ତିନିଟି ସ୍ବର୍ଗରଥ କିଣିବ ବିଏମ୍‌ସି: ଚାହିଦା ବେଶି, ଗାଡ଼ି କମ୍‌, ଲୁଟୁଛନ୍ତି ଘରୋଇ ମାଲିକ

Advertisment
ଆର୍ଥିକ ବର୍ଷ ସରିବାକୁ ଆଉ ୨ଦିନ: ବାକି ପଡ଼ିଛି ୪୫ ପ୍ରତିଶତ ହୋଲ୍ଡିଂ ଟିକସ

ଭୁବନେଶ୍ବର: ଶବ ବୋହିବା ପାଇଁ ଗାଡ଼ି ବା ‘ସ୍ବର୍ଗରଥ’ର ଚାହିଦା ଅଧିକ କିନ୍ତୁ ବିଏମ୍‌ସି ପାଖରେ ଗାଡ଼ି ସଂଖ୍ୟା କମ୍‌। ଏଣୁ ଅନେକ ସମୟରେ ସାଧାରଣ ‌ଲୋକ ଶବ ବୋହିବା ପାଇଁ ଘରୋଇ ଗାଡ଼ି ବ୍ୟବହାର କରୁଛନ୍ତି। ଏହାର ସୁଯୋଗ ନେଇ ଘରୋଇ ଗାଡ଼ି ମାଲିକ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ଏଣୁ ବିଏମ୍‌ସି ତିନିଟି ସ୍ବର୍ଗରଥ କିଣିବାକୁ ଯାଉଛି। ଏ ନେଇ ଟେଣ୍ଡର ଡାକିଛି। ଅପ୍ରେଲ ୧୧ ତାରିଖ‌ ସୁଦ୍ଧା ଠିକାଦାରମାନେ ଗାଡ଼ି ଯୋଗାଇବା ପାଇଁ ଆବେଦନ କରିବେ। ସେହିଦିନ ଅପରାହ୍ନ ୫ଟା ୩୦ରେ ଟେଣ୍ଡର ଖୋଲାଯିବ। ଚଳିତ ୩୧ ତାରିଖ ଦିନ ଏହାର ପ୍ରି-ବିଡ୍‌ ବୈଠକ ରହିଛି। ଠିକାଦାର ଚୁକ୍ତି ହେବାର ୪୫ ଦିନ ମଧ୍ୟରେ ପ୍ରଥମ ଗାଡ଼ି, ୬୦ ଦିନ ମଧ୍ୟରେ ଦ୍ବିତୀୟ ଓ ୭୫ ଦିନ ମଧ୍ୟରେ ତୃତୀୟ ଗାଡ଼ି ବିଏମ୍‌ସିକୁ ଯୋଗାଇବ।

ଉଳ୍ଲେଖଯୋଗ୍ୟ, ବିଏମ୍‌ସିରେ ଏବେ ୩ଟି ସ୍ବର୍ଗରଥ ରହିଛି। ସେଥିରୁ ଗୋଟିଏ ଗାଡ଼ିକୁ ୧୫ ବର୍ଷ ପୂରିଛି। ମୋଟର ଯାନ ଆଇନ ମୁତାବକ, ଏହା ସ୍କ୍ରାପ୍‌ ଯୋଗ୍ୟ ହୋଇଛି। ଏଣୁ ଆଉ ତିନିଟି ଗାଡ଼ି କିଣିବାକୁ ବିଏମ୍‌ସି ସ୍ଥିର କରିଛି। ତିନିଟି ଥିବା ସମୟରେ ଏହି ଗାଡ଼ିର ଚାହିଦା ଅଧିକ ଥିଲା। ଚାହିଦା ଅନୁସାରେ ବିଏମ୍‌ସି ଗାଡ଼ି ଯୋଗାଇ ପାରୁନଥିଲା। ବିଏମ୍‌ସିର ଦର ଭୁବନେଶ୍ବରରୁ ପୁରୀ ସ୍ବର୍ଗଦ୍ବାର ପାଇଁ ୧୫୦୦ ଟଙ୍କା ରହିଥିବା ବେଳେ ‘କସନ୍‌ ମନି’ ୫ଶହ ଟଙ୍କା ଜମା ରଖାଯାଉଥିଲା। ସମୟ ଅବଧି ୪ ଘଣ୍ଟା ରହିଥିଲା। ଏହି ୪ ଘଣ୍ଟାରୁ ବିଳମ୍ବ ହେଲେ କସନ ମନିରୁ ଘଣ୍ଟା ପିଛା ୫୦ ଟଙ୍କା କାଟି ଦିଆଯାଉଥିଲା। ନଚେତ୍‌ ଏହାକୁ ପରବର୍ତ୍ତୀ ସମୟରେ ଫେରାଇ ଦିଆଯାଉଥିଲା। କିନ୍ତୁ ଘରୋଇ ଗାଡ଼ି ବ୍ୟବହାର କଲେ ଏହି ଦରରୁ ଦୁଇଗୁଣା ପଡ଼ୁଥିଲା। ସେହିଭଳି ଭୁବନେଶ୍ବରରେ ଯେ କୌଣସି ସ୍ଥାନରୁ ଆଣିଲେ ଭଡ଼ା ୬ଶହ ଟଙ୍କା ରହିଥିଲା। ଘ‌ରୋଇ ଗାଡ଼ିରେ ଦର ଅଧିକ ରହିଥିଲା।

ବିଏମ୍‌ସିର ଏହି ସ୍ବର୍ଗରଥ କେବଳ ଅନ୍‌ଲାଇନ୍‌(ଭୁବନେଶ୍ବର.ଏମ୍‌ଇ)ରେ ବୁକିଂ ହେଉଥିଲା। ଥରେ ବୁକିଂ ହେଲେ ଗାଡ଼ି ନିଶ୍ଚୟ ପହଞ୍ଚୁଥିଲା। କିନ୍ତୁ ଘରୋଇ ଗାଡ଼ି ଅନେକ ସମୟରେ ପହଞ୍ଚୁନଥିବା ଅଭିଯୋଗ ରହିଥିଲା। ଏଣୁ ଏହି ସ୍ବର୍ଗରଥ ସଂଖ୍ୟା ବଢ଼ାଇବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା। ଏହାକୁ ନଜରରେ ରଖି ବିଏମ୍‌ସି ସ୍ବର୍ଗରଥ ସଂଖ୍ୟା ବଢ଼ାଇବାକୁ ଯୋଜନା କରିଛି। ଆସନ୍ତା ମେ’ ପହିଲା ସୁଦ୍ଧା ଏହି ନୂଆ ଗାଡ଼ି ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe