ଭୁବନେଶ୍ବର: ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଏମ୍ସି ଓ ସିଟି ହେଲ୍ଥ ସୋସାଇଟି ପକ୍ଷରୁ ତୃଣମୂଳ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଡେଙ୍ଗୁ ପ୍ରତିରୋଧ ଉପାୟ ସବୁ ସାଧାରଣ ଲୋକ କିଭଳି ମାନିବେ ଓ ତାହା କିଭଳି ପ୍ରଶାସନସ୍ତରରେ ନିଶ୍ଚିତ କରାଯାଇ ପାରିବ ସେ ନେଇ ଏହି ବୈଠକରେ ଗୁରୁତ୍ବାରୋପ କରାଯାଇଛି। ସେଥିପାଇଁ ୮ଶହ କର୍ମୀଙ୍କୁ ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱରର ପ୍ରତ୍ୟେକ ୱାର୍ଡରେ ଥିବା ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ୱଚ୍ଛସାଥୀଙ୍କୁ ନେଇ ଗୋଷ୍ଠୀ ସଂଯୋଗ ରଣନୀତି ପ୍ରସ୍ତୁତ କରାଯାଇଛି। ପ୍ରତିଜୋନ୍ରେ ଗୋଟିଏ ଲେଖାଏ ପ୍ରଶିକ୍ଷଣ ଶିବିର ଆୟୋଜନ କରି ଏହି ପ୍ରଶିକ୍ଷଣ ଦିଆଯାଉଛି। ଭୁବନେଶ୍ୱରକୁ ୧୩୦୦୦ ଲେନ୍ରେ ବିଭକ୍ତ କରାଯାଇଛି।
ସଫା ଆପ୍ ଜରିଆରେ କର୍ମୀମାନେ ସମ୍ବେଦନଶୀଳ ଘରକୁ ଯାଇ ରୋଗ ନୀରିକ୍ଷଣ ସର୍ଭେ କରିବେ। ସମୁଦାୟ ୪ଟି ଫେଜ୍ରେ ଏହି ସର୍ଭେ ହେବ। ପ୍ରତ୍ୟେକ କର୍ମୀ ୩୫୦ ରୁ ୪୦୦ ଘରର ସର୍ଭେ କରିବେ। ଘର ଚାରିପାଖ, ଘର ଭିତର, ଘର ଉପର ଇତ୍ୟାଦିକୁ ଦେଖି ପାଣି ଜମିବା ସ୍ଥାନ/ପାତ୍ର, ଟାୟାର, ଇତ୍ୟାଦି ଯାଞ୍ଚ କରି ମଶା ଲାର୍ଭା ନଷ୍ଟ କରିବେ। ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବୋଲି ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ କହିଛନ୍ତି ମେୟର ସୁଲୋଚନା ଦାସ। ଭୁବନେଶ୍ୱରରୁ ଡେଙ୍ଗୁ ହଟାଇବାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ କମିସନର ରାଜେଶ ପ୍ରଭାକର ପାଟିଲ୍ ଆହ୍ବାନ ଦେଇଥିଲେ। ପ୍ରାରମ୍ଭିକ ସୂଚନା ଦେଇଥିଲେ ସିଟି ହେଲ୍ଥ ସୋସାଇଟି ପ୍ରବନ୍ଧକ ନେହା ରାଜ୍ପୁତ୍। ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନାଙ୍କ ସହ ଅତିରିକ୍ତ କମିସନର ଘାସିରାମ ମୁର୍ମୁ, ଡେପୁଟି କମିସନର (ପରିମଳ) ମନୋରଞ୍ଜନ ସାହୁ, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନୀଳମଣି ସେନାପତି, ଜେଡ୍ଡିସି (ଉତ୍ତର) ଶଶୀ ଭୂଷଣ ମହାପାତ୍ର ଓ ଜେଡ୍ଡିସି (ଦକ୍ଷିଣପୂର୍ବ) ରାଜଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Follow Us