ପ୍ରତିଶତ ଜଳ ନିଷ୍କାସନ ହୁଏ ତେବେ ସହରରୁ ଜଳବନ୍ଦୀ ସମସ୍ୟା ଦୂର ହେବ ବୋଲି ବିଏମ୍‌ସି ଆଶା ପ୍ରକାଶ କରିଛି। ପୂର୍ତ୍ତ ନଳା ବିଏମ୍‌ସିକୁ ଆସିବା ପରେ ବିଏମ୍‌ସି ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ନୀଳ ନକ୍ସା ପ୍ରସ୍ତୁତ କରିଛି। ବର୍ଷାଋତୁ ପୂର୍ବରୁ ଯେଭଳି ଏହି ୧୧୦୦ ମକିମିର ନଳା ସଫା ହେବ ତାହା ନିଶ୍ଚିତି କରିବାକୁ ଯୋଜନା ହୋଇଛି। ବିଏମ୍‌ସିର ନଳା ପୂର୍ବରୁ ସଫା ହୋଇଛି। ପୂର୍ତ୍ତ ମଧ୍ୟ ସଫା କରୁଥିବା କହିଛି। କିନ୍ତୁ କେତେ ସଫା ହୋଇଛି କେତେ ବାକି ଅଛି ତାହା ସର୍ଭେ ହେବ। ଯାହା ବାକି ଥିବ ସେ ସବୁର ଅଗ୍ରାଧିକାର ଭିତ୍ତିରେ ସଫା ହେବ। ପ୍ରତ୍ୟେକ ନଳାର ଯାନ୍ତ୍ରିକ ସଫେଇ ପାଇଁ ଯୋଜନା ହୋଇଛି। ଖୁବ୍‌ଶୀଘ୍ର ଏ ନେଇ ଟେଣ୍ଡର ଡକାଯିବ। ପୂର୍ବରୁ ହାତରେ କରାଯାଉଥିବାରୁ ଏତେ ପରିମାଣର ନଳା ସଫା ଯାଞ୍ଚ କରିବା ସମ୍ଭବ ହେଉନଥିଲା।

ଅନ୍ୟପଟେ ନଳା ସଫା ହେଲେ ମଧ୍ୟ ଜଳବନ୍ଦୀ ସମସ୍ୟା ଆଶଙ୍କା ଦୂର କରିବା ପାଇଁ ଆଉ ଏକ ଯୋଜନା ହାତକୁ ନିଆଯାଇଛି। ପ୍ରବଳ ବର୍ଷା ସମୟରେ ସହରରେ ୭୪ଟି ସମ୍ବେଦନଶୀଳ ଜାଗା ଚିହ୍ନଟ ହୋଇଥିଲା। ଏହି ଜାଗାରେ ଦୀର୍ଘ ସମୟ ଧରି ପାଣି ଜମା ହୋଇ ରହୁଥିବାରୁ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା। ସହରୀ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା। ଏଣୁ ଏହି ସବୁ ସମ୍ବେଦନଶୀଳ ଜାଗାରୁ ଜଳ ନିଷ୍କାସନ ନିଶ୍ଚିତ କରିବା ପାଇଁ ୭୪ଟି ପାଣି ପମ୍ପ ମହଜୁଦ ରଖାଯିବ। ପମ୍ପ ଜରିଆରେ ତୁରନ୍ତ ଜଳ ନିଷ୍କାସନ କରାଯିବ। ଏହି ପାଣି ପମ୍ପ କିଣିବାକୁ ବିଏମ୍‌ସି ଟେଣ୍ଡର ଡାକିଛି। ଏଥିରେ ପାଖାପାଖି ୨ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe