ଅନଲାଇନ୍‌ରେ ମିଳିବ ବିଏମ୍‌ସିର ସବୁ ସେବା

Advertisment
ଅନଲାଇନ୍‌ରେ ମିଳିବ ବିଏମ୍‌ସିର ସବୁ ସେବା

ଭୁୁବନେଶ୍ୱର : ବର୍ଜ୍ୟବସ୍ତୁ ପରିଚାଳନାଠାରୁ ଆରମ୍ଭ କରି ଶୌଚାଳୟ କିପରି ପରିଚାଳନା ହେଉଛି ସେନେଇ ମତାମତ ସଂଗ୍ରହ, ଆବାସିକ କଲ୍ୟାଣ କମିଟି ପଞ୍ଜୀକରଣ ଏବଂ ହୋଲ୍‌ଡିଂ ଟ୍ୟାକ୍ସ୍‌ ଭଳି ସମସ୍ତ କାର୍ଯ୍ୟ ଅନଲାଇନ୍‌ରେ ହେବ। ମଧୁବାବୁ ପେନ୍‌ସନ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ ବି ଅନଲାଇନ୍‌ରେ ହେବ।

ସମସ୍ତ ସେବା ଅନଲାଇନ୍‌ ମାଧ୍ୟମରେ ଉପଲବ୍ଧ କରାଇବା ପାଇଁ ବିଏମ୍‌ସି ତା’ର ଆଇଟି ଭିତ୍ତିଭୂମି ସଜାଡ଼ିବାକୁ କମିସନର କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଯୋଜନା ଖସଡ଼ା ପ୍ରସ୍ତୁତ ହୋଇଛି। ସେହିପରି ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ଏହି ବିଭାଗକୁ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରାଯିବା ସହ ଲୋକଙ୍କୁ ଏଥିରେ ଯୋଡ଼ାଯିବ। ବିଭିନ୍ନ ୱାର୍ଡରେ କେତେ ସଂଖ୍ୟକ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି, ପ୍ରତ୍ୟେକ ଦିନ କେଉଁ ୱାର୍ଡରେ କେତେ କର୍ମଚାରୀ ଥିଲେ ତାହା ୱେବ୍‌ସାଇଟ୍‌ରେ ପ୍ରତିଫଳିତ ହେବ। ଗତବର୍ଷଠାରୁ ସଫେଇ କର୍ମଚାରୀଙ୍କ ଉପସ୍ଥାନ ବାଇଓମେଟ୍ରିକ୍‌ ଡିଭାଇସ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ପଦ୍ଧତିରେ ନିଆଯାଉଥିବାବେଳେ ଏହାକୁ ଅଧିକ ବ୍ୟାପକ କରିବାକୁ ଯୋଜନା ହୋଇଛି। ସ୍ୱଚ୍ଛ ଭୁବନେଶ୍ୱର ଅଭିଯାନ ଅଧୀନରେ ପ୍ଲାଷ୍ଟିକ୍‌ ବର୍ଜ୍ୟ, ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ, ସ୍ୱେରେଜ୍‌ ପରିଚାଳନା, ପବ୍ଲିକ, କମ୍ୟୁନିଟି ଓ ହାଇବ୍ରିଡ୍‌ ଟଏଲେଟ୍‌ ପ୍ରଭୃତି ଦିଗ ଉପରେ ସଚେତନତା ଏବଂ ପ୍ରଚାର ପ୍ରସାର ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ। ଏହିସବୁ ତଥ୍ୟ ସ୍ୱଚ୍ଛ ଭୁବନେଶ୍ୱର ନାମକ େଓ୍ଵବସାଇଟ୍‌ରେ ଉପଲବ୍ଧ ହେବ। ଏହାର ଲିଙ୍କ୍‌ ବିଏମ୍‌ସି ୱେବ୍‌ସାଇଟ୍‌ରେ ଛଡ଼ାଯିବ।

ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଏବେ ମାନୁଆଲ୍‌ ବ୍ୟବସ୍ଥା ରହିଥିବା ବେଳେ ଆଗାମୀ ଦିନରେ ଏହାକୁ ସଂପୂର୍ଣ୍ଣ ଭାବରେ ଅନ୍‌ଲାଇନ୍‌ କରାଯିବ। ସେହିପରି ରାସନ୍‌ କାର୍ଡ ମାଧ୍ୟମରେ ଚାଉଳ, ଗହମ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଉଥିବା ବ୍ୟବସ୍ଥାକୁ ଅନ୍‌ଲାଇନ୍‌ ଦ୍ୱାରା ପରିଚାଳନା କରାଯିବ।

ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ସେବା ପ୍ରଦାନ କରାଯିବ। ଏଥିପାଇଁ ଆବେଦନ କରିବା ପଦ୍ଧତିକୁ ସରଳ କରାଯିବ। ସେହିପରି ସେସ୍‌ପୁଲ୍‌ ଗାଡ଼ି, ମହାଯାତ୍ରା ଗାଡ଼ି ଏବଂ କଲ୍ୟାଣ ମଣ୍ଡପ ବୁକିଂ ପାଇଁ ରହିଥିବା ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ।

ନିଗମ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା ପ୍ରଦାନ, ଋଣ ପ୍ରଦାନ ପାଇଁ ଆବେଦନ ଗ୍ରହଣ କରିବା ତଥା ହାଉସିଂ ଯୋଜନାଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ। ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଡାଟାବେସ୍‌ ମ୍ୟାନେଜମେଣ୍ଟ ଦ୍ୱାରା କାର୍ଯ୍ୟର ସମୀକ୍ଷା କରାଯିବ। ସେହିପରି ଅନଲାଇନ୍‌ରେ ଅଭିଯୋଗ ଶୁଣାଣି ଏବଂ ଏହାର ସମାଧାନ କରାଯିବ। ଏଥିପାଇଁ ସମୟ ସୀମା ଧାର୍ଯ୍ୟ ହେବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe