ଅପଡେଟ୍‌ ହେଉନି ବିଏମ୍‌ସି ୱେବ୍‌ସାଇଟ୍‌: ବଦଳି ଗଲେଣି କର୍ପୋରେଟର୍‌, ବଦଳିନି ତାଲିକା

Advertisment

ୱାର୍ଡ ତାଲିକା ବି ଅପରିବର୍ତ୍ତିତ

ୱାର୍ଡ ତାଲିକା ବି ଅପରିବର୍ତ୍ତିତ

ଅପଡେଟ୍‌ ହେଉନି ବିଏମ୍‌ସି ୱେବ୍‌ସାଇଟ୍‌: ବଦଳି ଗଲେଣି କର୍ପୋରେଟର୍‌, ବଦଳିନି ତାଲିକା

Telegraph India

ଭୁବନେଶ୍ବର: ୨୦୧୯ରୁ କର୍ପୋରେଟର୍‌ଙ୍କ କାର୍ଯ୍ୟକାଳ ଶେଷ ହେଲାଣି। ପ୍ରାୟ ତିନି ବର୍ଷ ପରେ ଅର୍ଥାତ୍‌ ଗତ ମାର୍ଚ୍ଚରେ ଭୁବନେଶ୍ବରରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ କର୍ପୋରେଟର୍‌, ମେୟର୍‌ ନିର୍ବାଚିତ ହୋଇସାରିଲେଣି। କର୍ପୋରେଟରମାନେ ଦାୟିତ୍ବ ଗ୍ରହଣ କରିବାକୁ ବି ଏହା ଭିତରେ ପ୍ରାୟ ଦେଢ଼ ମାସରୁ ଅଧିକ ସମୟ ବିତିଗଲାଣି। ହେଲେ ବିଏମ୍‌ସି ୱେବ୍‌ସାଇଟ୍‌ରେ ଏବେ ବି ପୁରୁଣା କ‌ର୍ପୋରେଟର୍‌ଙ୍କ ନାଁ ଓ ମୋବାଇଲ୍‌ ନମ୍ବର ଦେଖିବାକୁ ମିଳୁଛି। କେବଳ ମେୟର୍‌ ସୁଲୋଚନା ଦାସଙ୍କୁ ଛାଡ଼ିଦେଲେ ବାକି କାହା ନାଁ ବି ଅପଡେଟ୍‌ ହୋଇନାହିଁ। ସେହିଭଳି ନୂଆ କରି ଯେଉଁ ରାଜସ୍ବ ଗ୍ରାମ ମହାନଗରରେ ସାମିଲ୍‌ ହୋଇଛି, ତା’ର ତଥ୍ୟ ବି ବିଏମ୍‌ସି ୱେବ୍‌ସାଇଟ୍‌ରେ ଉପଲବ୍ଧ ନାହିଁ। ଫଳରେ ଲୋକଙ୍କୁ ସଠିକ୍‌ ସୂଚନା ମିଳି ପାରୁନାହିଁ। ଏମିତିକି କିଛି ଲୋକ ସମସ୍ୟା ସଂପର୍କରେ ଜଣାଇବା ପାଇଁ ବିଏମ୍‌ସି ୱେବ୍‌ସାଇଟ୍‌ ଦେଖି ପୂର୍ବତନ କର୍ପୋରେଟରମାନଙ୍କୁ ଫୋନ୍‌ କରିଦେଉଛନ୍ତି। ଫଳରେ ପୁରୁଣା କର୍ପୋରେଟର୍‌ ଓ ଲୋକେ ହଟହଟାର ସମ୍ମୁଖୀନ ହେଉଛନ୍ତି। ଏ ସଂପର୍କରେ କିଛି ପୂର୍ବତନ କର୍ପୋରେଟର୍‌ ନିଜ ନାମ ଗୋପନ ରଖି ଜଣାଇଛନ୍ତି।

ସୂଚନା ଅନୁସାରେ, ୱାର୍ଡବାସୀଙ୍କୁ ହାତପାହାନ୍ତାରେ ସବୁ ସୁବିଧା ଉପଲବ୍ଧ କରାଇବା ଓ ଅସୁବିଧା ହେଲେ ତୁରନ୍ତ ଅଭିଯୋଗ ଦାଖଲ କରିବା ଉପରେ ବିଏମ୍‌ସି ଜୋର୍‌ ଦେଇ ଆସୁଥିଲା। ଏହି ଦୃଷ୍ଟିରୁ ବିଏମ୍‌ସି ୱେବ୍‌ସାଇଟ୍‌ରେ ତି‌ନୋଟି ଜୋନ୍‌ର ଡେପୁଟି କମିସନରଙ୍କଠୁ ଆରମ୍ଭ କରି ୱାର୍ଡ ଅଫିସର୍‌ ଏବଂ କର୍ପୋରେଟର୍‌ମାନଙ୍କ ନାମ ଓ ମୋବାଇଲ ନମ୍ବର ୱେବ୍‌ସାଇଟ୍‌ରେ ଉପଲବ୍ଧ କରିବାର ବ୍ୟବସ୍ଥା ହୋଇଥିଲା। ଏଥିସହ ସବୁ ୱାର୍ଡର ଅଞ୍ଚଳ ଓ ପରିସୀମା ମଧ୍ୟ ଏହି ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। କିନ୍ତୁ ନିୟମିତ ଅନ୍ତରାଳରେ ଏହା ଅପଡେଟ୍‌ ହେଉନଥିବା ଅଭିଯୋଗ ହେଉଛି। ବିଶେଷକରି ଗତ ବିଏମ୍‌ସି ନିର୍ବାଚନ ପରେ ଏହାକୁ ଅପଡେଟ୍‌ କରାଯାଇନାହିଁ। କେବଳ ମେୟର୍‌ଙ୍କ ନାଁକୁ ଛାଡ଼ି ୱେବ୍‌ସାଇଟ୍‌ରେ ବାକି ସବୁ ପୁରୁଣା କର୍ପୋରେଟର୍‌ଙ୍କ ନାମ ଓ ମୋବାଇଲ୍‌ ନମ୍ବର ଗଡ଼ୁଛି।

ଅପରପକ୍ଷେ, ଚଳିତଥର ୱାର୍ଡ ନମ୍ବର ୧ରେ ନୂଆ କରି ଆର୍ଯ୍ୟାପଲ୍ଲୀ, ମାରୁତି ବିହାର, ତ୍ରିଷ୍ଣା ଏନ୍‌‌କ୍ଲେଭ୍‌, ଆଦର୍ଶ ବିହାର, ଶିଖରଚଣ୍ଡୀ କ୍ଲଷ୍ଟର ଆଦି ନୂଆ କରି ମିଶିଛି। ୱାର୍ଡ ନମ୍ବର-୨ରେ କଳାରାହାଙ୍ଗ, ନନ୍ଦନବିହାର, ପଦ୍ମକେଶରପୁର ଆଦି ରାଜସ୍ବ ଗ୍ରାମ ମଧ୍ୟ ମହାନଗରରେ ସାମିଲ୍‌ ହୋଇଛି। ୱାର୍ଡ ନମ୍ବର-୨୨ରେ ଶ୍ୟାମପୁର ଗାଁ ଓ ୫୧ ନମ୍ବର ୱାର୍ଡରେ ସୌଭାଗ୍ୟନଗର ଆଦି ଅଞ୍ଚଳ ମଧ୍ୟ ବିଏମ୍‌ସିରେ ମଶିଛନ୍ତି। କିନ୍ତୁ ବିଏମ୍‌ସି ୱେବ୍‌ସାଇଟ୍‌ରେ ୱାର୍ଡ ଡିଟେଲ୍ସକୁ ଯାଇ କ୍ଲିକ୍‌ କଲେ, ପରିବର୍ତ୍ତିତ ୱାର୍ଡ ତାଲିକା ଆସିବା ବଦଳରେ ସେହି ପୁରୁଣା ତାଲିକା ଆସୁଛି।

ଜଣେ ଶିକ୍ଷିତ ଭୋଟର୍‌ଙ୍କ କହିବାନୁସାରେ, କର୍ପୋରେଟରମାନେ ପ୍ରତିଶ୍ରୁତି ଦେଇ ଭୋଟ୍‌ ହାତେଇଲେ। ଏବେ ସେମାନଙ୍କୁ ଧରି କାମ ଆଦାୟ କରିବାର ସମୟ। ହେଲେ ବିଭିନ୍ନ ସ୍ଥାନରେ ୱାର୍ଡ ଅଫିସ୍‌ ନାହିଁ। ତେଣୁ କର୍ପୋରେଟରଙ୍କୁ ଆମେ ଯୋଗଯୋଗ କରିବାକୁ ହେଲେ ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ତାଙ୍କ ମୋବାଇଲ୍‌ ନମ୍ବରରେ ଯୋଗଯୋଗ କରିପାରିବୁ। ହେଲେ ବିଏମ୍‌ସି ଏହା ଅପଡେଟ୍‌ ନ କରିବା ଯୋଗୁଁ ତାହା ସମ୍ଭବ ହୋଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe