ଆଜି ବିଏମ୍‌ସି ଦେବ ସଂରକ୍ଷଣ ତାଲିକା: ଓଲଟପାଲଟ ହେବ ସମୀକରଣ

Advertisment
ଆଜି ବିଏମ୍‌ସି ଦେବ ସଂରକ୍ଷଣ ତାଲିକା: ଓଲଟପାଲଟ ହେବ ସମୀକରଣ

ଭୁବନେଶ୍ବର: ପୁଣିଥରେ ବଦଳିବ ବିଏମ୍‌ସି ୱାର୍ଡ ସଂରକ୍ଷଣ ତାଲିକା। ପଛୁଆ ବର୍ଗଙ୍କ ଲାଗି ସଂରକ୍ଷିତ ଥିବା ୧୭ଟି ଆସନରେ ବଡ଼ଧରଣର ଅଦଳବଦଳ ହେବ। କିଛି ଆସନ ସାଧାରଣ ବର୍ଗଙ୍କ ଲାଗି ଉଦ୍ଦିଷ୍ଟ ହେବାକୁ ଥିବା ବେଳେ ଆଉ କିଛି ଅନୁସୂଚିତ ଜନଜାତି (ଏସ୍‌ଟି), ଅନୁସୂଚିତ ଜାତି (ଏସ୍‌ସି)ଙ୍କ ଲାଗି ସଂରକ୍ଷିତ ରହିବ। ଏସ୍‌ଟି ଓ ଏସ୍‌ସିଙ୍କ ଲାଗି ସଂରକ୍ଷଣ ଥିବା ଆସନରେ ବି ଏପାଖ ସେପାଖ ହୋଇପାରେ। ମହିଳାଙ୍କ ଲାଗି ସଂରକ୍ଷଣ ରହିଥିବା ଆସନ ବି ବଦଳିବ। ପଛୁଆ ବର୍ଗଙ୍କୁ ବାଦ୍‌ ଦେଇ ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ବିଏମ୍‌ସି ସମୀକରଣରେ ଏଭଳି ଓଲଟପାଲଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏମିତିକି କିଛି ୱାର୍ଡର ସୀମା ବଦଳିବା ନେଇ ମଧ୍ୟ କଳ୍ପନାଜଳ୍ପନା ଚାଲିଛି। ଏହାଦ୍ବାରା କିଛି ନେତାଙ୍କ ପତିଆରା ଫେରିବାକୁ ଥିବା ବେଳେ ଆଉ କିଛି ନେତାଙ୍କ କାଟ୍‌ତି କମିବା ଏକପ୍ରକାର ଥୟ।

ବିଶେଷକରି ବିଜେଡି ନେତା ତଥା ପୂର୍ବତନ କର୍ପୋରେଟର୍‌ମାନେ ପ୍ରକାଶିତ ହେବାକୁ ଥିବା ସଂଶୋଧିତ ସଂରକ୍ଷଣ ତାଲିକାକୁ ନେଇ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି। ୫ ଥରିଆ କର୍ପୋରେଟର ୨୯ ନମ୍ବର ୱାର୍ଡର ସେକ୍‌ ନିଜାମୁଦ୍ଦିନ୍‌ଙ୍କ ୱାର୍ଡ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ସେ ଲଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ମାତ୍ର ଏବେ ପୁଣିଥରେ ଏଠାରେ ସଂରକ୍ଷଣ ପରିବର୍ତନ ହେବାକୁ ଯାଉଛି। ଏହି ଆସନ ସାଧାରଣ ବର୍ଗଙ୍କ ଲାଗି ସଂରକ୍ଷଣ ରହିବାର ସମ୍ଭାବନା ଅଧିକ ଥିବାରୁ ତାଙ୍କ ଦବ୍‌ଦବା ଫେରିପାରେ। ଯଦି ଏସ୍‌ସି କିମ୍ବା ଏସ୍‌ଟିଙ୍କ ଲାଗିଙ୍କ ସଂରକ୍ଷଣ ରୁହେ ତେବେ ନିରାଶ ହେବାକୁ ପଡ଼ିବ। ୧୨ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀ ମଧ୍ୟ ନିଜ ୱାର୍ଡକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ୱାର୍ଡ ମଧ୍ୟ ଓବିସି ମହିଳାଙ୍କ ଲାଗି ସଂରକ୍ଷିତ ରହିଥିଲା।

କିଛି ୱାର୍ଡ ସୀମା ବଦଳିବା ସମ୍ଭା‌ବନା

ପୁଣି ଛକାପଞ୍ଝା ଆରମ୍ଭ

ବିଧାୟକଙ୍କ ପାଖରେ ଆଶାୟୀଙ୍କ ଲବି

ଏବେ ସେଥିରେ ପରିବର୍ତନ ହେବ। କେଉଁ ବର୍ଗଙ୍କ ଲାଗି ସଂରକ୍ଷଣ ରହିବ ତାହା ସ୍ଥିର ହୋଇ ନ ଥିଲେ ମଧ୍ୟ ଶ୍ରୀ ସେଠୀଙ୍କ ଆଶା ଉଜ୍ଜୀବିତ ହୋଇଛି। ଓବିସି ମହିଳାଙ୍କ ଲାଗି ସଂରକ୍ଷିତ ରହିଥିବା ୬୭ନମ୍ବର ୱାର୍ଡରେ ପୁଣିଥରେ ପରିବର୍ତ୍ତନ ହେବାକୁ ଥିବାରୁ ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ ମଧ୍ୟ ସକ୍ରିୟ ହୋଇଉଠିଛନ୍ତି। ୬୨ ନମ୍ବର ୱାର୍ଡ ଓବିସି ମହିଳାଙ୍କ ଲାଗି ସଂରକ୍ଷିତ ରହିଥିବାରୁ ପୂର୍ବତନ କର୍ପୋରେଟର୍‌ ହୃଦୟ ବଲ୍ଲଭ ସାମନ୍ତରାୟଙ୍କ ଆଶା ମଉଳି ଯାଇଥିଲା। ମାତ୍ର ଏବେ ଆଶା ସଞ୍ଚାର ହୋଇଛି।

କିଛି ୱାର୍ଡ ଏସ୍‌ଟି ଓ ଏସ୍‌ସି ବର୍ଗଙ୍କ ଲାଗି ସଂରକ୍ଷଣ ରହିଥିବାରୁ କେତେଜଣ ପୂର୍ବତନ କର୍ପୋରେଟର୍‌ଙ୍କ ଭବିଷ୍ୟତ ରାଜନୀତିରେ ତାଲା ପଡ଼ିବା ନେଇ ଆଶଙ୍କା ଦେଖା ଦେଇଥିଲା। ମାତ୍ର ସଂଶୋଧିତ ସଂରକ୍ଷଣ ତାଲିକା ଆଉ ଥରେ ପ୍ରକାଶ ପାଇବାକୁ ଥିବାରୁ ସେମାନେ ବି ଆଶା ବାନ୍ଧିଛନ୍ତି। ଏହି ଅଦଳବଦଳରେ ଯଦି ‌ସେମାନଙ୍କ ୱାର୍ଡ ସଂରକ୍ଷଣରେ କିଛିଟା ପରିବର୍ତନ ହୁଏ ତେବେ ସେମାନେ ଲାଭରେ ରହିବେ। ଅନ୍ୟ ୱାର୍ଡକୁ ପରିବର୍ତନ କରିବାକୁ ପଡ଼ି ନ ପାରେ।

ବୁଧବାର ବିଏମ୍‌ସି କମିସନର ଚିଠା ଆସନ ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ତାଲିକା ନଗର ଉନ୍ନୟନ ବିଭାଗକୁ ପ୍ରଦାନ କରିବାକୁ ଥିବାରୁ ଆଜି ଦିନତମାମ ଏନେଇ ମାନସମନ୍ଥନ କରାଯାଇଛି। ପୂର୍ବଥର ସଂଶୋଧନ ତାଲିକା ପ୍ରକାଶ ପରେ ସୃଷ୍ଟି ହୋଇଥିବା ବିବାଦ ଯେପରି ଏଥର ନହୁଏ, ସେଥିପ୍ରତି ଦୃଷ୍ଟି ରଖି ଚିଠା ଆସନ ସଂରକ୍ଷଣ ତାଲିକା ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଇଛି। ମହିଳାଙ୍କ ଲାଗି ସଂରକ୍ଷିତ ରହିଥିବା କିଛି ଆସନରେ ବି ଅଦଳବଦଳ ହେବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ନୂଆବର୍ଷ ଶୁଭେଚ୍ଛା ଆଳରେ ଆଶାୟୀମାନେ ବିଧାୟକ ଓ ସାଂସଦଙ୍କ ନିକଟରେ ଏବେଠାରୁ ଟିକେଟ୍‌ ଲବି ଆରମ୍ଭ କରିଦେଇଛନ୍ତି। ଉଭୟ ବିଜେଡି ଓ ବିଜେପି ଆଶାୟୀଙ୍କ ମଧ୍ୟରେ ଏହା ଦେଖିବାକୁ ମିଳିଛି। ନୂଆବର୍ଷ ସକାଳୁ ସକାଳୁ କର୍ପୋରେଟର୍‌ ଆଶାୟୀ ପ୍ରାର୍ଥୀମାନେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବାସଭବନରେ ଫୁଲତୋଡ଼ା ଧରି ଛିଡ଼ା ହୋଇଥିଲେ।

କିଏ ଘଣ୍ଟାଏ ତ ଆଉ କିଏ ଅଧ ଓଳି ଅପେକ୍ଷା କରି ଶୁଭେଚ୍ଛା ଜଣାଇଥିଲେ। କେହି କେହି ବିଧାୟକଙ୍କ ସହ ଆଲୋଚନା କରିବାକୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ। ଲବି କେବଳ ଏତିକିରେ ଶେଷ ହୋଇ ନ ଥିଲା, ଆଶାୟୀମାନେ ନିଜ ସହ ବିଧାୟକଙ୍କ ଫଟୋ ଥିବା ବ୍ୟାନରକୁ ୱାର୍ଡରେ ଲଗାଇଛନ୍ତି। ଏବେ ବି କେତେକ ସ୍ଥାନରେ ଆଶାୟୀଙ୍କ ବ୍ୟାନର୍‌ ଝୁଲୁଛି। ଜନଗହଳିପୂର୍ଣ୍ଣ ରାଜମହଲ ଛକରେ ଉଭୟ ବିଜେଡି ଓ ବିଜେପି ଆଶାୟୀ ପ୍ରାର୍ଥୀଙ୍କ ବ୍ୟାନର ଲାଗିଥିଲେ ମଧ୍ୟ ଏଥିପ୍ରତି ବିଏମ୍‌ସି କିମ୍ବା ପ୍ରଶାସନର କୌଣସି ନିଘା ନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe