ବିଏମ୍‌ସିର ଡେଙ୍ଗୁ ବିରୋଧୀ ସଚେତନତା ପଦଯାତ୍ରା

୧୦ ନମ୍ବର ୱାର୍ଡ ସ୍ଥିତି ପରଖିଲେ ମେୟର

ବିଏମ୍‌ସିର ଡେଙ୍ଗୁ ବିରୋଧୀ ସଚେତନତା ପଦଯାତ୍ରା

Odisha Bytes

ଭୁବନେଶ୍ୱର: ଡେଙ୍ଗୁ ସଚେତନତା ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛି ବିଏମ୍‌ସି। ଆଜି ସକାଳେ ମେୟର ସୁଲୋଚନା ଦାସଙ୍କ ସମେତ ୧୦ ନମ୍ବର ୱାର୍ଡ କର୍ପୋରେଟର ସେଖ୍‌ ନୁରସାନ ଏବଂ ବସ୍ତିବାସିନ୍ଦାଙ୍କୁ ନେଇ ମଂଚେଶ୍ୱରସ୍ଥିତ ମଣିନାଗେଶ୍ୱର ବସ୍ତି ଅଂଚଳ ପରିକ୍ରମା କରିବା ସହ ଡେଙ୍ଗୁ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି। ବର୍ଷା ଋତୁରେ ଡେଙ୍ଗୁ ପ୍ରତି ସଚେତନ ରହିବା ସହ ମିଳିତ ପଦକ୍ଷେପ ଜରୁରି ବୋଲି ମେୟର କହିଛନ୍ତି।
ମେୟର୍‌ କହିଛନ୍ତି, ଯଦି କୌଣସି ସ୍ଥାନରେ ପାଣି ଜମିବା ଭଳି ଚା’ କପ୍‌, ଭଙ୍ଗା ଡବା, ବୋତଲ, ବିଭିନ୍ନ ପାତ୍ର, ପଇଡ଼ ଇତ୍ୟାଦି ପଡ଼ି ରହିଥିବାର ଦେଖୁଛନ୍ତି, ସେଗୁଡ଼ିକୁ ନଷ୍ଟ କରି ଦିଅନ୍ତୁ। ଏଥିରେ ପାଣି ଜମି ରହିଲେ ମାଶା ଅଣ୍ଡା ଦେଇ ବଂଶ ବୃଦ୍ଧି କରିବ। ତେଣୁ ମଶା ଅଣ୍ଡା ଦେବା ଉତ୍ସଗୁଡ଼ିକୁ ତତ୍‌କ୍ଷଣାତ୍‌ ନଷ୍ଟ କରିଦିଅନ୍ତୁ।

ଏହି ଅଭ୍ୟାସ ପ୍ରତ୍ୟେକ ବ୍ୟକ୍ତି ପାଳନ କଲେ, ଡେଙ୍ଗୁ ଭଳି ଅନେକ ରୋଗକୁ ରୋକିପାରିବା। ତିରିକ୍ତ କମିସନର୍‌ ଲକ୍ଷ୍ମୀକାନ୍ତ ସେଠୀ କହିଥିଲେ, ବିଏମ୍‌ସିର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ମଶା ଉତ୍ସଗୁଡ଼ିକୁ ନଷ୍ଟ କରିବା ସହ ମଶାଧୂଆଁ ଦେଉଛନ୍ତି। ଡେଙ୍ଗୁ ରୋଗୀ ଦେଖାଦେବା ମାତ୍ରେ ସ୍ୱାସ୍ଥ୍ୟକର୍ମୀ ସେହି ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଜୋନ୍ ଅନୁଯାୟୀ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରୁଛନ୍ତି। କମିସନର୍‌ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ନିୟମିତ ‘ଡ୍ରାଏ ଡେ’ ପାଳନ କରାଯାଉଛି।

ସୂଚନାଯୋଗ୍ୟ, ସମସ୍ତ ୱାର୍ଡରେ ଗୁରୁବାର ଏବଂ ଶନିବାରକୁ ‘ଡ୍ରାଏ ଡେ’ ଭାବେ ପାଳନ କରାଯାଉଛି। ଏହି ପଦକ୍ଷେପ ସମସ୍ତ କର୍ପୋରେଟର ନିଜ ନିଜ ୱାର୍ଡରେ କରୁଛନ୍ତି। ଗୋଷ୍ଠୀ ସହଭାଗିତାରେ ୱାର୍ଡ କୋର୍‌-କମିଟିରେ ଥିବା ସମସ୍ତ ସଦସ୍ୟ/ସଦସ୍ୟା, ଏନ୍‌ଜିଓ ଏବଂ ଗୋଷ୍ଠୀ କାର୍ମୀମାନେ ଯୋଗଦେଇ ଏହାକୁ ଆଗେଇ ନେଉଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ଜୋନାଲ ଡେପୁଟି କମିସନର୍‌ ପୁରନ୍ଦର ନନ୍ଦ, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ ବିଶୋଇ, ଅତିରିକ୍ତ ଜିଲ୍ଲା ସହକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ଆଣ୍ଟି ଲାର୍ଭା ୱାର୍କର, ଅଙ୍ଗନୱାଡି ଏବଂ ଆଶାକର୍ମୀଙ୍କ ସମେତ ସ୍ଥାନୀୟ ଏସ୍‌ଏଚ୍‌ଜି ମହିଳାମାନେ ଅଂଶଗ୍ରହଣ କରିଥିଲେ।

ସାମୟିକ ପଦଯାତ୍ରା ପରେ ମେୟର ଏବଂ ବିଏମ୍‌ସି ଅଧିକାରୀମାନେ ଅଂଚଳର ବିଭିନ୍ନ ନାଳ ଏବଂ କେତେକ ଘର ବୁଲି ଦେଖିଥିଲେ। ପାଣି ଜମି ରହିବା, ନାଳ ପାଣି ଅଟକିବା ଭଳି କେତେକ ସମସ୍ୟା ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ଏହି ଅଞ୍ଚଳରେ ଇଡ୍‌କୋ ନାଳର ସଫେଇ ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ଶୀଘ୍ର କାମ କରିବା ପାଇଁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe