ଓୟୁଏଟି ଗବେଷଣା ଜମିରେ ବିଏମସି ଆବର୍ଜନା

Advertisment

ଧାନ ବିହନ, ଆଳୁ ଗବେଷଣା ତ ବନ୍ଦହେଲା; ପ୍ରସ୍ତାବିତ ଜୈବ ବିବିଧତା ପାର୍କର ଭବିଷ୍ୟତ ମଧ୍ୟ ଆବର୍ଜନାମୟ

ଧାନ ବିହନ, ଆଳୁ ଗବେଷଣା ତ ବନ୍ଦହେଲା; ପ୍ରସ୍ତାବିତ ଜୈବ ବିବିଧତା ପାର୍କର ଭବିଷ୍ୟତ ମଧ୍ୟ ଆବର୍ଜନାମୟ

ଓୟୁଏଟି ଗବେଷଣା ଜମିରେ ବିଏମସି ଆବର୍ଜନା

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡ ପଛପଟରେ ସ୍ଥିତ ଓୟୁଏଟିର ଧାନ ବିହନ ଓ ଆଳୁ ଗବେଷଣା ଏବେ ମୃତପ୍ରାୟ ହୋଇ ପଡ଼ିଛି। ଗବେଷଣା ପାଇଁ ଥିବା ଜମିର ଏକ ବଡ଼ଅଂଶକୁ ସରକାର ବସ୍‌ ଟର୍ମିନାଲ ପାଇଁ ନେଇଯିବାପରେ ବି ସମସ୍ୟା ସରିନାହିଁ। ପ୍ରାୟ ୫୦ ଏକର ଗବେଷଣା ଜମିର ରାସ୍ତାପାର୍ଶ୍ବରେ ବିନା ଅନୁମତିରେ ଆବର୍ଜନା ପକାଉଛି ବିଏମ୍‌ସି। ଗବେଷଣା ଆଉ ସମ୍ଭବ ନଥିବାରୁ ସେଠାରେ ଜୈବ ବିବିଧତା ପାର୍କ ପାଇଁ ଓୟୁଏଟି କାର୍ଯ୍ୟ ଆରମ୍ଭ କରୁଥିବାବେଳେ ସେ କାମ ବି ବାଧାପ୍ରାପ୍ତ ହେଉଛି। ଯେଉଁଭଳି ଭାବରେ ଜମି ଚାରିପଟରେ ନିୟମିତ ଆବର୍ଜନା ପଡୁଛି, ତାହା ସମୁଦାୟ ପରିବେଶକୁ ବିଷାକ୍ତ ଓ ଦୁର୍ଗନ୍ଧମୟ କରି ଦେଉଛି। ଆଶ୍ଚର୍ଯ୍ୟର କଥା ହେଉଛି, ଓୟୁଏଟିର ଗବେଷଣା ଜମିରେ ଆବର୍ଜନା ପକାଯାଉଥିବା ନେଇ ସେ ଅବଗତ ନଥିବା କହିଛନ୍ତି ନିଜେ ବିଏମ୍‌ସିର ସହକାରୀ କମିସନର ଏନ୍‌. ଗଣେଶନ।

ବର୍ତ୍ତମାନ ଯେଉଁଠି ବରମୁଣ୍ଡା ବସ ଟର୍ମିନାଲ ରହିଛି, ସେଠାରେ ଗୋଟିଏ ସମୟରେ ଥିଲା ଓୟୁଏଟିର ଧାନ ବିହନ ଓ କେନ୍ଦ୍ରୀୟ ଆଳୁ ଗବେଷଣା କେନ୍ଦ୍ର। ବସ୍‌ ଟର୍ମିନାଲ ତିଆରି ହେବାପରେ ୫ ବର୍ଷରୁ ଊର୍ଧ୍ବ ସମୟ ହେଲା ବରମୁଣ୍ଡାରେ ସ୍ଥିତ ଓୟୁଏଟିର ଏହି ଗବେଷଣାକେନ୍ଦ୍ର ବନ୍ଦ ହୋଇଯାଇଛି। ଯେତିକି ଜମି ରକ୍ଷା ପାଇ ଯାଇଛି, ସେଠାରେ ମଧ୍ୟ ଅବସ୍ଥା ଏହିଭଳି ଯେ ତାହା ଗବେଷଣା ପାଇଁ ଉପଯୁକ୍ତ ହୋଇ ରହିନାହିଁ। ଏଥିଯୋଗୁଁ ଧାନ ବିହନ ଓ ଆଳୁ ଗବେଷଣା ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଛି। ବସ୍‌ ଟର୍ମିନାଲ ପାଇଁ ସରକାର ଧାନ ବିହନ ଗବେଷଣାକେନ୍ଦ୍ରର ଜମି ନେଲେ ସିନା, କିନ୍ତୁ ବଦଳରେ ବିକଳ୍ପ ଜମିର ବ୍ୟବସ୍ଥା କଲେନାହିଁ। କେବଳ ଆଳୁ ବିହନ ଗବେଷଣା ପାଇଁ ଅତି ଅଳ୍ପ ଜମି ଦିଆଯାଇଛି। ଅନ୍ୟଦିଗରେ, ଅନୁପଯୋଗୀ ହୋଇ ପଡ଼ିଥିବା ଗବେଷଣା ଜମିରେ ଜୈବ ବିବିଧତା ପାର୍କ ପାଇଁ ଓୟୁଏଟି ପ୍ରକ୍ରିୟା ଆରମ୍ଭ କରିବା ବେଳକୁ ହିଁ ବିଏମ୍‌ସି ସେଠାରେ ଆବର୍ଜନା ଗଦା କରିବା ଆରମ୍ଭ କରିଛି। ପାର୍କ ଦେଇ ଯାଇଥିବା ରାସ୍ତାରେ ୬ ମାସ ହେଲା ଆବର୍ଜନା ପକାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତା’କୁ ସ୍ଥାନାନ୍ତର କରିବା କିମ୍ବା ପରିଚାଳନା କରିବାପାଇଁ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

ଓୟୁଏଟି କୃଷି ବନ କଲେଜ ଡିନ୍ ବାମାଶଙ୍କର ରଥ କହିଛନ୍ତି, ବରମୁଣ୍ଡାର ଏହି ଗବେଷଣା ଜମି ନିକଟରେ ବସ୍‌ ରହୁଥିବାରୁ ଏହା ଗବେଷଣା ପାଇଁ ଉପଯୁକ୍ତ ହୋଇ ରହିନାହିଁ। ତେଣୁ ଏଠାରେ ଜୈବ ବିବିଧତା ପାର୍କ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାୟ ୨୫୦ ପ୍ରକାର ଗଛ ଲଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଓୟୁଏଟି ୧୦୦ ପ୍ରକାର ଗଛ ଲଗାଇବା କାର୍ଯ୍ୟ ଆରମ୍ଭ କରିଛି, ଯାହା ବନ ବିଭାଗର ବିଦ୍ୟାର୍ଥୀଙ୍କ ଗବେଷଣା କାର୍ଯ୍ୟରେ ସହାୟକ ହୋଇ ପାରିବ। ଜୈବ ବିବିଧତା ବୋର୍ଡକୁ ମଧ୍ୟ କିଛି ଏକର ଜମିରେ ଯୋଜନା ପ୍ରସ୍ତୁତ ପାଇଁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe